ଥାନାରେ ଅଭିଯୋଗ କଲେ ଶୁଣୁ ନାହାନ୍ତି ପୋଲିସ ବାବୁ

ନାଉଗାଁ,(ଓ୍ବାଇଏନ୍ଏସ୍):ଜନସାଧାରଣଙ୍କ ସହ ସୁସମ୍ପର୍କ ସ୍ଥାପନ କରି ସମସ୍ୟା ସମାଧାନ କରିବା ପାଇଁ କାର୍ଯ୍ୟ କରୁଛି ଆମ ପୋଲିସ । ସେହିପରି ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ ଲୋକଙ୍କ ପଇସାରେ ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ଥାନା ଲୋକ ମାନଙ୍କର । ଏଠାକୁ ଯେଉଁମାନେ ଆସିବେ ସେମାନଙ୍କୁ ଭଲ ବ୍ୟବହାର ପ୍ରଦର୍ଶନ କରି ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନିଆଯିବ । ଏହିପରି ମୋ ସରକାରର ବୋର୍ଡ ଲଗାଯାଇଛି ନାଉଗାଁ ଥାନା ସମ୍ମୁଖ କାନ୍ଥରେ । କିନ୍ତୁ ସାଧାରଣ ଅଭିଯୋଗକାରୀ ଆସି ଥାନା ବାବୁଙ୍କ ଠାରୁ ଆଶିଳନ ବ୍ୟବହାର ଶୁଣୁଥିବା ବେଳେ ଦୀର୍ଘ ଦିନ ଧରି ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ପାଇ ପାରୁନାହାନ୍ତି । ଯାହାର ଫଳ ସ୍ୱରୁପ ମଙ୍ଗଳବାର ନାଉଗାଁ ଥାନା ସମ୍ମୁଖରେ ଜଣେ ଦଳିତ ମହିଳା ନ୍ୟାୟ ପାଇଁ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ନ୍ୟାୟ ନପାଇଲେ ସେଠାରୁ ଉଠିବେ ନାହିଁ ବୋଲି ଜିଦ ଧରିଥିଲେ । ପରେ ଥାନାଧିକାରୀ ଭରତ ବେହେରା,ଏସଆଇ ପ୍ରତାପ ଦାଶ ଆସି ବୁଝାଶୁଝା କରି ଯଥା ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି କହି ମହିଳା ଜଣଙ୍କୁ ଧାରଣାରୁ ଉଠାଇଥିଲେ । ଉକ୍ତ ମହିଳା ଜଣଙ୍କ ହେଲେ ନାଉଗାଁ ବ୍ଳକ ଅନ୍ତର୍ଗତ ଚାନ୍ଦଖାଁପାଟଣା ଗ୍ରାମର ବନିତା ଦାସ । ବନିତା ଜଣେ ଦଳିତ ମହିଳା । ତାଙ୍କ ଅଭିଯୋଗ ମୁତାବକ ଉକ୍ତ ଗ୍ରାମର ଅଜୟ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ତାଙ୍କ ଠାରୁ ଗାଈ ସହ ଏକ ଛୋଟ ବାଛୁରୀ ନେଇଥିଲେ । ଯାହାର ମୂଲ୍ୟ ୨୦ ହଜାର ଟଙ୍କା ଅଟେ । ଗାଈ ନେବା ଦିନ ଅଜୟ ତାଙ୍କୁ ୧୦ହଜାର ଟଙ୍କା ଦେଇଥିଲେ । ଅନ୍ୟ ୧୦ ହଜାର ପରେ ଘରେ ଆସି ଦେବା ପାଇଁ କହିଥିଲେ । ଟଙ୍କା ନଦେବାରୁ ବନିତା ଅଜୟଙ୍କ ଘରକୁ ଟଙ୍କା ପାଇଁ ଯାଇଥିଲେ । କିନ୍ତୁ ଟଙ୍କା ଦେବା ପରିବର୍ତେ ଅଜୟ ଜାତିଆଣ ଆକ୍ଷେପ କରି ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରି ତାଙ୍କୁ ଘରୁ ବାହାର କରିଦେଇଥିଲେ । ଏସଂକ୍ରାନ୍ତରେ ମହିଳା ଜଣଙ୍କ ୩୦ ଅଗଷ୍ଟ ୨୦୨୦ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘ ଦିନ ହେବ ଅଭିଯୋଗ କରିଥିଲେ ମଧ୍ୟ ମହିଳା ଜଣଙ୍କ ଥାନାରୁ ନ୍ୟାୟ ନ ପାଇବାରୁ ପୁନର୍ବାର ଥାନାକୁ ଆସିଥିଲେ । ଅଭିଯୋଗ ନେଇଥିବା ଜୈନିକ ପୋଲିସ ଅଧିକାରୀଙ୍କୁ ସାକ୍ଷାତ କରି ଅଭିଯୋଗ ସଂପର୍କରେ ପଚାରିବାରୁ ସଂପୃକ୍ତ ପୋଲିସ ଅଧିକାରୀ ଖରାପ ଭାଷାରେ ଗାଲିଗୁଲଜ କରିବା ସହିତ ଘଉଡାଇ ଥିବା ମହିଳା ଜଣଙ୍କ କହିଛନ୍ତି । ଉକ୍ତ ବ୍ୟକ୍ତିକୁ ଧରିବାରେ ଆମର ନିୟମ ନାହିଁ, ତୁ କେତେ ଦିନ ହେଲା ଗୋରୁ ବେପାର କଲୁଣି,ଏଠି ଗୋଟେ ଫାର୍ସ ଲଗାଇଛୁ ଉଠିକି ଯା ବୋଲି କହି ଘଉଡାଇ ଥିବା ମହିଳା ଜଣଙ୍କ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ଅଭିଯୋଗ ପାଇବାର ୨୪ ଘଂଟା ମଧ୍ୟରେ ଅଭିଯୋଗ ଉପରେ ତଦନ୍ତ କରାଯାଇ ମାମଲା ରୁଜୁ ହେବା କଥା । କିନ୍ତୁ ଉକ୍ତ ଦଳିତ ମହିଳାଙ୍କ କ୍ଷେତ୍ରରେ କାହିଁକି ତଦନ୍ତ କରାନଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ବିଷୟକୁ ନେଇ ଥାନା ଆଇଆଇସି ଭରତ ବେହେରାଙ୍କୁ ପଚାରିବାରୁ ଯେଉଁ ବ୍ୟକ୍ତିଙ୍କ ନାମରେ ଅଭିଯୋଗ ହୋଇଥିଲା । ତାଙ୍କ ଘରକୁ ପିସିଆର ଭ୍ୟାନ ଯାଇଛି । କିନ୍ତୁ ସେ ବ୍ୟକ୍ତିଙ୍କର ମୁଣ୍ଡ ଖରାପ ଥିବା ହେତୁ ପାଗଳ ପରି ବ୍ୟବହାର କରୁଛନ୍ତି । ସେଥିପାଇଁ ତାକୁ ଥାନାକୁ ଅଣାଯାଇ ପାରି ନଥିଲା । କିନ୍ତୁ ଉକ୍ତ ଭଦ୍ର ମହିଳା ଆଜି ସକାଳ ସମୟରେ ଥାନା ଆଗରେ ବସିବା ପଡିଥିଲେ । ଆମେ ବୁଝାଇବା ପରେ ଥାନାର ଅଭ୍ୟର୍ଥନା ଗୃହରେ ବସିରହିଥିଲେ । ଉକ୍ତ ପଂଚାୟତର ପଂଚାୟତ ସମିତି ସଭ୍ୟ ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ଆସି ଉକ୍ତ ବିଷୟକୁ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ ବୋଲି ମତବ୍ୟକ୍ତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ