ଥଇଥାନ ପାଇଁ କୁଷ୍ଠ କଲୋନୀ ପରିବାରଙ୍କ ଗୁହାରୀ
ବାଲେଶ୍ୱର, (ସରୋଜ ପଣ୍ଡା):ସମାଜରୁ ବାସନ୍ଦ ହୋଇ ଦୀର୍ଘ ୭୦ ବର୍ଷ ଧରି ବସବାସ କରୁଥିବା ନୁଣିଆଯୋଡ଼ି କୁଷ୍ଠ କଲୋନୀ ଉଚ୍ଛେଦ ଆଦେଶକୁ ବିରୋଧ ସହ ଥଇଥାନ ପାଇଁ ଜିଲାପାଳଙ୍କ ଠାରେ ଗୁହାରୀ କରିଛନ୍ତି ୨୬ କୁଷ୍ଠ ଆକ୍ରାନ୍ତ ପରିବାର । ପୂର୍ବରୁ ଏଠାରେ ୩୫ ପରିବାର ଥିବା ବେଳେ ଏବେ ମାତ୍ର ୨୬ ପରିବାର ଥିବା ସେମାନେ କହିଛନ୍ତି । ଭିକ୍ଷାବତ୍ତି କରି ସେମାନେ ଜୀବିକା ନିର୍ବାହ କରିଆସୁଥିବା ବେଳେ ସେମାନଙ୍କୁ କେବେ ସରକାରୀ ସହାୟତା ମିଳି ନଥିବା କହିଛନ୍ତି । ତେବେ ପ୍ରଶାସନ ପକ୍ଷରୁ ଏହି କଲୋନୀ ଉଚ୍ଛେଦ ପାଇଁ ହୋଇଥିବା ନିଷ୍ପତ୍ତି ଅନୁସାରେ ସ୍ଥାନୀୟ ପୁଲିସ ଅଧିକାରୀ ସେଠାରୁ ଚାଲିଯିବା ପାଇଁ ସେମାନଙ୍କୁ ବାରମ୍ବାର ଧମକ ଦେବା ସହ ସାଦା କାଗଜରେ ସମସ୍ତଙ୍କର ଦସ୍ତଖତ ନେଇଛନ୍ତି । କୁଷ୍ଠ ପୀଡିତ ପରିବାର ସଦସ୍ୟଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ପ୍ରଦାନ ସାଙ୍ଗକୁ ଜମି ଅଧିକାର, ବାସଗୃହ ଯୋଗାଣର ପ୍ରାବଧାନ ରହିଛି । ଏହି ପରିପ୍ରେକ୍ଷୀରେ ନୁଣିଆଯୋଡ଼ି କୁଷ୍ଠ କଲୋନୀ ପରିବାରଙ୍କୁ ଥଇଥାନ ବ୍ୟବସ୍ଥା କରିବା ଅଥବା ୫୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ ସେମାନେ ଦାବି କରିଛନ୍ତି । ଏନେଇ ସେମାନେ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ଜିଲା ପରିଷଦ ସଦସ୍ୟ ବିପିନ ମାରାଣ୍ଡିଙ୍କ ସମେତ କୁଷ୍ଠ କଲୋନୀ ପରିବାରର ସୁକାନ୍ତି ସିଂ, ନେଉଳ ସିଂ, ଲକ୍ଷ୍ମୀ ସିଂ, କୁରା ସିଂ, ସାବିତ୍ରୀ ସିଂ, ରବି ସିଂ, ବାୟା ପାତ୍ର, ବିଶାଳ ସିଂ, ରାଜୁ ସିଂ, ଅଜୟ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।