ଦରମା ନ ପାଇ ଦହଗଞ୍ଜରେ ଶ୍ରମିକ, ଜନଶୁଣାଣୀ ପାଇଁ କମ୍ପାନୀ ହେଉଛି ସଜବାଜ

ଯୋଡ଼ା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତ ରୋଇଡା ପଞ୍ଚାୟତରେ ଥିବା ଓଏମଡିସି କମ୍ପାନୀର ଭଦ୍ରାସାହି ଲୌହ ଓ ମାଙ୍ଗାନିଜ ଖଣି ଦୀର୍ଘ ୧୫ ବର୍ଷ ଧରି ବନ୍ଦ ପଡ଼ିଛି। ଲିଜଧାରି ଓଏମଡିସି କମ୍ପାନୀର ପ୍ରାୟ ୯୯୮.୭୦ ହେକ୍ଟର ପରିମିତ ଏହି ବୃହତ୍ ଖଣି ଏକଦା ଖଣି ଅଞ୍ଚଳର ଅଧିବାସୀଙ୍କୁ ରୋଜଗାର ଦେଇ ଆସୁଥିଲା। ହଜାର ହଜାର ଶ୍ରମିକ ଏହି ଖଣିରେ କାର୍ଯ୍ୟରତ ଥିଲେ। ୨୦୧୦ ମସିହାରୁ ବିଭିନ୍ନ ବୈଧାନିକ କାରଣ ବଶତଃ ଏହି ଖଣି ବନ୍ଦ ହୋଇ ଯାଇଥିଲା। ତେଣେ ଏହି ଖଣିରେ ଅନିୟମିତତା ହୋଇଥିବା ହେତୁ ସେଣ୍ଟ୍ରାଲ ଏମପାୱାର କମିଟି (ସିଇସି) ତଦନ୍ତରେ ଜାଣିବାକୁ ପାଇଥିଲା। ଅଦାଲତ ଦ୍ଵାରା ଖଣି କମ୍ପାନୀ ଠାରୁ ଜୋରିମାନା ମଧ୍ୟ ଆଦାୟ ହୋଇଥିଲା। ଏହି ଖଣିକୁ ପୁନର୍ବାର ଚଳାଇବା ପାଇଁ ସରକାରୀ ନିୟମ ଅନୁଯାୟୀ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ଵାରା ମାର୍ଚ୍ଚ ୨୬ ତାରିଖ ଦିନ ଜନଶୁଣାଣୀର କାର୍ଯ୍ୟକ୍ରମ ରହିଛି। ତେଣେ ଗଣମାଧ୍ୟମ ଆଗରେ ଖଣିର ଶ୍ରମିକ ସଂଘ ନେତା ଇନ୍ଦ୍ରମଣି ବେହେରା ଅଭିଯୋଗରେ କହିଛନ୍ତି ଯେ,ଠାକୁରାଣୀ ଓ ରୋଇଡା ଖଣିରେ ୧୩୦ ସ୍ଥାୟୀ ଶ୍ରମିକ କାର୍ଯ୍ୟ କରୁ ଅଛନ୍ତି। ୨୦୨୪ ଅଗଷ୍ଟ ମାସରୁ ଦରମା ନ ପାଇ ଆନ୍ଦୋଳନରେ ବସିଛନ୍ତି। ଦୀର୍ଘ ୮ ମାସର ଦରମା ପାଇ ନ ଥିବା ବେଳେ କିଛି ଦିନ ପୂର୍ବେ କେବଳ ଗୋଟିଏ ମାସର ଦରମା କର୍ମଚାରୀ ମାନଙ୍କୁ ଦିଆଯାଇଛି। ସେଥିମଧ୍ୟରୁ କିଛି ଠିକା ଶ୍ରମିକ ଏଯାବତ୍ ଦରମା ପାଇ ପାରି ନାହାଁନ୍ତି। କମ୍ପାନୀ କର୍ତ୍ତୃପକ୍ଷ ଆନ୍ଦୋଳନରୁ ଓହରିବା ପାଇଁ ବାରମ୍ବାର ଆନ୍ଦୋଳନକାରୀ ଶ୍ରମିକଙ୍କୁ ଚାପ ପକାଉଛନ୍ତି ଏବଂ ଏହାର ସମାଧାନ ଖଣି କମ୍ପାନୀ କରୁ ନ ଥିବା ବେହେରା କହିଛନ୍ତି। ବେହେରା ଅଧିକ ସୂଚନା ଦେଇ କହିଛନ୍ତି ଯେ,୧୯୯୩ ମସିହାରେ କେନ୍ଦ୍ର ସରକାରଙ୍କ ଏକ ଗାଇଡ ଲାଇନ ଅନୁଯାୟୀ, ମୂଲ୍ୟବାନ ମାଙ୍ଗାନିଜ ଖଣିରେ ଠିକା ଶ୍ରମିକ ନିୟୋଜିତ କରି ଖଣିଜ ଉତ୍ତୋଳନ କରାଯାଇ ପାରିବ ନାହିଁ। ଏହାକୁ ଦୃଷ୍ଟିରେ ରଖି ଓଏମଡିସି ଖଣି କମ୍ପାନୀ ଠିକା ଶ୍ରମିକଙ୍କୁ ସ୍ଥାୟୀ ଭାବେ ନିଯୁକ୍ତି ଦେଇଥିଲା। ହେଲେ ଏହି ଗାଇଡ ଲାଇନ ବଳବତ୍ତର ଥିବା ବେଳେ କମ୍ପାନୀ କିପରି ଏକ ଘରୋଇ ଠିକା ସଂସ୍ଥା ଜରିଆରେ ଅସ୍ଥାୟୀ ଶ୍ରମିକ ନିୟୋଜିତ କରିବ ଏହା ଉପରେ ବେହେରା ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ଦୀର୍ଘ ୮ ମାସ ଧରି ଶ୍ରମିକ ଓ କର୍ମଚାରୀଙ୍କୁ ଦରମା ଦେଇ ପାରୁ ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଜନଶୁଣାଣୀରେ ଜନ ସମର୍ଥନ କିପରି ପାଇବ ଏନେଇ ଆନ୍ଦୋଳନରତ ଶ୍ରମିକ ମାନେ ପ୍ରଶ୍ନ କରିଛନ୍ତି। ଗତ ମାର୍ଚ୍ଚ ମାସ ୩ ତାରିଖ କମ୍ପାନୀ କତୃପକ୍ଷଙ୍କୁ ରିଜିଓନାଲ ଲେବର କମିସନର ରାଉରକେଲା, ଡକାଇବା ସତ୍ତ୍ୱେ ମଧ୍ୟ ସେମାନେ ଯାଇ ନ ଥିଲେ। ପୁନଃ ମାର୍ଚ୍ଚ ୮ ତାରିଖ ଆଲୋଚନା ପାଇଁ ଆରଏଲସି ଡାକିଥିଲେ ହେଁ ଏଥିରେ କୌଣସି ଫଳାଫଳ ମିଳିପାରି ନ ଥିଲା ବୋଲି ଆନ୍ଦୋଳନକାରୀ ଶ୍ରମିକ କହିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କେନ୍ଦୁଝର ସାଂସଦ ଅନନ୍ତ ନାଏକ ଗତ ୨୦ ତାରିଖରେ ନୂଆ ଦିଲ୍ଲୀ ଠାରେ ଇସ୍ପାତ ଓ ଭାରୀ ଶିଳ୍ପମନ୍ତ୍ରୀ ଏଚ. ଡି କୁମାର ସ୍ବାମୀଙ୍କୁ ସାକ୍ଷାତ କରି ଲିଖିତ ଭାବେ ଜଣାଇଛନ୍ତି। ଉକ୍ତ ଚିଠିରେ ସାଂସଦ ଦର୍ଶାଇଛନ୍ତି ଯେ, ଶ୍ରମିକ ଓ କର୍ମଚାରୀ ମାନଙ୍କୁ ଦରମା ମିଳୁ ନ ଥିବାରୁ ସେମାନେ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି। ଏଥିରେ ଇସ୍ପାତ ମନ୍ତ୍ରଣାଳୟର ହସ୍ତକ୍ଷେପର ଆବଶ୍ୟକତା ରହିଛି ବୋଲି ସାଂସଦ ନାଏକ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି। ଦରମା ନ ପାଇ ଅର୍ଥ ଅଭାବରୁ ଦହଗଞ୍ଜରେ ଶ୍ରମିକ ମାନଙ୍କର ଅବସ୍ଥା ଶୋଚନୀୟ ହେଲାଣି ବୋଲି ସ୍ଥାନୀୟ ଭୂୟାଁ ରୋଇଡା ସରପଞ୍ଚ ତୁଳସୀ ବବଙ୍ଗା କହିଛନ୍ତି। ଏଣୁ ଏହି ଜନଶୁଣାଣୀକୁ ପଞ୍ଚାୟତବାସୀ ବିରୋଧ କରୁଛନ୍ତି। ଜନ ଶୁଣାଣି ସମ୍ପର୍କିତ କୌଣସି ସୂଚନା କେନ୍ଦୁଝର ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ପ୍ରଶାନ୍ତ କର ଙ୍କ ଠାରୁ ମିଳି ପାରି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ