ଦାବି ପୂରଣ ନ ହେଲେ ଗାଁ ସାଥୀ ସଂଘ ପକ୍ଷରୁ ନଭେମ୍ବର ୪ ରେ ବିଧାନ ସଭା ଘେରାଉ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ଓଡ଼ିଶା ରାଜ୍ୟ ଗାଁ ସାଥୀ ମେଟ୍ ସଂଘର ନିର୍ଦ୍ଦେଶକ୍ରମେ ଆଜି ଗଞ୍ଜାମ ଜିଲ୍ଲା ଗାଁ ସାଥୀ ସଂଘ ପକ୍ଷରୁ ସଂଘର ତିନି ଦଫା ଦାବି ନେଇ ଛତ୍ରପୁର ନିକଟ ତାମ୍ପରା ଠାରେ ଜିଲ୍ଲା ସଭାପତି ରବିନ୍ଦ୍ରନାଥ ଗୌଡ଼ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘ ପକ୍ଷରୁ ଦାବି କରାଯାଇଛି ଯେ, ରାଜ୍ୟରେ ନରେଗା ଯୋଜନାରେ ମୁତୟନ ଥିବା ସମସ୍ତ ଗାଁ ସାଥୀ/ମେଟ୍ ମାନଙ୍କୁ ମାସକୁ ସର୍ବ ନିମ୍ନ ୬ହଜାର ଟଙ୍କାରୁ ଉର୍ଦ୍ଧ୍ୱ ପ୍ରତ୍ସୋହନ ରାଶି ପ୍ରଦାନ କରିବା ବ୍ୟବସ୍ଥା କରାଯାଉ, ରାଜ୍ୟ ପଂଚାୟତିରାଜ ବିଭାଗର ଚିଠି ନଂ୯୪୦ ତା-୧୧.୦୧.୨୦୧୯ ଅନୁଯାୟୀ ସମସ୍ତ ଗାଁ ସାଥୀ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣର କାର୍ଯ୍ୟ ପ୍ରଦାନ କରାଯାଉ ଏବଂ ରାଜ୍ୟ ପଂଚାୟତିରାଜ ବିଭାଗ ଚିଠି ନଂ ୧୭୧୩୭ ତା-୨୭.୯.୨୦୧୯କୁ ସଂପୂର୍ଣ୍ଣ ଉଚ୍ଛେଦ ପୂର୍ବକ ଚିଠି ନଂ ୧୨୭୮୩ ତା-୩୦.୭.୨୦୧୯ ଚିଠି ନଂ-୧୫୩୮୭ ତା-୬.୯.୨୦୧୯ ଚିଠି ନଂ – ୧୫୯୯୫ ତା-୧୬.୯.୨୦୧୯ରେ ଥିବା ଗାଁ ସାଥୀ ବିରୋଧୀ ଶଦ୍ଦ ଗୁଡ଼ିକୁ ପରିବର୍ତନ କରି ସ୍ପଷ୍ଟ ଚିଠି କରିବାକୁ ଦାବି କରାଯାଇଛି । ଦାବି ଗୁଡ଼ିକ ତୁରନ୍ତ ସମାଧାନ ନହେଲେ ଆଗାମୀ ନଭେମ୍ବର ୪ ତାରିଖରେ ଭୁବନେଶ୍ୱର ଠାରେ ବିଶାଳ ରାଲି କରି ବିଧାନସଭା ଘେରାଉ କରାଯିବ ଓ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଏହି ଗଣଧାରଣା ଚାଲୁ ରହିବ ବୋଲି ରାଜ୍ୟ ସଦସ୍ୟ ହେମନ୍ତ କୁମାର ନାହାକ ସୂଚନା ଦେଇଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଗାଁ ସାଥୀ ସଂଘର ଉପଦେଷ୍ଟା ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଉପସଭାପତି ଲଡ଼ୁ କିଶୋର ଦାଶ, ସାଧାରଣ ସମ୍ପାଦକ ବି. ମୋହନ ରାଓ, କୋଷାଧ୍ୟକ୍ଷ ଅଶୋକ ପଲେଇ, ରାଜ୍ୟ ସଦସ୍ୟ ହେମନ୍ତ କୁମାର ନାହାକ, ଏସ୍‌. ଯୁଧିଷ୍ଠିର ରେଡ୍ଡି, ବି. ବାସନ୍ତି, ଦାମ ପ୍ରଧାନଙ୍କ ସମେତ ଜିଲ୍ଲାର ସମସ୍ତ ବ୍ଲକର ସମସ୍ତ କର୍ମକର୍ତାମାନେ ଉପସ୍ଥିତ ରହି ସଂଘ ବିଭିନ୍ନ ଦିଗ ଉପରେ ଆଲୋଚନା କରିିଥିଲେ । ଅପରାହ୍ନରେ ସଂଘର ୩ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳ ଓ ଡ଼ିଆରଡ଼ିଏ ପିଡ଼ିଙ୍କୁ ପୃଥକ ପୃଥକ ଦାବିପତ୍ର ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ