ଦକ୍ଷିଣ ଓଡ଼ିଶାର ଝଡ଼ର ଇଗଲ୍ : ହରିଶ୍ଚନ୍ଦ୍ର ବକ୍ସିପାତ୍ର
(ଯୁଗାବ୍ଦ ନ୍ୟୁଜ) :ଦକ୍ଷିଣ ଓଡ଼ିଶାର ଉନ୍ନତିର କଥା ଯେତେବେଳେ ପଡ଼େ, ସେତେବେଳେ ବକ୍ସିପାତ୍ର ନାମଟି ଆଜି ମଧ୍ୟ ବହୁ ବୃଦ୍ଧ ଏବଂ ଶତାୟୁଙ୍କ ଓଠରୁ ଆପେ ଆପେ ଯୋଡ଼ି ହୋଇଯାଏ । ଦକ୍ଷିଣ ଓଡ଼ିଶାର କଥା କାହିଁକି ସମଗ୍ର ଉତ୍କଳ ପ୍ରଦେଶର ଗଠନ କଥା ସହିତ ଗୋପୀନାଥ ବକ୍ସିପାତ୍ରଙ୍କ ଅବଦାନ ସ୍ମୃତିଚାରିତ ହୋଇଯାଏ । ଆଜି ମଧ୍ୟ ଏହି ଲେଖକ ସ୍ୱଳ୍ପ ସମୟରେ ଭ୍ରମଣ ମଧ୍ୟରେ ଖଲ୍ଲିକୋଟ ଠାରୁ ଆରମ୍ଭ କରି ଅବିଭକ୍ତ ଗଞ୍ଜାମର ପାତ୍ରପୁର ଭଳି ଦୁର୍ଗମ ଅଞ୍ଚଳ ହେଉ କି ଅଧୁନା ଗଜପତି ଜିଲ୍ଲାର ସଦର ମହକୁମା ଠାରୁ କିଛି ଦୁର୍ଗମ ଅଞ୍ଚଳ ବୁଲି ବୟସ୍କଙ୍କ ସହ ଆଲୋଚନାବେଳେ ଗୋପୀନାଥ ବକ୍ସିପାତ୍ରଙ୍କ ବଦାନ୍ୟତା, ପାରଦର୍ଶିତା ସମ୍ପର୍କରେ କହିବା ପାଇଁ ଭୁଲିନାହାନ୍ତି । ସେହି ସୁଯୋଗ୍ୟ ପିତା ଓ ମାତା ଶଶିରେଖା ବକ୍ସିପାତ୍ରଙ୍କ ଔରଷରୁ ଚତୁର୍ଥ ସନ୍ତାନ ଭାବରେ ହେମନ୍ତ ଋତୁରେ ପବିତ୍ର କାର୍ତ୍ତିକ ମାସର ଅଁଳା ନବମୀ ତିଥିରେ ଆୟୁଷ୍ମାନ ଓ ସୌଭାଗ୍ୟଯୁକ୍ତ ଯୋଗରେ ଦକ୍ଷିଣ ଓଡ଼ିଶାର ଜ୍ୟୋତିଷ୍କ ହରିଶ୍ଚନ୍ଦ୍ରଙ୍କର ଜନ୍ମ । ବିଧିର ବିଚିତ୍ର ବିଧାନ କିପରି ମହତ୍ୱାକାଂକ୍ଷୀ ପୁରୁଷମାନଙ୍କ ଜୀବନଚକ୍ରକୁ ଅନୁଧ୍ୟାନ କଲେ କିଛି ମାତ୍ରାରେ ଅନୁମାନ କରିହୁଏ କିଭଳି ବିଚିତ୍ର ଯୋଗରେ ଧରାପୃଷ୍ଠକୁ ଆସନ୍ତି ଏବଂ ବିଦାୟ ନେଇଥାନ୍ତି । ହରିଶ୍ଚନ୍ଦ୍ରଙ୍କ କ୍ଷେତ୍ରରେ ତାହା ପରିଲକ୍ଷିତ ହୋଇଛି । ୧୯୩୩ ମସିହା ନଭେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିବା ଏହି ବ୍ୟକ୍ତି ଜଣକ ୨୦୦୦ ମସିହା ଅକ୍ଟୋବର ୨୭ ତାରିଖରେ ଧରାପୃଷ୍ଠରୁ ବିଦାୟ ନେଇଥିଲେ ।
ଗରିବ-ଦରଦୀ ଜମିଦାର ପରିବାରରେ ଜନ୍ମିତ ହରିଶ୍ଚନ୍ଦ୍ର ଅବିଭକ୍ତ ଗଞ୍ଜାମ ଓ ତାହାର ପଡ଼ୋଶୀ ଜିଲ୍ଲା ଅବିଭକ୍ତ କୋରାପୁଟରେ ଲାଳିତ ପାଳିତ ହୋଇଥିଲେ । ୨୬ବର୍ଷ ବୟସରେ ୧୯୫୯ ମସିହାରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିରେ ପାଦ ଥାପି ଏଆଇଏସ୍ଏାଫର ସମଗ୍ର ଓଡ଼ିଶାର ଛାତ୍ରନେତା ଭାବରେ ନିଜ ଦକ୍ଷତାକୁ ପ୍ରତିପାଦିତ କରିପାରିଥିଲେ । ସର୍ବଦା ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଯଦିବା ଗୋଟିଏ ଅଶୋଭନୀୟ ଆଞ୍ଚଳିକ ବୈଷମ୍ୟ ଲାଗି ରହିଥାଏ, ସେହି ପରିସ୍ଥିତିରେ ମଧ୍ୟ ଦକ୍ଷିଣ ଓଡ଼ିଶା ମାଟିରେ ଜନ୍ମ ହୋଇଥିବା ହରିଶ୍ଚନ୍ଦ୍ର ବକ୍ସିପାତ୍ର ରେଭେନ୍ସା ଭଳି ବିଶ୍ୱବିଦ୍ୟାଳୟରେ ଦୁଇ ଦୁଇ ଥର ସଭାପତି ରୂପେ ନିଜ ରାଜନୈତିକ ଦକ୍ଷତା ପ୍ରତିପାଦନ କରିପାରିଥିଲେ । କଟକ ପୌର ପରିଷଦରେ ନିଜକୁ ପୌରପରିଷଦର ସଭ୍ୟ ଭାବରେ ନିର୍ବାଚିତ କରାଇ ପାରିଥିଲେ ।
ପରବର୍ତ୍ତୀ କ୍ଷେତ୍ରରେ ସୁପ୍ରସିଦ୍ଧ ଆଇନଜୀବୀ ଭାବରେ ଦକ୍ଷିଣ ଓଡ଼ିଶାର ଗରିବ ଜନତାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିଲେ । ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାର ଆଦିବାସୀମାନେ କିଭଳି ଉନ୍ନତରୁ ଉନ୍ନତ ସାମାଜିକ ସେବା ପାଇପାରିବେ ସେଥିସକାଶେ ନିଜକୁ ଉତ୍ସର୍ଗୀକୃତ କରିଦେଇଥିଲେ । ଜଣେ ବରିଷ୍ଠ ଆଇନଜୀବୀଙ୍କ ସହ ସୁନାବେଡ଼ା ଠାରେ ଆଲୋଚନାବେଳେ କହିଥିଲେ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ମୁଖରେ ରହିଥିଲା ଆଇନ୍ ବହି । ତାଙ୍କରି ସମୟରେ ଉପୁଜିଥିବା ଏକ ବିବାଦର ଛନ୍ଦି ହୋଇଥିବା ଜଣେ ମହକିଲଙ୍କ ବୟାନ ପ୍ରତିପାଦିତ କରିଥିଲା କିଭଳି ସେ ବିଚକ୍ଷଣ ଆଇନଜୀବୀ ଥିଲେ । ତାହାଙ୍କ କଥା ଏଭଳି ଥିଲା “ସମସାମୟିକ ୨-୩ ଆଇନଜୀବି ସେହି ମାମଲା ପାଇଁ ପ୍ରଯୁଜ୍ୟ ଧାରାକୁ ଖୋଜୁଥିବାବେଳେ ଶ୍ରୀ ହରିଶ୍ଚନ୍ଦ୍ର ବହିର ପୃଷ୍ଠା ସହ କେଉଁ ଧାଡ଼ିରେ ଉପଲବ୍ଧ ତାହା ସର୍ବ ସମ୍ମୁଖରେ ପ୍ରକାଶ କରି ବିଚାରପତିଙ୍କୁ ନିଜପକ୍ଷକୁ ନେବାସହ ହତଚକିତ କରିଦେଇଥିଲେ ।
୨-୩ଜଣ ଅନୁଗତଙ୍କୁ ସାଥୀରେ ନେଇ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ପାଦରେ ଚାଲି ଚାଲି ଲୋକଙ୍କ ସମସ୍ୟା ଶୁଣି ସମାଧାନ କରିବା ପାଇଁ ଥରେ ଘରୁ ବାହାରିଲେ ପୁଣି ଘରେ ପହଞ୍ôଚଲାବେଳକୁ ବିତିଯାଉଥିଲା ୫୦ରୁ ୬୦ଦିନ । ସମସ୍ୟାର ସମାଧାନ କରିବାରେ ଏତେ ବଳିଷ୍ଠ ଥିଲେ ଯେ ପୁଣି କେବେ ବକ୍ସିବାବୁ ଗାଁରେ ପାଦ ପକେଇବ ଚାହିଁ ରହୁଥିଲେ । ଗାଁରୁ ବିଦାୟ ଦେଲାବେଳେ ପାଟିରୁ ବାହାରି ପଡ଼ୁଥିଲା “ତୁଇ କେବେ ଆସିବୁ ଯେ…” ବିନା ପାରିଶ୍ରମିକରେ ବିନା କୌଣସି ଲାଭାଂଶରେ ସେବା ପ୍ରଦାନ କରି ଆସିଥିବା ବକ୍ସିବାବୁ ଏବେ ମଧ୍ୟ ବୟସ୍କ ଆଦିବାସୀମାନଙ୍କ ମନ ହୃଦୟରେ ରହିଛନ୍ତି । ଅଧୁନା ଦଶମନ୍ତ ପୁର ବ୍ଲକର ଗ୍ରାମାଞ୍ଚଳରେ ଥିବା ବୟସ୍କଙ୍କ ମୁଖରୁ ଶୁଣିବାକୁ ମିଳୁଛି “ବକ୍ସିବାବୁ ଆମ ଭଗବାନ ଥିଲା ।’
୧୯୭୪ ମସିହାରେ କୋରାପୁଟ ବିଧାନସଭାରୁ ବିଧାୟକ ରୂପେ ନିର୍ବାଚିତ ହେବାସହ କୋରାପୁଟ ବିକାଶ ପାଇଁ, ଆଦିବାସୀଙ୍କ ହକ୍ ସକାଶେ ଶାଣିତ ସ୍ୱରରେ ଓଡ଼ିଶା ବିଧାନସଭାରେ ଲଢ଼େଇ କରିବାର ସୁଯୋଗ ପାଇବା ସହ ପଦ ମର୍ଯ୍ୟାଦାକୁ ସମଗ୍ର ଦକ୍ଷିଣ ଓଡ଼ିଶାର ବିକାଶ ପାଇଁ ନିୟୋଜିତ କରିଦେଇଥିଲେ । ବିଚକ୍ଷଣ ବୁଦ୍ଧି, ତ୍ୱରିତ ଉପସ୍ଥିତ ଜ୍ଞାନ ଦିନେ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ରଙ୍କୁ ଓଡ଼ିଶାର ପ୍ରବାଦ ପୁରୁଷ ବିଜୁବାବୁଙ୍କ ହୃଦୟରେ ଗଭୀର ଆସ୍ଥାନ ଜମାଇ ଦେଇଥିଲା ।
ଦଶମନ୍ତ ପୁର ବ୍ଲକ ଗଠନ ସହ, ଦଶମନ୍ତପୁର ଅଞ୍ଚଳର ରାସ୍ତାଘାଟର ବିକାଶର ଜନକ ବକ୍ସିବାବୁ ବୋଲି କହନ୍ତି ବୟୋବୃଦ୍ଧିମାନେ । ଆଲୋଚନା ସମୟରେ କୋରାପୁଟିଆ ଭାଷାରେ ଦଶମନ୍ତପୁରର ଜନୈକ ବୃଦ୍ଧ ବୁଦ୍ଧିଜୀବୀ କୁହନ୍ତି “ରାସ୍ତା ନଥିଲା ଗାଁକୁ । କୋରାପୁଟରୁ ଦଶମନ୍ତ ପୁର ଦୁର୍ଗମ ପଥରେ ପାଦଚଲା ପଥରେ ଯିବାକୁ ପଡ଼ୁଥିଲା । ହରି ବକ୍ସି ଯେଉଁଦିନ ବଡ଼ ମନ୍ତରୀ ହେଲା ୪-୫ଟି ବୁଟସୁଟ ପିନ୍ଧା ଲୋକଙ୍କୁ ଧରି ପାଦରେ ଚାଲି ଚାଲି ଆସିଥିଲା, ଲମ୍ବା ଲମ୍ବା ପାଦ ପକେଇ ଏମିତି ଚାଲୁଥିଲା ଯେ, ସାଙ୍ଗରେ ଆସିଥିବା ବାବୁମାନେ ହାଲିଆ ହୋଇଯାଉଥିଲେ । ଆମ ବାବୁ ମନ୍ତରୀନା ସେମାନେ କିଛି ନକହି ହାଲିଆ ହେଇ ଚାଲିକି ଆସିଥିଲେ, ଏହି ପାହାଡ଼ ବଡ଼ ପାକନା ଉପରେ ବସି ଆମ ମନ୍ତରୀ କହୁଥିଲା କିମିତି ବାଟହେବ ଦେଖେ । କିଛି ବୁଦ୍ଧି ଦିଶୁନଥିଲା ଯୁଆଡ଼େ ମିଶା ଖାଲି ବେଶୀ ବଣ ଆଉ ପଥର । ଶେଷରେ ମନ୍ତରୀର ପାଖେ ପାଖେ ରହୁଥିବା ଲୋକ… କହିଥିଲା ଯେମିତି ଆସିଲେ ସେଇଟାକୁ କା ବାଟ ବନେଇଦେ ।’ କିଛିଦିନ ଭିତରେ କୋରାପୁଟକୁ ଦଶମନ୍ତ ପୁର ରାସ୍ତା ହେଲା । ଲୋକଙ୍କ ଗମନାଗମନର ସୁବିଧା ହେଲା ଖାଲି ଦଶମନ୍ତପୁର ନୁହେଁ, ସାରା କୋରାପୁଟର ଅନେକ ରାସ୍ତା ତିଆରିରେ ହରିଶ୍ଚନ୍ଦ୍ର ବକ୍ସପାତ୍ରଙ୍କ ଅବଦାନ ।
ଦକ୍ଷିଣ ଓଡ଼ିଶାର ଯେକୌଣସି ବ୍ୟକ୍ତି ଯେତେବଡ଼ ଯାହା କାମ ଧରି ବକ୍ସିବାବୁଙ୍କ ଦାଣ୍ଡଦୁଆରକୁ ଯାଇଛି ସେ ବିନା ସମାଧାନରେ କିମ୍ବା ଖାଲି ହାତରେ ଫେରିନି । ଅନେକ ଯୁବକଙ୍କୁ ଆୟର ପନ୍ଥା ଦେବା ସହ ଦକ୍ଷିଣ ଓଡ଼ିଶା ସର୍ବୋପରି ଅବିଭକ୍ତ କୋରାପୁଟ ଜିଲ୍ଲାର ଅନେକ ଗରିବକୁ ବିନା ମୂଲ୍ୟରେ ବାସସ୍ଥାନ ସହ ବହୁ ସରକାରୀ ଅନୁଷ୍ଠାନକୁ ନିଜ ସ୍ୱଅର୍ଜିତ ଭୂ-ସମ୍ପତ୍ତି ପ୍ରଦାନ କରିଛନ୍ତି । ଏଭଳି ଅନେକ ଉଦାହରଣ ରହିଥିବା ବୟୋବୃଦ୍ଧଙ୍କ ମୁଖରୁ ଶୁଣିଛି । ସବୁକିଛି ଉପସ୍ଥାପନ କରିବାରେ ସଂକ୍ଷିପ୍ତରେ ଏହି ସ୍ୱଳ୍ପ ଜ୍ଞାନ ସମ୍ପନ୍ନ ଲେଖକ ପାଖରେ ସମ୍ଭବ ହୋଇପାରିନି । ଯେତେ ଆଲୋଚନା କରିଛି ତାହାକୁ ଅନୁଶୀଳନ କଲେ ଶ୍ରୀଯୁକ୍ତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କୁ ଦକ୍ଷିଣ ଓଡ଼ିଶାର ଝଡ଼ର ଇଗଲ କିମ୍ବା ଦକ୍ଷିଣ ଓଡ଼ିଶାର ପ୍ରବାଦ ପୁରୁଷ କହିଲେ ଅତ୍ୟୁକ୍ତି ହେବନାହିଁ ।


