ଦିଗପହଣ୍ଡି କୋର୍ଟରେ ଅଭିଯୁକ୍ତ ମାନେ ଦଣ୍ଡିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି କୋର୍ଟରେ ଶୁକ୍ରବାର ଦୀର୍ଘ ୧୩ ବର୍ଷ ପୂର୍ବର ଏକ ମାମଲାର ଚୂଡାନ୍ତ ରାୟ ପ୍ରକାଶ ପାଇ ଅଭିଯୁକ୍ତ ମାନଙ୍କୁ ଜେଲ୍ ଓ ଜରିମାନାରେ ଦଣ୍ଡିତ କରାଯାଇଥିବା ଜଣାପଡିଛି।ଗତ ୨୦୧୦ ମସିହା ଅଗଷ୍ଟ ୧୧ ତାରିଖରେ ସିନ୍ଧବା ଗ୍ରାମର ସୁରେଶ କୁମାର ପଣ୍ଡା ତାଙ୍କ ମାମୁଁଙ୍କ ଝିଅକୁ ଧରି ଅନ୍ୟ ଜଣେ ସାଙ୍ଗ ସହ ଏକ ଅଟୋରେ ଭିଷ୍ମଗିରି ଅଭିମୁଖେ ଆସୁଥିଲେ। ପୋଡାଖାଲ ନିକଟରେ ସିନ୍ଧବା ଓ ଭିଷ୍ମଗିରି ଗ୍ରାମର ଅଭିଯୁକ୍ତ ମାନେ ସୁରେଶ ଓ ତାଙ୍କ ସହ ଥିବା ଅନ୍ୟ ଦୁଇ ଯୁବକ ଟୁଟୁ ଗୌଡ ଏବଂ ଭୀମସେନ ଜାନିଙ୍କୁ ଅଟକାଇ ନିସ୍ତୁକ ମାଡ ମାରି ଭିଷ୍ମଗିରି ଚୈତନ୍ୟ ନିତ୍ଯାନନ୍ଦ ମଣ୍ଡପକୁ ଆଣି ସେଠାରେ ବାହାରୁ ତାଲା ପକାଇ ଦେଇଥିଲେ।ପରେ ସେମାନଙ୍କୁ ସାତ ବେଣ୍ଟିଆ ଭାବେ ଲଣ୍ଡା କରି ବେକରେ ଜୋତାମାଳ ପିନ୍ଧାଇ ଉଭୟ ଭିଷ୍ମଗିରି ଏବଂ ସିନ୍ଧବା ଗ୍ରାମରେ ବୁଲାଇଥିଲେ। ପରେ ଖବର ପାଇ ପୋଲିସ ସେମାନଙ୍କୁ ଉଦ୍ଧାର କରିଥିଲେ। ସୁରେଶ ପଣ୍ଡାଙ୍କ ଲିଖିତ ଏତଲା ଭିତ୍ତିରେ ଦିଗପହଣ୍ଡି ପୋଲିସ ୯୨/୧୦ ପ୍ରକାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ।ତଦନ୍ତ ସମୟରେ ସିନ୍ଧବା ଗ୍ରାମର ଶଙ୍କର ମହାନ୍ତି, ବଳିଆ ମହାନ୍ତି, ପ୍ରଦୀପ ମହାନ୍ତି, ଅମୂଲ୍ୟ ମହାନ୍ତି ଏବଂ ଭିଷ୍ମଗିରି ଗ୍ରାମର ମଣ୍ଟୁ ପାଣିଗ୍ରାହୀ, ପ୍ରଶାନ୍ତ ପାଣିଗ୍ରାହୀ ଓ ଜୟ ପାତ୍ରଙ୍କ ସଂପୃକ୍ତି ପାଇ ତତ୍କାଳୀନ ତଦନ୍ତକାରୀ ପୋଲିସ ଅଧିକାରୀ ଅଭିମନ୍ୟୁ ବେହେରା ୨୦୧୦ ନଭେମ୍ବର ୮ ତାରିଖରେ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦିଗପହଣ୍ଡି କୋର୍ଟରେ ଚାର୍ଜ ସିଟ ଦାଖଲ କରିଥିଲେ।ଏହି ମାମଲାରେ ଦିଗପହଣ୍ଡି ମାଜିଷ୍ଟ୍ରେଟ ସମୁଦାୟ ୧୦ ଜଣ ସାକ୍ଷୀଙ୍କ ବୟାନ ଲିପିବଦ୍ଧ କରିଥିଲେ। ଉଭୟ ଅଭିଯୋଗକାରୀ ଏବଂ ଅଭିଯୁକ୍ତ ମାନେ ନିଜ ନିଜ ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପନ କରିଥିଲେ।ଶେଷରେ ଦିଗପହଣ୍ଡି କୋର୍ଟ ର ମାଜିଷ୍ଟ୍ରେଟ ପ୍ରିୟଦର୍ଶିନୀ ତ୍ରିପାଠୀ ସମସ୍ତ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ଶୁକ୍ରବାର ଚୂଡାନ୍ତ ରାୟ ପ୍ରକାଶ କରି ଉପସ୍ଥିତ ଥିବା ଅଭିଯୁକ୍ତ ମାନଙ୍କୁ ୯ ମାସ ଲେଖାଏଁ ଜେଲ୍ ଦଣ୍ଡରେ ଦଣ୍ଡିତ କରିବା ସହ ପ୍ରତ୍ୟେକ ଙ୍କୁ ୩୦୦୦ ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି।ଏପରିକି ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲ୍ ଯିବାକୁ ରାୟରେ ଉଲ୍ଲେଖ ରହିଥିବା ଜଣାପଡିଛି।ତେବେ ବିଚାରଣା ସମୟ ମଧ୍ୟରେ ୨ ଅଭିଯୁକ୍ତ ମଣ୍ଟୁ ପାଣିଗ୍ରାହୀ ଏବଂ ବଳିଆ ମହାନ୍ତିଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଚୂଡାନ୍ତ ରାୟ ପ୍ରକାଶ ସମୟରେ ଅନୁପସ୍ଥିତ ରହିଥିବା ଜୟ ପାତ୍ରଙ୍କ ବିରୁଦ୍ଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି କରାଯାଇଛି।ଅଭିଯୋଗକାରୀଙ୍କ ପକ୍ଷରୁ ଦାଖଲ ଏହି ମାମଲାକୁ ସରକାରୀ ଓକିଲ ନକୁଳ ପ୍ରଧାନ ଓ କ୍ଯାଡର ଏପିପି ବିପ୍ଲବ କୁମାର ମୁଦୁଲି ପରିଚାଳନା କରିଥିଲେ।