ଦାନ୍ତଘଷି ବିଶ୍ୱ ରେକର୍ଡ ଏକାବେଳେ ୨୬, ୩୮୨ଜଣ ଦାନ୍ତ ଘଷିଲେ
ଚନ୍ଦ୍ରଶେଖରପୁର: ଅନ୍ତର୍ଜାତୀୟ ଟୁଥବ୍ରସିଂ ଦିବସ ପାଳନ ଅବସରରେ କିସ୍’ର ଛାତ୍ରଛାତ୍ରୀମାନେ ଆଉ ଏକ ଗିନିଜ୍ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ଏହାକୁ ମିଶାଇ କିସ୍’ ୪ଥର ବିଶ୍ୱ ରେକର୍ଡ ହାତେଇବାରେ ସଫଳ ହୋଇଛି । ଏକକାଳୀନ ଗୋଟିଏ ସ୍ଥାନରେ ୨୬,୩୮୨ଜଣ ପିଲା ଦାନ୍ତ ଘଷି ପୂର୍ବରୁ ଥିବା ଦିଲ୍ଲୀ ଡିପିଏସର ୧୬,୪୨୪ ରେକର୍ଡକୁ ଭାଙ୍ଗିଛନ୍ତି । ଏନେଇ ଗିନିଜ୍ ବିଶ୍ୱ ରେକର୍ଡ ଅଫିସିଆଲ୍ ପ୍ରତିନିଧି ଋଷି ନାଥ କିସ୍’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ ରାଉତରାୟଙ୍କୁ ଗିନିଜ୍ ବିଶ୍ୱ ରେକର୍ଡ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।
ଆଜି ସକାଳ ପ୍ରାୟ ୭ଟା ବେଳେ ଗିନିଜ୍ ବିଶ୍ୱ ରେକର୍ଡ ପ୍ରତିନିଧି ଦଳ କିସ୍’ରେ ପହଞ୍ଚି ପିଲାଙ୍କ ବାରକୋଡ୍ ସ୍କାନ୍ କରି ପଡ଼ିଆ ଭିତରକୁ ଛାଡ଼ିଥିଲେ । ପିଲାମାନେ ୮ଟାରେ ବ୍ରସ୍ କରିବା ଆରମ୍ଭ କରିଥିଲେ । କିସ୍’ରେ ପଢ଼ୁଥିବା ୨୭ହଜାର ୫ଶହ ଆଦିବାସୀ ପିଲାଙ୍କ ମଧ୍ୟରୁ ୨୬,୩୮୨ଜଣ ପିଲା ନର୍ଦ୍ଧାରିତ ସମୟ ସୀମା ଭିତରେ ପଡ଼ିଆକୁ ପ୍ରବେଶ କରି ରେକର୍ଡରେ ଭାଗ ନେଇଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କୋଲଗେଟ୍ ପାମୋଲିଭ (ଭାରତ)ର ପରିଚାଳନା ନିର୍ଦେଶକ ରାମ ରାଘବନ ଉପସ୍ଥିତ ରହି ସମସ୍ତ ପିଲା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ଏହି ଅବସରରେ ରାଜ୍ୟ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଜଳସମ୍ପଦ, ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, କିଟ୍ ଓ କିସ୍’ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ଏବଂ ଇଣ୍ଡିଆନ୍ ଆଇଏପିଏଚଡି ସଂପାଦକ ଡ. ସବ୍ୟସାଚୀ ଶାହା ଅତିଥି ଭାବେ ଉପସ୍ଥିତ ଥିଲେ । କୋଲଗେଟ୍ ପକ୍ଷରୁ ସମସ୍ତ ପିଲାମାନଙ୍କୁ ପେଷ୍ଟ୍, ବ୍ରସ୍ ପ୍ରଦାନ କରାଯାଇଥିଲା ।


