ଦିଅରଙ୍କ ସହ ରଖନ୍ତୁ ଏଭଳି ସମ୍ପର୍କ
କୁହାଯାଏ ଭାଉଜଙ୍କର ସବୁଠାରୁ ଭଲ ବନ୍ଧୁ ଦିଅର ହୋଇଥାନ୍ତି। ଯଦିଓ ଏହି ପରିଭାଷା ସମସ୍ତ ପରିବାରକୁ ଫିଟ୍ ହେବା ଜରୁରୀ ନୁହେଁ, ଭାଉଜଙ୍କୁ ନଣନ୍ଦଙ୍କ ଠାରୁ ଦିଅର ସହିତ ଅଧିକ ତାଳମେଳ ରଖିବାରେ ସମସ୍ୟା ହୋଇଥାଏ। ଏପରିସ୍ଥଳେ ସେମାନଙ୍କୁ ଅନେକ ଜିନିଷ ପ୍ରତି ଧ୍ୟାନ ରଖିବାକୁ ପଡ଼ିଥାଏ। ଏଥିରେ ଟିକେ ଅଣଦେଖା କଲେ, ସମ୍ପର୍କ ସବୁବେଳ ପାଇଁ ବିଗିଡ଼ି ପାରେ। ଘରେ ଯବାନ ଦିଅର ଥିଲେ, ଏଠାରେ ଏପରି କେତେକ ସୂଚନା ଦିଆଯାଇଛି, ଯାହାକୁ ଧ୍ୟାନରେ ରଖନ୍ତୁ।
ସୀମା ସ୍ଥିର କରନ୍ତୁ : ଭାଉଜ ଓ ଦିଅର ସମ୍ପର୍କରେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ସୀମା ସ୍ଥିର କରିବା। ଯେଉଁଭଳି ଭାବେ ଶାଶୂଙ୍କ ସହ କଥା କିମ୍ବା ବ୍ୟବହାର କରିବାରେ ଏକ ସୀମାକୁ କେବେ ପାର୍ କରିବା ଉଚିତ ନୁହେଁ। ସେହିପରି ଦିଅର ସହିତ ମଧ୍ୟ ଏକ ନିର୍ଦ୍ଦିଷ୍ଟ ସୀମା ସ୍ଥିର କରିବା ଠିକ୍ ହେବ। ଏପରି କରିବା ଦ୍ବାରା ସମ୍ମାନ ଓ ମର୍ଯ୍ୟାଦା ଅକ୍ଷୂଣ୍ଣ ରହିବ। ଏଭଳି କୌଣସି ଅନୁଚିତ ଘଟଣା ଘଟିବ ନାହିଁ, ଯାହା ଚାପ ସ୍ଷ୍ଟି କରିବ ଓ ଲଜ୍ଜିତ ହେବାର କାରଣ ହୋଇପାରେ।
ଅଧିକ ଦଖଲ ଦିଅନ୍ତୁ ନାହିଁ : ଦିଅର ଭାଉଜଙ୍କ ମଧ୍ୟରେ ଯଦିଓ ଭଲ ସମ୍ପର୍କ ଜମିଥାଏ, କିନ୍ତୁ ଏହାର ଅର୍ଥ ନୁହେଁ ଉଭୟ ପରସ୍ପରଙ୍କ ଜୀବନରେ ଦଖଲ ଦେବେ। ଦିଅରଙ୍କୁ ନିଜ ବ୍ୟକ୍ତିଗତ ଜୀବନ ଓ ଏଥିସହିତ ଜଡ଼ିତ ଜିନିଷ ସ୍ଥିର କରିବାକୁ ମଧ୍ୟ ତାଙ୍କର ପୂରା ଅଧିକାର ରହିଛି। ଯେ ପର୍ଯ୍ୟନ୍ତ ସେ କୌଣସି ବିଷୟରେ ଆପଣଙ୍କ ରାୟ ମାଗି ନାହାନ୍ତି, ସେ ପର୍ଯ୍ୟନ୍ତ ତାଙ୍କ ବ୍ୟକ୍ତିଗତ ଜୀବନରେ ଦଖଲ ଦିଅନ୍ତୁ ନାହିଁ। ସେହିପରି ନିଜ ବୈବାହିକ ଜୀବନ ସହିତ ଜଡ଼ିତ ଘଟଣାରେ ମଧ୍ୟ ଦିଅରଙ୍କୁ ଦଖଲ ଦେବାକୁ ଦିଅନ୍ତୁ ନାହିଁ। କାରଣ ଏହାଦ୍ବାରା ସ୍ଥିତି ଅଧିକ ବିଗିଡ଼ିପାରେ।
ପତି ଓ ଦିଅରଙ୍କ ମଝିରେ ଆସନ୍ତୁନି : ପତି ଓ ଦିଅରଙ୍କ ମଝିରେ ଆସିବାକୁ ଚେଷ୍ଟା କରନ୍ତୁନି। ଯଦି ଆପଣଙ୍କ ପତି ତାଙ୍କ ଛୋଟ ଭାଇଙ୍କୁ କୌଣସି କାରଣ ପାଇଁ ଗାଳି କରୁଛନ୍ତି କିମ୍ବା ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଗଲା, ତେବେ ମଝିରେ ପଡ଼ିବାକୁ ଚେଷ୍ଟା କରନ୍ତୁ ନାହିଁ। ସେମାନଙ୍କୁ ସେମାନଙ୍କ ମଧ୍ୟରେ ଥିବା ବିବାଦର ସମାଧାନ କରିବାକୁ ଦିଅନ୍ତୁ। ମନେରଖନ୍ତୁ, ଭାଇ ପାଖରେ ଭାଇ ସବୁବେଳେ ରହିବେ। ଏପରିସ୍ଥଳେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ସାଧାରଣ କଥା। ଏପରିସ୍ଥଳେ କାହାରି ପକ୍ଷ ନେବା କିମ୍ବା କାହାକୁ ବୁଝାଇବାକୁ ଚେଷ୍ଟା କରିବା, ଅନ୍ୟ ଜଣକୁ ଏହା ଭଲ ଲାଗିବ ନାହିଁ। ତେଣୁ ଯେଉଁ ଝଗଡ଼ା ଦିନକରେ ସରିବା କଥା, ତାହା ଦୀର୍ଘ ଦିନ ଯାଏ ଚାଲିବ।
ସିକ୍ରେଟ୍ ରଖନ୍ତୁନି : ଯଦିଓ ଭଲ ବନ୍ଧୁଙ୍କ ମଧ୍ୟରେ କଥା ଲୁଚି ରହି ନ ଥାଏ, କିନ୍ତୁ ଦିଅର ଭାଉଜ ସମ୍ପର୍କରେ ଏହା ବେଳେ ବେଳେ ଭାରୀ ପଡ଼ିପାରେ। ଆପଣଙ୍କ ଭିତରେ ଯେତେ ଭଲ ବନ୍ଧୁତା ଥିଲେ ମଧ୍ୟ ଯଦି କୌଣସି କଥା ଆପଣଙ୍କ ପତିଙ୍କୁ ଲୁଚାଇବାକୁ ସେ କହନ୍ତି, ତାଙ୍କ କଥା ମାନନ୍ତୁ ନାହିଁ। ଦିଅରଙ୍କ ସହିତ ଜଡ଼ିତ କୌଣସି କଥା ଅନ୍ତତଃ ନିଜ ପତିଙ୍କୁ ଲୁଚାନ୍ତୁ ନାହିଁ। କାରଣ ଭବିଷ୍ୟତରେ ଯଦି ସେହିକଥା ସହିତ ଜଡ଼ିତ କୌଣସି ବିବାଦ ହୁଏ, ତେବେ ଏଭଳି ସ୍ଥିତିରେ ଆପଣଙ୍କ ପତି କିପରି ପରିସ୍ଥିତିକୁ ସମ୍ଭାଳିବେ ତାହା ଆଗରୁ ଜାଣିଥିବେ।
ଟଙ୍କା ପଇସା ସମ୍ବନ୍ଧୀୟ : ଦିଅର ଯବାନ, ତାଙ୍କୁ ଟଙ୍କାର ଆବଶ୍ୟକ। କିନ୍ତୁ ପତି ତାଙ୍କୁ ଟଙ୍କା ଦେବାକୁ ମନା କରି ଦେଇଛନ୍ତି। କିମ୍ବା ସେ ଟଙ୍କା ମାଗିବାକୁ ଚାହୁ ନାହାନ୍ତି, ତେଣୁ ଆପଣଙ୍କୁ ମାଗୁଛନ୍ତି। ଯଦି ଏପରି ପରିସ୍ଥିତି ଉପୁଜୁଛି, ତେବେ ଏହି ପରିସ୍ଥିତି ହ୍ୟାଣ୍ଡଲ କରିବା ସମୟରେ ବହୁତ ପ୍ରାକ୍ଟିକାଲ ଆପ୍ରୋଚ ନିଅନ୍ତୁ। ଥରେ ଟଙ୍କା ଦେବା ପରେ ଭବିଷ୍ୟତରେ ମଧ୍ୟ ସେ ଆପଣଙ୍କ ପାଖକୁ ଟଙ୍କା ମାଗିବାକୁ ଆସିବେ। ସବୁବେଳେ ପତିଙ୍କୁ ଲୁଚାଇ ଦିଅରଙ୍କୁ ଟଙ୍କା ଦେବା ଫଳରେ ଭବିଷ୍ୟତରେ ଏହା ଆପଣଙ୍କ ପାଇଁ ସମସ୍ୟା ହୋଇପାରେ। ଟଙ୍କା ଏଭଳି ଜିନିଷ, ଯାହା ସବୁଠାରୁ ଶୀଘ୍ର ସମ୍ପର୍କ ଖରାପ କରିଥାଏ। ତେଣୁ ଏଥିସହିତ ଜଡ଼ିତ ନିଷ୍ପତ୍ତି ବହୁତ ବୁଝି ବିଚାରି ନେବା ଉଚିତ।