ଦିଗପହଣ୍ଡିରେ ଚାଷୀ ଓ ଶ୍ରମିକ ସଂଗଠନ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା
ଦିଗପହଣ୍ଡି,(ୱାଇଏନ୍ଏସ୍): ସର୍ବଭାରତୀୟ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଙ୍କ ଡାକରା କ୍ରମେ ବୁଧବାର ଦିଗପହଣ୍ଡି ବସଷ୍ଟାଣ୍ଡ ଠାରେ ସି.ପି.ଆଇ (ଏମ) ଏବଂ କଂଗ୍ରେସ ସମର୍ଥିତ ଏ.ଆଇ.ଟି.ୟୁ.ସି, ସି.ଆଇ.ଟି.ୟୁ , ଆଇ.ଏନ୍.ଟି.ୟୁ.ସି ଶ୍ରମିକ ସଙ୍ଗଠନ ମାନଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆଇନ ପ୍ରଣୟନ ବିରୋଧରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଶ୍ରମିକ ସଙ୍ଗଠନ ଏ.ଆଇ.ଟି.ୟୁ.ସି ଗଞ୍ଜାମ ଜିଲା ସମ୍ପାଦକ ଅଳକନାଥ ମିଶ୍ର ସଭାରେ ଅଧ୍ୟକ୍ଷତା କରିଥିଲେ । କେନ୍ଦ୍ର ସରକାରଙ୍କ କୃଷି,ଶିକ୍ଷା,ସ୍ବାସ୍ଥ୍ୟ,ବ୍ୟାଙ୍କିଙ୍ଗ,କର୍ପୋରେଟ,ଫୋରେନସିକ ମେଡ଼ିସିନ୍ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂକ୍ରାନ୍ତ ଜନବିରୋଧୀ ବିଲ୍ ଗୁଡ଼ିକୁ ପାର୍ଲ୍ୟାମେଣ୍ଟରେ ଅନୁମୋଦନ କରିଛନ୍ତି । ଯାହାକି ଗଣତନ୍ତ୍ର ବିରୋଧୀ,କେନ୍ଦ୍ର ସରକାରଙ୍କ କୃଷକ ସଶକ୍ତିକରଣ ବିଲ୍ ରେ ନାମମାତ୍ର ଓ କ୍ଷୁଦ୍ର ଚାଷୀମାନେ ଘୋର କ୍ଷତିର ସମ୍ମୁଖୀନ ହେବେ। ଚାଷୀ ତାର ଉତ୍ପାଦିତ ଫସଲର ଲାଭଜନକ ଦର ନପାଇ ଅଭାବୀ ବିକ୍ରିର ଶିକାର ହେବେ । ସରକାର ମଣ୍ଡି ବ୍ୟବସ୍ଥାକୁ ଉଚ୍ଛେଦ କରି ବାହାର ପୁଞ୍ଜିପତି ଓ ବଡ଼ ବଡ଼ ବେପାରୀ ମାନଙ୍କ ଲାଭ ପାଇଁ ନୂଆଁ କୃଷିନୀତି ରେ ବ୍ୟବସ୍ଥା କରିଛନ୍ତି । ଚାଷୀ ତାର ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ପାଇବାରୁ ବଞ୍ଚିତ ହେବେ । ଚାଷୀଙ୍କ ପାଇଁ ସରକାରୀ ସ୍ତରରେ ପ୍ରଚଳିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ ଏସ ପି) ବ୍ୟବସ୍ଥା ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର ଚଳାଇଥିବା ନେଇ ଅଭିଯୋଗ କରିଥିଲେ । ସର୍ବବ୍ୟାପି ମହାମାରୀ କୋଭିଡି -୧୯ ର ମୁକାବିଲାକୁ ଏକ ସୂତ୍ରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ପରିବର୍ତ୍ତେ କେନ୍ଦ୍ର ସରକାର ସାଧାରଣ ଜନତାଙ୍କ ଜୀବନ ଜୀବିକାକୁ ଅଣଦେଖା କରି ନାନାଦି ଜନ ସ୍ୱାର୍ଥ ବିରୋଧୀ କାର୍ଯ୍ୟମାନ କରି ଚାଲିଛନ୍ତି ବୋଲି ସଭାରେ ଦଳୀୟ ନେତୃବୃନ୍ଦ ଉଦବୋଧନ ଦେଇଥିଲେ । ଏହି ମହାମାରୀ ବିଭୀଷିକା ସମୟରେ କେନ୍ଦ୍ରସରକାର ବିଭିନ୍ନ ଆଇନ ଗୁଡିକର ସଂଶୋଧନ,ବାତିଲ କିମ୍ବା ବିକୃତ କରିଛନ୍ତି ତାହା ସମ୍ବିଧାନ ବିରୋଧୀ ଅଟେ । କେନ୍ଦ୍ର ସରକାର ୧୧ ଟି ଅଧ୍ୟାଦେଶ ଜାରି କରିଛନ୍ତି ଚାଷୀ ଓ ଚାଷ ସମ୍ପର୍କୀୟ ଅଧ୍ୟାଦେଶ ଜାରି କରି ଚାଷୀ କୁଳକୁ ସର୍ବସ୍ୱାନ୍ତ କରିବାକୁ ମସୁଧା ଚଳାଇଛନ୍ତି । ଭାଗ ଚାଷୀଙ୍କ ଅଧିକାର ନଷ୍ଟ ହୋଇଛି ସେହିପରି ଶ୍ରମିକ ଓ କମ୍ପାନୀ କର୍ମଚାରୀ ମାନଙ୍କ ଅଧିକାରକୁ ଛଡେଇ ନେବା ପାଇଁ ଶ୍ରମ ଆଇନରେ ବ୍ୟାପକ ସଂଶୋଧନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଥିବା ପାର୍ଲିଆମେଣ୍ଟ ଅଧିବେଶନ କୁ ବିରୋଧ କରି ଦେଶ ବ୍ୟାପି ପ୍ରତିବାଦ ଆନ୍ଦୋଳନ ପରିପ୍ରେକ୍ଷୀରେ ଏହି ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ସି. ପି.ଆଇ (ଏମ) ଗଞ୍ଜାମ ଜିଲ୍ଲା କମିଟି କର୍ମକର୍ତ୍ତା ଅଶ୍ୱିନୀ ଦାସ,କୁରେଶୁ ପଣ୍ଡା,ପି.ଶିବ ଶଙ୍କର,ଉଜ୍ଜଳ ସାହୁ,ଭି.ସୁଦର୍ଶନ ରାଜୁ,ସିପିଆଇ ଜୋନାଲ କମିଟି ସମ୍ପାଦକ କିଶୋର ଶତପଥୀ,ତପନ କୁମାର ମିଶ୍ର,ସମୀର ଚନ୍ଦ୍ର ମିଶ୍ର,ଦୈତାରି ରେଡ୍ଡୀ,ଜେ.ମିଟୁ ରାଓ,ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ପ୍ରଫୁଲ୍ଲ ପଣ୍ଡା,କାର୍ଯ୍ୟକର୍ତ୍ତା ନୀଳକଣ୍ଠ ପଟ୍ଟନାୟକ,କେ.କୁନା,ଏମ୍.ବାଇ ନାଥ,ଭଗବାନ ସ୍ୱାଇଁ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।