ଦଳିତ ଯୁବକଙ୍କୁ ନ୍ୟାୟ ପ୍ରଦାନରେ ପୋଲିସର ଟାଳଟୁଳ ନୀତି, ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ
ବନ୍ତ,(ଯୁଗାବ୍ଦନ୍ୟୁଜ) : ବନ୍ତ ଥାନା ଅଧିନ ଜିରିଣା ଗ୍ରାମର ଦଳିତ ଯୁବକ ଜିତେନ୍ଦ୍ର ଦାସଙ୍କୁ ନ୍ୟାୟ ପ୍ରଦାନ କରିବାରେ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ନେଇ ସଂପୃକ୍ତ ଯୁବକ ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଥିବା ଜଣାଯାଇଛି । ପ୍ରକାଶ ଯେ, ଜିତେନ୍ଦ୍ର ଗତ ୪ ବର୍ଷ ପୂର୍ବେ ପି.ଏମ୍.ଇ.ଜି.ପି ଯୋଜନାରେ ଋଣ ପାଇବା ନେଇ ଅଢାଳପଙ୍କସ୍ଥିତ ବ୍ୟାଙ୍କ ଅଫ ବରୋଦା ଶାଖାକୁ ଯାଇଥିଲେ । ମାତ୍ର ସଂପୃକ୍ତ ଶାଖା ପରିଚାଳକ ତାଙ୍କୁ ଋଣ ପ୍ରଦାନ କରିବା ନେଇ ଟାଳଟୁଳ ନୀତି ଅବଲମ୍ବନ କରିଥିଲେ । ଫଳରେ ସେ ଶାଖା ପରିଚାଳକଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ମାମଲା ରୁଜ୍ଜୁ କରାଯାଇନଥିଲା । ପରେ ସେ ଗତ ତା-୨୦-୧-୨୦୧୬ ରିଖରେ ଭଦ୍ରକ କୋର୍ଟରେ କେସ ନଂ-୨୯/୨୦୧୬ ମୂଳେ ୧ ସିସି ମକଦ୍ଦମା କରିଥିଲେ । ମାନ୍ୟବର କୋର୍ଟ ଉକ୍ତ ଅଭିଯୋଗକୁ ଗ୍ରହଣ କରି ସଂପୃକ୍ତ ଶାଖା ପରିଚାଳକଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିବା ପାଇଁ ଥାନାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ମାମଲା ରୁଜ୍ଜୁ କରାଯାଉନାହିଁ । ଏନେଇ ସେ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ୪ ଥର ଅଭିଯୋଗ କରିଥିଲେ । ଗତ କିଛି ଦିନ ତଳେ ନ୍ୟାୟ ପାଇବା ନେଇ ସେ ଥାନାକୁ ଯାଇଥିବା ବେଳେ କାର୍ଯ୍ୟରତ ଗୃହରକ୍ଷୀ ଓ ଅନ୍ୟ ଜଣେ କର୍ମଚାରୀ ତାଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଫଳରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସେ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଜଣାଇଛନ୍ତି । ୭ ଦିନ ମଧ୍ୟରେ ତାଙ୍କୁ ଉଚିତ୍ ନ୍ୟାୟ ନମିଳିଲେ ସେ ଜିଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ।


