ଦଳିତ ମହିଳାଙ୍କୁ ନ୍ୟାୟ ନ ମିଳିବାରୁ ଥାନା ସମ୍ମୁଖରେ ଧାରଣା
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ଥାନା ଅନ୍ତର୍ଗତ ମଠସାହି ଗ୍ରାମର ଜଣେ ଦଳିତ ବିଧବା ମହିଳା ଥାନାରୁ ନ୍ୟାୟ ନ ପାଇବାରୁ ସୋମବାର ଥାନା ସମ୍ମୁଖରେ ଧାରଣାରେ ବସି ରହିଥିଲେ । ଦଳିତ ମହିଳା ବନି ଭୋଇଙ୍କ ଅଭିଯୋଗ ମୁତାବକ ତାଙ୍କ ଛେଳି ପଡୋଶୀଙ୍କ ଫସଲ ଖାଇବାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଫସଲ ଖାଇବାକୁ ନେଇ ପଡୋଶୀ ମହିଳା ବନିଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ଜାତିଆଣ ଆକ୍ଷେପ କରିଥିଲେ । ଏସଂକ୍ରାନ୍ତରେ ବନି ଏକ ସପ୍ତାହ ହେବ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ତେଣୁ ନ୍ୟାୟ ପାଇବା ପାଇଁ ବନି ଥାନା ସମ୍ମୁଖରେ ବସିଥିଲେ । ଘଟଣାସ୍ଥଳରେ ଥାନା ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡା ପହଂଚି ବୁଝାସୁଝା କରିବା ପରେ ବନି ଧାରଣାରୁ ଓହରିଥିଲେ ।