ଦାଦନ ରୋକିବାକୁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ପୁରୀ (ଯୁଗାବ୍ଦନ୍ୟୁଜ): ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରୁ ଅନ୍ୟଦ୍ୱାରା ପ୍ରଲୋଭିତ ହୋଇ ଶିଶୁ, ଅସହାୟ ମହିଳା କିମ୍ବା ତାଙ୍କ ପରିବାର ସଦସ୍ୟ ବାହାର ରାଜ୍ୟକୁ ଦାଦନ ଖଟିବାକୁ ନଯିବା ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି । ଏନେଇ ଏକ ସାଧାରଣ ବୈଠକ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥି ନିମନ୍ତେ ଗାଁ ଓ ସହରାଞ୍ଚଳରେ ଅଙ୍ଗନୱାଡି କର୍ମୀ ଏବଂ ସିଡିପିଓମାନେ ଏଭଳି ଅଞ୍ଚଳରେ ତୀକ୍ଷ୍ଣ ନଜର ରଖିବେ । ପ୍ରାୟତଃ ଏଠାରୁ ୧୮ ବର୍ଷରୁ କମ୍ ବୟସର ପୁରୁଷ ଓ ମହିଳା ରୋଜଗାର ଅନ୍ୱେଷଣରେ ବାହାରକୁ ଯାଉଥିବା ସନ୍ଦେହ ସୃଷ୍ଟି ହେଲେ ସେମାନଙ୍କ ଉପରେ ନଜର ରଖିବାକୁ ଓ ସଚେତନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୁଲିସ, ପାରା ନୋଡାଲ ସ୍ୱେଚ୍ଛାସେବୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି । ବସ୍ଷ୍ଟାଣ୍ଡ, ରେଳ ଷ୍ଟେସନ ଆଦି ସ୍ଥାନରେ ଯଦି ବାହାରକୁ ଯାଉଥିବା କୌଣସି ବ୍ୟକ୍ତିଙ୍କ ଉପରେ ସନ୍ଦେହ ସୃଷ୍ଟି ହେଲେ ପୁଲିସ ଓ ଆର୍ପିଏଫ୍ ତରୁନ୍ତ ପଦକ୍ଷେପ ନେବାକୁ କୁହାଯାଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ବୈଠକରେ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ପ୍ରକଳ୍ପ ନିର୍ଦ୍ଦେଶିକା ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ, ଜିଲ୍ଲା ଶିକ୍ଷାଧିକାରୀ ହୃଷିକେଶ କାଣ୍ଡି, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପୁଷ୍ପାଞ୍ଜଳୀ ମହାପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ ତ୍ରିପାଠୀ, ଚାଇଲ୍ଡ ଲାଇନ୍ ନିର୍ଦ୍ଦେଶିକା ପୁଷ୍ପାଞ୍ଜଳୀ ମହାପାତ୍ରଙ୍କ ସମେତ ବିଭିନ୍ନ ସେଚ୍ଛାସେବୀ ସଙ୍ଗଠନ କର୍ମକର୍ତ୍ତା ପ୍ରମୁଖ ଯୋଗ ଦେଇଥିଲେ ।