ଦଣ୍ଡବିଧାନ ୧୦୦ରେ ୧
ଏଥିରେ ଦ୍ୱିମତ ନାହିଁ ଯେ, ଏବେ ପ୍ରବର୍ତନ ନିର୍ଦ୍ଦେଶାଳୟ(ଇଡି) ସିବିଆଇ ଏବଂ ଭିଜିଲାନ୍ସର ଚଢାଉ କେବଳ ପ୍ରତିଦିନ ଗଣମାଧ୍ୟମର ଶିରୋନାମା ପାଲଟି ନାହିଁ, ଦିନକୁ ଦିନ ମଧ୍ୟ ବଢିଚାଲିଛି । ମାମଲା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି କିନ୍ତୁ ଯେଉଁ ଅନୁପାତରେ ମାମଲା ସଂଖ୍ୟା ବଢିଚାଲିଛି, ଅଭିଯୁକ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି, ସେହି ଅନୁପାତରେ ମାମଲାଗୁଡିକର ଫଇସଲା ହୋଇପାରୁନାହିଁ କି ଅଭିଯୁକ୍ତ ବିରୁଦ୍ଧରେ ଦଣ୍ଡବିଧାନ ହୋଇପାରୁନାହିଁ । ଯାହାକି ଏବେ କେନ୍ଦ୍ରୀୟ ଏବଂ ରାଜ୍ୟ ଏଜେନ୍ସିଗୁଡିକର ସଫଳତା ହାର ପ୍ରଶ୍ନବଚୀ ସୃଷ୍ଟି କରିଛି ବୋଲି କୁହାଯାଇପାରେ । ନିକଟରେ ପାର୍ଲିଆମେଂଟରେ କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଏକ ପ୍ରଶ୍ନର ଉତରରେ ଯାହା କହିଛନ୍ତି, ତାହା ଇଡି’ର ସଫଳତା ହାର ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ୱାଭାବିକ । ଅର୍ଥରାଷ୍ଟ୍ରମନ୍ତ୍ରୀ କହିଛନ୍ତି ଯେ, ଗତ ୧୦ବର୍ଷ ମଧ୍ୟରେ ଇଡି ବିଭିନ୍ନ ରାଜନୈତିକ ଦଳ ବିଶେଷ କରି ରାଜନେତାଙ୍କ ବିରୁଦ୍ଧରେ ୧୯୩ଟି ମାମଲା ରୁଜୁ କରିଛି । ମାତ୍ର ଏହି ମାମଲା ମଧ୍ୟରୁ ମାତ୍ର ଦୁଇଟିରେ ଦଣ୍ଡବିଧାନ କରାଯାଇଛି । ଯାହାକି ଦଣ୍ଡବିଧାନ ହାର ମାତ୍ର ୧ପ୍ରତିଶତ । ଉଲ୍ଳେଖଯୋଗ୍ୟ ଯେ, ଆୟ-ବର୍ହିଃଭୂତ ସମ୍ପତି ଠୁଳ ତଥା ଦୁର୍ନୀତି ଅଭିଯୋଗରେ ଇଡି ଚଢାଉ କରି ମାମଲା ରୁଜୁ କରିଛି । ଅପରପକ୍ଷରେ ଇଡିକୁ ଅସ୍ତ୍ର କରି ବିରୋଧି ଦଳଗୁଡିକୁ ନିନ୍ଦିତ କରିବା ପାଇଁ କେନ୍ଦ୍ର ସରକାର ଜାଣିଶୁଣି ଚଢାଉ କରୁଥିବା ବିରୋଧି ଦଳଗୁଡିକ ଅଭିଯୋଗ କରି ଆସୁଛନ୍ତି । କେନ୍ଦ୍ରରେ ବିଜେପି ନେତୃତ୍ୱରେ କ୍ଷମତାସୀନ ଏନଡିଏ ତଥା ମୋଦୀ ସରକାରଙ୍କର ପ୍ରଥମ ପାଳି ଶେଷ ଚାରିବର୍ଷରେ ଆୟବର୍ହିଃଭୂତ ତଥା ବେଆଇନ ଭାବେ ସମ୍ପତି ଅର୍ଜନ କରିଥିବା ଅଭିଯୋଗରେ ବିରୋଧି ଦଳର ରାଜନେତାଙ୍କ ବିରୁଦ୍ଧରେ ଚଢାଉ କରି ୪୨ଟି ମାମଲା ରୁଜୁ କରିଥିବାବେଳେ ୨୦୧୯ରୁ ୨୦୨୪ ମଧ୍ୟରେ ଦ୍ୱିତୀୟ ପାଳିରେ ୧୩୮ଟି ମାମଲା ରୁଜୁ କରିଥିଲା । ମାମଲାଗୁଡିକୁ ବଳିଷ୍ଠ କରାଇବା ତଥା ପ୍ରମାଣିତ କରାଇବା ପାଇଁ ଇଡି କ୍ଷତ୍ପରୋନାସ୍ତି ପ୍ରୟାସ କରିଥିଲେ ମଧ୍ୟ ଅଦାଲତରେ ତାହା ପ୍ରମାଣିତ କରିପାରିନାହିଁ । ଫଳସ୍ୱରୁପ ୧୯୩ଟି ମାମଲାରେ ମାତ୍ର ୨ଟିରେ ଅଦାଲତରେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡିତ କରାଇବାରେ ସମର୍ଥ ହୋଇଛି । କେବଳ ଇଡି ନୁହେଁ, ସିବିଆଇ ମଧ୍ୟ ରୁଜୁକରିଥିବା ମାମଲାରେ ଦଣ୍ଡ ବିଧାନ ହାର କମ୍ ରହିଥିବା ନିର୍ଦ୍ଦୋଷ ପ୍ରମାଣିତ ହାର ଅଧି ଥିବା ଜଣାଯାଏ । ସେହିପରି ରାଜ୍ୟସ୍ତରରେ ଆୟ ବର୍ହିଭୂତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସର ଚଢାଉ ଓ ମାମଲା ରୁଜୁ ସଂଖ୍ୟା ବଢିଚାଲିଥିବା ବେଳେ ନିର୍ଦ୍ଧୋଷ ପ୍ରମାଣିତ ହାର ତୁଳନାରେ ଦୋଷୀ ସାବ୍ୟସ୍ତ ଏବଂ ଦଣ୍ଡବିଧାନ ହାର ବହୁତ କମ ରହିଛି । ଓଡିଶା ବିଧାନସଭାରେ ମୁଖ୍ୟମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ ୨୦୧୪ରୁ ୨୦୨୫ ମଧ୍ୟରେ ଭିଜିଲାନ୍ସ ଦୁର୍ନୀତି ଅଭିଯୋଗର ୩୬୨୩ଟି ମାମଲା ରୁଜୁ କରିଥିବାବେଳେ ୨୫୫୩ଟି ଫଇସଲା ହୋଇଛି । ସେହିପରି ୯୩୯ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ ୧୦୫୩ଟି ମାମଲା ଅଭିଯୁକ୍ତ ନିର୍ଦ୍ଧୋଷ ପ୍ରମାଣିତ ହୋଇଛନ୍ତି । କେବଳ ଏତିକି ନୁହେଁ, ଭିଜିଲାନ୍ସ ମାମଲାର ତଦନ୍ତ ପାଇଁ ସ୍ୱତନ୍ତ୍ର ଅଦାଲତ ଥିବା ସତ୍ୱେ ଶୁଣାଣୀରେ ମନ୍ଥରତା ଦୁର୍ନୀତିଗ୍ରସ୍ତଙ୍କୁ ଭୟ ଶୂନ୍ୟ କରିଦେଇଛି ବୋଲି କହିଲେ ଅତିରଂଜିତ ହୋଇନପାରେ । ଏହା ନିସନ୍ଦେହ ଯେ, ଇଡି ହେଉ ବା ଭିଜିଲାନ୍ସ ହେଉ, ଏହାର ଦୁର୍ବଳ ତଦନ୍ତ ଅତ୍ୟନ୍ତ ବିସ୍ମୟଜନକ ମନେହୁଏ । ଏହାର କାରଣ ହେଉଛି ପ୍ରତ୍ୟେକ ଭାରତୀୟ ସାଧାରଣ ଜୀବନରେ ଦୁର୍ନୀତି ଦୃଢ ଭାବେ ବସା ବାନ୍ଧି ରହିଛି । କେବଳ ଏତିକି ନୁହେଁ, ଦୁର୍ନୀତିର ଚେର ମଧ୍ୟ ଲମ୍ବି ଚାଲିଛି । ଏଥିପାଇଁ ଇଂଟରନ୍ୟାଶନାଲ କରେପସନ ଫରସେପସେନ ଇଣ୍ଡେକ୍ସ-୨୦୨୪ ସ୍ୱଚ୍ଛତା ରିପୋର୍ଟରେ ତାଲକାରେ ୯୬ତମ ସ୍ଥାନରେ ଭାରତ ରହିଛି । ବର୍ଷକ ପୂର୍ବରୁ ଭାରତ ତାଲିକାର ୯୩ତମ ସ୍ଥାନରେ ରହିଛି । ଇଡି, ସିବିଆଇ ଭିଜିଲାନ୍ସର ଲଗାତାର ଚଢାଉ ସତ୍ୱେ ଦେଶରେ ଦୁର୍ନୀତି କମିବା ପରିବର୍ତେ ବଢିଚାଲିଛି । ଏହା ହିଁ ରିପୋର୍ଟ ପ୍ରମାଣିତ କରେ । ଦୁର୍ନୀତୀ ବିରୋଧି ଏଜେନ୍ସୀଗୁଡିକ ଚଢାଉ କେବଳ ଲୋକଦେଖାଣିଆ ଏବଂ ବାହାବା ନେବା ପାଇଁ ବୋଲି କୁହାଯାଇପାରେ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା)
ସମ୍ମାନ ଭବନ