ଦଶ ମହାବିଦ୍ୟା,ଦଶ ମହାବିଦ୍ୟାଙ୍କ ଉତ୍ପତ୍ତି
ଦେବୀ ଶକ୍ତିଙ୍କ ୧୦ଟି ସ୍ୱରୂପ ୧୦ ମହାବିଦ୍ୟାଙ୍କ ଉତ୍ପତି ସମ୍ପର୍କରେ ଏକ ପୌରାଣିକ ଆଖ୍ୟାନ ପ୍ରଚଳିତ । ଦେବୀ ସତୀ ଭଗବାନ ଶିବଙ୍କୁ ବରଣ କରିବା ପରେ ତାଙ୍କ ପିତା ପ୍ରଜାପତି ଦକ୍ଷ ରୁଷ୍ଟ ହୋଇଥିଲେ । ଦକ୍ଷ ଏକ ଯଜ୍ଞର ଆୟୋଜନ କଲେ । ସେଥିରେ ସବୁ ଦେବଦେବୀଙ୍କୁ ଆମନ୍ତ୍ରଣ କରାଯାଇଥିଲା । ମାତ୍ର ଜାଣିଶୁଣି ଦକ୍ଷ ନିଜ ଜାମାତା ଶିବ ଏବଂ କନ୍ୟା ସତୀଙ୍କୁ ନିମନ୍ତ୍ରଣ କରିନଥିଲେ । ପିତାଙ୍କ ଠାରୁ ନିମନ୍ତ୍ରଣ ପାଇନଥିଲେ ମଧ୍ୟ ଦେବୀ ସତୀ ଯଜ୍ଞସ୍ଥଳକୁ ଯିବା ଲାଗି ଇଚ୍ଛା ପ୍ରକଟ କଲେ । ମାତ୍ର ଅପମାନିତ ହେବାର ଆଶଙ୍କାରେ ଶିବ ତାଙ୍କୁ ଏଥିପାଇଁ ବାରଣ କରିଥିଲେ ।
ତେବେ ଦେବୀ ସତୀ ଅତ୍ୟଧିକ ଆଗ୍ରହ ପ୍ରକାଶ କରିବାରୁ ଶିବ ବିରକ୍ତ ହୋଇ ତାଙ୍କୁ ଅନୁମତି ଦେଇଥିଲେ । ଶିବଙ୍କ ଏହି ବିରକ୍ତ ଭାବ ସତୀଙ୍କ ହୃଦୟରେ ଅସନ୍ତୋଷ ସୃଷ୍ଟି କରିଥିଲା । ସେ କ୍ରୋଧିତ ହୋଇ ଦଶ ମହାବିଦ୍ୟାର ପ୍ରଥମ ସ୍ୱରୂପ କାଳୀ ରୂପ ଧାରଣ କରିଥିଲେ । ମହାକାଳୀଙ୍କ ଭୟଙ୍କର ସ୍ୱରୂପକୁ ଦେଖି ଭଗବାନ ଶଙ୍କର ଭୟଭୀତ ହୋଇ ପଳାୟନ କରିଥିଲେ । ମାତ୍ର ସେ ଯେଉଁ ସ୍ଥାନକୁ ଯାଉଥିଲେ ସେଠାରେ ଜଣେ ଜଣେ ମହାବିଦ୍ୟା ପ୍ରକଟ ହେଉଥିଲେ । ଏହିପରି ଶିବ ଦଶ ଦିଗକୁ ପଳାୟନ କରିବାକୁ ଉଦ୍ୟମ କରିବାରୁ ଦଶଜଣ ମହାବିଦ୍ୟା ପ୍ରକଟ ହୋଇଥିଲେ । ପ୍ରଥମେ କାଳୀ ଓ ପରେ ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳାମୁଖୀ, ମାତଙ୍ଗୀ ଏବଂ କମଳା ରୂପରେ ପ୍ରକଟ ହୋଇ ଦେବୀ ଶକ୍ତି ଶିବଙ୍କ ସମ୍ମୁଖରେ ଛିଡ଼ା ହୋଇଥିଲେ । ଶେଷରେ ଦେବୀ କମଳା ରୂପ ଧାରଣ କରିଥିବାରୁ ଶିବଙ୍କ ଭୟ ଲୋପ ପାଇଥିଲା । ପରବର୍ତ୍ତୀ ସମୟରେ ଦେବୀ ଏହି ଅବତାରରେ ପୁନଃ ପ୍ରକଟ ହୋଇ ଦୁଷ୍ଟମାନଙ୍କର ସଂହାର କରିଥିଲେ ।
ଦଶ ମହାବିଦ୍ୟାଙ୍କ ପ୍ରଥମ ସ୍ୱରୂପ : ଦେବୀ କାଳୀ
ଦେବୀ ଶକ୍ତିଙ୍କ ଦଶ ଦିବ୍ୟ ସ୍ୱରୂପ ଦଶ ମହାବିଦ୍ୟାଙ୍କ ମଧ୍ୟରୁ ପ୍ରଥମେ ପ୍ରକଟ ହୋଇଥିଲେ ଦେବୀ କଳୀ । ଦେବୀ କାଳୀଙ୍କୁ ମା’ଶକ୍ତିଙ୍କ ମୂଳ ସ୍ୱରୂପ ଅଟନ୍ତି । ଦେବୀ କାଳୀଙ୍କ ସ୍ୱରୂପ ଭୟଙ୍କର ହୋଇଥିଲେ ମଧ୍ୟ ସେ ସଂସାର ପାଇଁ କଲ୍ୟାଣକାରୀ । ସେ ଦୁଷ୍ଟମାନଙ୍କର ସଂହାର କରି ସଂସାରରେ ସଜ୍ଜନମାନଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି । ଦେବୀ ‘କାଳୀ’ଙ୍କ ନାମ ‘କାଳ’ ଅର୍ଥାତ ସଂସହାରର ଦେବତା ଭଗବାନ ଶିବଙ୍କ ନାମାନୁସାରେ ହୋଇଛି । କାଳୀଙ୍କୁ କାଳୀକା ପୁରାଣରେ ଆଦି ଶକ୍ତି ଏବଂ ପରାଶକ୍ତି ଭାବେ ବର୍ଣ୍ଣନା କରାଯାଇଛି । ଦେବୀ ଶକ୍ତି ଅସୁର ରକ୍ତବୀର୍ଯ୍ୟର ସଂହାର ପାଇଁ କାଳୀରୂପ ଧାରଣ କରିଥିଲେ । ତାଙ୍କ କ୍ରୋଧ ଶାନ୍ତ ନହେବାରୁ ମହାଦେବଙ୍କୁ ତାଙ୍କ ପାଦ ତଳେ ଶୋଇବାକୁ ପଡ଼ିଥିଲା । କାଳୀ ମହାଦେବଙ୍କ ଉପରେ ପାଦ ରଖିଦେବାରୁ ତାଙ୍କ ଜିଭ ପଦାକୁ ବାହାରି ଆସିଥିଲା । ଦେବୀଙ୍କ ଏହି ରୂପକୁ ସର୍ବତ୍ର ପୂଜା କରାଯାଏ । ଏହି ପ୍ରକଟରେ ଆଦ୍ୟ।।କ୍ତି ମହାକାଳୀ ଏବଂ ଭଗବାନ ରୁଦ୍ର ମହାକାଳ ଅଟନ୍ତି ।
ଦଶ ମହାବିଦ୍ୟାଙ୍କ ଦ୍ୱିତୀୟ ସ୍ୱରୂପ : ଦେବୀ ତାରା
ଦେବୀ ତାରା ହେଉଛନ୍ତି ଦେବୀ ଶକ୍ତିଙ୍କ ଦଶ ମହାବିଦ୍ୟାଙ୍କ ସ୍ୱରୂପଙ୍କ ମଧ୍ୟରୁ ଦ୍ୱିତୀୟ । ଦେବୀ ତାରାଙ୍କ ସ୍ୱରୂପ ଦେବୀ କାଳୀଙ୍କ ଭଳି । ତାଙ୍କ ମୂର୍ତ୍ତି ଭଗବାନ ଶିବଙ୍କ ଉପରେ ଛିଡ଼ା ହୋଇଥିବା ଅବସ୍ଥାରେ ପୂଜା କରାଯାଏ । ଦେବୀ କାଳୀ ବର୍ଣ୍ଣ କଳା ହୋଇଥିବା ବେଳେ ଦେବୀ ତାରାଙ୍କ ବର୍ଣ୍ଣ କୃଷ୍ଣକଳା । ଶ୍କତି ଉପାସନାରେ ଦେବୀ ତାରାଙ୍କ ସ୍ଥାନ ମହତ୍ତ୍ୱପୂର୍ଣ୍ଣ । ଦେବୀ ମହାଭାଗବତରେ ଥିବା ବର୍ଣ୍ଣନା ଅନୁଯାୟୀ ଦେବୀ ତାରାଙ୍କ ଠାରୁ ହିଁ ସଂସାରରେ ଜନ୍ମ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ପୁରାଣରେ ଥିବା ବର୍ଣ୍ଣନା ଅନୁଯାୟୀ ସମୁଦ୍ର ମନ୍ଥନ ସମୟରେ ଭଗବାନ ଶିବ ହଳାହଳ ବିଷ ପାନ କରି ସମଗ୍ର ସଂସାରରୁ ବିଷ ଜ୍ୱାଳାରୁ ରକ୍ଷା କରିଥିଲେ । ତେବେ ବିଷ ପ୍ରଭାବରୁ ସେ ଅଚେତ ହୋଇପଡିଥିଲେ । ଏହାପରେ ଦେବୀ ତାରା ମହାଦେବଙ୍କୁ ଏକ ଶିଶୁ ରୂପରେ ପରିଣତ କରାଇବା ସହ ତାଙ୍କୁ ସ୍ତନ୍ୟପାନ କରାଇଥିଲେ । ଏହାଫଳରେ ବିଷ ଜ୍ୱାଳା ପ୍ରଭାବରୁ ଭଗବାନ ଶିବ ମୁକ୍ତ ହୋଇପାରିଥିଲେ । ଶିବଙ୍କ ଦ୍ୱିତୀୟ ଗୁପ୍ତାବତାରହେଉଛି ‘ତାର’ । ଏଣୁ ଭୈରବୀ ହିସାବରେ ଦେବୀଙ୍କ ନାମ ହୋଇଛି ତାରା ।
ଦଶ ମହାବିଦ୍ୟାଙ୍କ ତୃତୀୟ ସ୍ୱରୂପ : ଦେବୀ ତ୍ରିପୁରସୁନ୍ଦରୀ
ଆଦିଶକ୍ତିଙ୍କ ଦଶ ମହାବିଦ୍ୟା ସ୍ୱରୂପଙ୍କ ମଧ୍ୟରୁ ତୃତୀୟ ସ୍ୱରୂପ ହେଉଛନ୍ତି ଦେବୀ ତ୍ରିପୁରସୁନ୍ଦରୀ । ତାଙ୍କୁ ରାଜରାଜେଶ୍ୱରୀ, ଲଳୀତା, ଷୋଢଶୀ ରୂପରେ ମଧ୍ୟ ପୂଜା କରାଯାଇଥାଏ । ଏହି ଦେବୀଙ୍କ ସ୍ୱରୂପ ଅତ୍ୟନ୍ତ ଦିବ୍ୟ । ତନ୍ତ୍ର ଶାସ୍ତ୍ରରେ ଦେବୀଙ୍କୁ ଶ୍ରୀବିଦ୍ୟା ନାମରେ ପୂଜା ଯାଇଥାଏ । ସ୍ୱର୍ଗ, ମର୍ତ୍ତ୍ୟ, ପାତାଳ, ତିନିପୁରରେ ଦେବୀଙ୍କ ଦିବ୍ୟ ସ୍ୱରୂପ ସହ କେହି ତୁଳନୀୟ ନୁହନ୍ତି । ସ୍ଥୂଳ, ସୂକ୍ଷ୍ମ ଏବଂ ପାରା ରୂପରେ ସେ ସର୍ବତ୍ର ବିଦ୍ୟମାନ । ଶକ୍ତି ଉପାସନାରେ ତ୍ରିପୁର ସୁନ୍ଦରୀଙ୍କର ବିଶେଷ ମହତ୍ତ୍ୱ ରହିଛି । ସେ ସିଂହାସନରେ ବିରାଜମାନ ଥାଆନ୍ତି । ତାଙ୍କର ଚାରି ଭୂଜାରେ ଆଖୁ, ପୁଷ୍ପଗୁଚ୍ଛ, ଫାଶ ଏବଂ ଅଙ୍କୁଶ ଶୋଭା ପାଇଥାଏ । ଲଳିତା ସହସ୍ରନାମ ଆଦି ଶଙ୍କରାଚାର୍ଯ୍ୟଙ୍କ ସୌନ୍ଦର୍ଯ୍ୟ ଲହରୀ, ଲଳିତା ଉପାଖ୍ୟାନ, ତ୍ରିପୁରସୁନ୍ଦରୀ ଅଷ୍ଟକମ୍ରେ ଦେବୀଙ୍କ ସମ୍ପର୍କରେ ବର୍ଣ୍ଣନା ରହିଛି । ଏହି ବିଦ୍ୟାରେ ରୁଦ୍ର ହେଉଛନ୍ତି ଶ୍ରୀବିଦ୍ୟେଷୀ (ତ୍ରିପୁରସୁନ୍ଦର) ଏବଂ ଭୈରବୀ ହେଲେ ତ୍ରିପୁର ସୁନ୍ଦରୀ ଶ୍ରୀ ବିଦ୍ୟେଶ୍ୱରୀ ।
ବିପିନ ବିହାରୀ ମହାନ୍ତି


