ଦରବୃଦ୍ଧି-ଉତ୍କଟ ବେକାରୀକୁ ନେଇ ଜିଲା କଂଗ୍ରେସର ବିକ୍ଷୋଭ
ବାଲେଶ୍ୱର, (ସରୋଜ ପଣ୍ଡା) : ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶଛୁଆଁ ଦରବୃଦ୍ଧି ଓ ଉତ୍କଟ ବେକାରୀ ସମସ୍ୟାକୁ ନେଇ କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶିତ ହେଉଥିବା ବେଳେ ବାଲେଶ୍ୱରରେ ମଧ୍ୟ ଅନୁରୂପ ପ୍ରତିଫଳନ ପରିଲକ୍ଷିତ ହୋଇଛି । ଅଖିଳ ଭାରତୀୟ କଂଗ୍ରେସ କମିଟିର ନିଷ୍ପତ୍ତି ତଥା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶକ କ୍ରମେ ବାଲେଶ୍ୱରରେ କଂଗ୍ରେସ କର୍ମୀମାନେ ଶୁକ୍ରବାର ଜିଲାପାଳଙ୍କ ଅଫିସ ଘେରାଓ କରିଥିଲେ । ଏହି ପରିପ୍ରେକ୍ଷୀରେ ଗାନ୍ଧୀସ୍ମୃତି ଭବନରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା ସହ ଆସି ଜିଲାପାଳଙ୍କ କାର୍ଯର୍୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେଠାରେ ଆୟୋଜିତ ପ୍ରତିବାଦ ସଭାରେ ଜିଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରି ସଭାପତିତ୍ୱ କରିବା ସହିତ ସାମ୍ପ୍ରତିକ ଦେଶର ଅଚଳାବସ୍ଥାକୁ ନେଇ ଉଭୟ ମୋଦି ଓ ନବୀନ ସରକାରକୁ ଦାୟୀ କରିଥିଲେ । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଆକାଶଛୁଆଁ ବଢ଼ି ଚାଲିଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ଧାରଣର ମାନ ହ୍ରାସ ପାଇବାରେ ଲାଗିଛି । ଏଭଳି ସ୍ଥିତି କେନ୍ଦ୍ର ସରକାର ମୁଢ଼ି ଉପରେ ଭାଟ ଲାଗୁ କରିବା କେଉଁ ନ୍ୟାୟର ବୋଲି ସେ ପ୍ରଶ୍ନ କରିଥିଲେ । ଏଥିରେ ପୂର୍ବତନ ବିଧାୟକ ଚିତ୍ତରଂଜନ ଷଡ଼ଙ୍ଗୀ ଓ ସୁରେନ୍ଦ୍ର ପରମାଣିକ, ପିସିସି ସମ୍ପାଦକ ସତ୍ୟଶିବ ଦାସ, ବିଜନ ନାୟକ, ମହିଳା କଂଗ୍ରେସ ଜିଲା ପ୍ରଜ୍ଞାପାରମିତା ମହାନ୍ତି, ବିକାଶ ଦାସ, ଗୋପୀନାଥ ପାଢ଼ୀ, ବାସନ୍ତି ସାମଲ, ରଞ୍ଜନ ଦାସ, ଦେବଦତ୍ତ ଦାସ, ଗୌତମ ସାହୁ, ଜ୍ୟୋତ୍ସ୍ନା ସେନାପତି, ତରୁଣ ଦାସ ପ୍ରମୁଖ କଂଗ୍ରେସ ନେତାମାନେ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେପି ଓ ବିଜେଡି ସରକାରଙ୍କ ଜନମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ।ଦରବୃଦ୍ଧ ଓ ବେକାରୀ ସମସ୍ୟା ପ୍ରତି ଗୁରୁତ୍ୱ ନ ଦେଇ ଇଡି ଓ ସିବିଆଇକୁ ହାତବାରିସି କରି ଅନ୍ୟାନ୍ୟ ଦଳର ନେତାଙ୍କ ଉପରେ ଭିତ୍ତିହୀନ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସାମ୍ବିଧାନକୁ ଅବମାନନା କରାଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ । ଆଗାମୀ ଦିନରେ ଦେଶବାସୀ ତଥା ଓଡ଼ିଶାବାସୀ ଏହାର ଉଚିତ ଜବାବ ଦେବେ ବୋଲି କଂଗ୍ରେସ ନେତାମାନେ ଚେତାବନୀ ଦେଇଥିଲେ । ଏହି ଅବସରରେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ୨ଶହରୁ ଅଧିକ କଂଗ୍ରେସ କର୍ମୀଙ୍କୁ ପୁଲିସ ଗାଡ଼ିରେ ନେଇ ଅନ୍ୟତ୍ର ଛାଡ଼ିଦେଇଥିଲା । ଜିଲା କଂ୍େରସ କମିଟି, ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସର କର୍ମକର୍ତ୍ତା ତଥା ବହୁ ସଦସ୍ୟ ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ସାମଲି ହୋଇଥିଲେ ।


