ଦାବି ପୂରଣ ନହେଲେ ଅଗଷ୍ଟ୧୫ ଠାରୁ କୌଣସି କାର୍ଯ୍ୟରେ ସହଯୋଗ ନ କରିବା ପାଇଁ ଆୟୁଷ ଡାକ୍ତର ଚେତାବନୀ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ଜାତୀୟ ସ୍ୱାସ୍ଥ୍ୟ ମିସନ୍ ଅଧୀନରେ ପ୍ରାଥମିକ ଚିକିତ୍ସା କେନ୍ଦ୍ର ତଥା ଗୋଷ୍ଠୀ ଚିକିତ୍ସା କେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତରମାନେ ଅଗଷ୍ଟ ୧୫ ତାରିଖ ଠାରୁ କୋଭିଡ୍ ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ଆଉ ସହଯୋଗ କରିବୁ ନାହିଁ ବୋଲି ଆୟୁଷ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି । ପୂର୍ବରୁ କେତକ ଦାବି ସଂକ୍ରାନ୍ତରେ ସରକାର ତଥା ଜିଲ୍ଲା ପ୍ରଶାସନ ଠାରେ ଦାବି ରଖି ଗତ ୭ ତାରିଖ ଠାରୁ କଳାବ୍ୟାଜ୍ ପରିଧାନ କରି ନିଜକୁ ହସ୍ତାନ୍ତର ହୋଇଥିବା ଦାୟିତ୍ୱ ସମ୍ପାଦନ କରିଆସୁଥିଲେ । କିନ୍ତୁ ଆଜି ସୁଦ୍ଧା ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୁଷ ଡାକ୍ତରମାନଙ୍କ ଦାବି ସମ୍ବନ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି କିମ୍ବା ଦାବି ସଂକ୍ରାନ୍ତରେ ଆଲୋଚନା କରିବାକୁ ମଧ୍ୟ ଆୟୁଷ ଡାକ୍ତର ସଂଘକୁ ସୂଚନା ଦିଆଯାଇ ନାହିଁ । ଏଣୁ ଆସନ୍ତାକାଲି ତଥା ଅଗଷ୍ଟ ୧୫ ତାରିଖ ଠାରୁ କୋଭିଡ୍ ସମ୍ବନ୍ଧୀୟ କୌଣସି କାର୍ଯ୍ୟରେ ସହଯୋଗ ନ କରି ପୂର୍ବଭଳି ଗ୍ରାମାଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟ ସେବା ପାଇଁ ଚିକିତ୍ସାଳୟରେ ବସି କେବଳ ଆୟୁଷ ସମ୍ବନ୍ଧୀୟ ରୋଗୀ ସେବା ଜାରି ରଖିବୁ ବୋଲି ଶୁକ୍ରବାର ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଆୟୁଷ ସଂଘ ପକ୍ଷରୁ ଅଭିଯୋଗ ହୋଇଛି ଯେ, ତୃଣମୂଳ ସ୍ତରରେ କରୋନା ମୁକାଲିବା ପାଇଁ ନିଯୁକ୍ତ ଆୟୁଷ ଡାକ୍ତରମାନେ କରୋନା ରୋଗୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କ ଚିକିତ୍ସା କରୁଥିବା ବେଳେ ସେମାନଙ୍କୁ ବାରମ୍ବାର ଅବହେଳିତ କରାଯାଉଛି । ଦିନରାତି ଏକ କରି କାମ କଲାପରେ ବି ଆୟୁଷ ଡାକ୍ତରମାନଙ୍କୁ ସରକାରଙ୍କ ତରଫରୁ କୌଣସି ସୁବିଧା ସୁଯୋଗ କିମ୍ବା କାମର ଶ୍ରେୟ ମିଳୁନାହିଁ । ସରକାର ଆୟୁଷ ଡାକ୍ତରଙ୍କୁ ତୁରନ୍ତ କରୋନା ଯୋଦ୍ଧା ଘୋଷଣା କରନ୍ତୁ, ଡାକ୍ତରଙ୍କ ମାସିକ ଦରମା ୬୬ ହଜାର ଟଙ୍କା ପ୍ରଦାନ ସହ କୋଭିଡ୍ କାର୍ଯ୍ୟରେ ଅକସ୍ମାତ ଅଘଟଣ(ମୃତ୍ୟୁ) ଘଟିଲେ ସାମାଜିକ ସୁରକ୍ଷା ଆଇନ ନିୟମ ପ୍ରକାରେ ସରକାରୀ କର୍ମଚାରୀଙ୍କ ଭଳି ସମସ୍ତ ସୁବିଧା ପ୍ରଦାନ କରିବା ସହ ୫୦ ଲକ୍ଷ ଏବଂ ଅବସର ଯାଏ ସଂପର୍କୀୟଙ୍କୁ ଦରମା ପ୍ରଦାନ ଆଦି କେତକ ଦାବିକୁ ନେଇ ଗତ ୭ତାରିଖ ଠାରୁ ଆୟୁଷ ଡାକ୍ତର ସଂଘ ପକ୍ଷକୁ କଳାବ୍ୟାଜ୍ ପରିଧାନ ପୂର୍ବକ ନିଜକୁ ହସ୍ତାନ୍ତର ହୋଇଥିବା ଦାୟିତ୍ୱ ସମ୍ପାଦନ କରି ଆସୁଥିଲେ । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନକୁ ସେମାନଙ୍କ ଦାବି ସମ୍ବନ୍ଧରେ କୌଣସି ପଦକ୍ଷେପ ନେବା ଲାଗି ଏକ ସପ୍ତାହ ସମୟ ଦେଇଥିଲେ । ଆଜି ସେହି ଅବଧଇ ଶେଷ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ସଂଘ ପକ୍ଷରୁ ନିଷ୍ପତ୍ତି ଅନୁଯାୟୀ କାର୍ଯ୍ୟ କରିବୁ ବୋଲି ସଂଘର ଆବାହାକ ତଥା ପୂର୍ବତନ ରାଜ୍ୟ ସଭାପତି ଡାକ୍ତର ଚନ୍ଦ୍ରଶେଖର ମିଶ୍ର, ସଂଘର ସଂପାଦକ ଡାକ୍ତର ରବୀନ୍ଦ୍ର ନାଥ ଗନ୍ତାୟତ, ଡାକ୍ତର ଫକୀର ଚନ୍ଦ୍ର ଜେନା, ଡାକ୍ତର କରୁଣାକର ବେହେରା, ଡାକ୍ତର ମୀରାବାଇ ପଣ୍ଡା, ଡାକ୍ତର ରାମାନୁଜ ପଟ୍ଟନାୟକ, ଡାକ୍ତର ସତ୍ୟନାରାୟଣ ସାହୁ ଡାକ୍ତର ସୁନିତା ପ୍ରଧାନ ଓ ଡାକ୍ତର ରବୀ ନାରାୟଣ ପାଢୀ ପ୍ରମୁଖ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ