ଦାରିଙ୍ଗବାଡ଼ିରେ ପର୍ଯ୍ୟଟନର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲାର ସମସ୍ତ ୧୨ଟି ବ୍ଲକରେ ସୋମବାର ‘ଆମ ଓଡ଼ିଶା ନବୀନ ଓଡ଼ିଶା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ମିନି ଷ୍ଟାଡିୟମ ପରିସରରେ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ ବିଡିଓ ଗଦାଧର ପାତ୍ର ପରିଚାଳନା କରିଥିବା ବେଳେ ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନ ଉପସ୍ଥିତ ରହି ସିଧା ଭିଡିଓ ମାଧ୍ୟମରେ ନିଜ ବକ୍ତବ୍ୟ ଉପସ୍ଥାପନା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଦାରିଙ୍ଗବାଡ଼ି ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ଋଷିମାଳ ପାହାଡ଼ର ବିକାଶ ସହ ଡୁଲୁରୀ ପାଇନବଣ, ଲଭର୍ସ ପଏଣ୍ଟ ଆଦିର ଉନ୍ନତି ପାଇଁ ୧୭ କୋଟି ୧୦ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରାଯାଉଥିବା ଘୋଷଣା କରିଥିଲେ। ସେ କହିଥିଲେ ମୁଖ୍ୟମନ୍ତ୍ରୀ ଦାରିଙ୍ଗବାଡ଼ିର ବିକାଶ ପାଇଁ ଆହୁରି ଅନେକ ଯୋଜନା କରିଛନ୍ତି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଭିକେ ପାଣ୍ଡିଆନ ପୂର୍ବରୁ ଯେଉଁ ୭ ଦିନ ମଧ୍ୟରେ ଖୁସି ଖବର ଶୁଣିବେ ବୋଲି କହିଥିଲେ। ସେହି ଲୋକଙ୍କ ସ୍ବପ୍ନକୁ ସରକାର ପୂରଣ କରିଥିବା ନେଇ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷଙ୍କ ସମେତ ଜିଲା ପରିଷଦ ସଦସ୍ୟ ରଞ୍ଜନ ପ୍ରଧାନ, ପ୍ଲିହେରି ସରପଞ୍ଚ ପାଉଲ ପ୍ରଧାନ, ତହସିଲଦାର ଶରତ ଶବର, ଆଇଆଇସି ଆନନ୍ଦ ଚନ୍ଦ୍ର ପାତ୍ର, ସିଡିପିଓ ଅଞ୍ଜଳି ମହାପାତ୍ର,ଏମ୍‌ପି ପ୍ରତିନିଧି ଅକ୍ଷୟ ନାୟକ, ବିଧାୟକ ପ୍ରତିନିଧି ଦୀପକ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଏଥିସହ ୨୫ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ