ତେଜସ୍ୱିନୀ ମିଶନଶକ୍ତି ମହାସଂଘର : ଦ୍ୱିତୀୟ ବାର୍ଷିକ ଉତ୍ସବ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ତେଜସ୍ୱିନୀ ମିଶନଶକ୍ତି ମହାସଂଘର ଦ୍ୱିତୀୟ ବାର୍ଷିକ ଉତ୍ସବ ଭୁବନେଶ୍ୱରସ୍ଥିତ ପାରାମାଉଣ୍ଟ କ୍ଲବ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଯୋଗ ଦେଇଥିବା ବେଳେ ମାନ୍ୟବର ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ଶ୍ରୀମତୀ ପ୍ରମିଳା ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମିଶନଶକ୍ତିର ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ବେହେରା ଓ ଶ୍ରୀମତୀ ସନ୍ଧ୍ୟାରାଣୀ ଦେବୀ ଯୋଗ ଦେଇ ମିଶନଶକ୍ତି ମା’ମାନଙ୍କର ଉଦ୍ୟମକୁ ଭୂରୀ ଭୂରୀ ପ୍ରଶଂସା କରିଥିଲେ । ତେଜସ୍ୱିନୀ ମିଶନଶକ୍ତି ମହାସଂଘର ସଭାପତି ଶ୍ରୀମତୀ ମହାମାୟା ସ୍ୱାଇଁଙ୍କ ନେତୃତ୍ୱରେ ଆୟୋଜିତ ବାର୍ଷିକ ଉତ୍ସବରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାମାନେ ମିଶନଶକ୍ତି ମାଧ୍ୟମରେ ଏକାଠି ହୋଇ ସମ୍ମାନ ଓ ସ୍ୱାଭିମାନର ସହିତ ରୋଜଗାର କରି ନିଜ ପରିବାର ଏବଂ ଓଡ଼ିଶାର ସମ୍ମାନ ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଓଡ଼ିଶାର ଉନ୍ନତିପଥରେ ଗୌରବାନ୍ୱିତ କରିଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଶେଷକରି ମହାମାରୀ କରୋନା ସମୟରେ ମିଶନଶକ୍ତିର ମା’ମାନେ ମାସ୍କ, ସାନିଟାଇଜର ଇତ୍ୟାଦି ତିଆରି କରି ଲୋକମାନଙ୍କୁ ବଣ୍ଟନ କରି ଓଡ଼ିଶାକୁ ବିପଦରୁ ରକ୍ଷା କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟକ୍ରମରେ ଅତ୍ୟନ୍ତ ଖୁସିବ୍ୟକ୍ତ କରିଥିଲେ ବୋଲି ମତପ୍ରକାଶ ପାଇଥିଲା । ସଶକ୍ତ ମହିଳା, ସମୃଦ୍ଧ ଓଡ଼ିଶା ଓ ସମ୍ମାନର ସହିତ ବଂଚିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ମିଶନଶକ୍ତି ମା’ମାନଙ୍କର ଦ୍ୱାରା ଉତ୍ପାଦିତ ଦ୍ରବ୍ୟର ବଜାର ବ୍ୟବସ୍ଥା ପାଇଁ ପ୍ରତି ବ୍ଲକରେ ମିଶନଶକ୍ତି ଗୃହ, ମିଶନଶକ୍ତି ବଜାର ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ରାଜଧାନୀ ଭୁବନେଶ୍ୱରରେ ଏକ ବଡ଼ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣର ଆୟୋଜନ କରିଛନ୍ତି ବୋଲି ଅତିଥିମାନେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଉକ୍ତ ଉତ୍ସବରେ ମିଶନଶକ୍ତି ମା’ମାନଙ୍କ ଦ୍ୱାରା ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏଥିସହିତ ତେଜସ୍ୱିନୀ ମିଶନଶକ୍ତି ମହାସଂଘ ତରଫରୁ କିଛି ମହିଳା ସ୍ୱଂୟସହାୟକ ଗୋଷ୍ଠୀକୁ ଅତିଥିମାନେ ପୁରସ୍କୃତ କରିଥିଲେ । ଶେଷରେ ଶ୍ରୀମତୀ ବୀଣାପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ ଶହ ଶହ ସଂଖ୍ୟାରେ ମିଶନଶକ୍ତିର ମା’ମାନେ ଉପସ୍ଥିତ ଥିଲେ ।


