ଦିଗପହଣ୍ଡି ପଞ୍ଚାୟତ ସମିତିର ପରିବର୍ଦ୍ଧିତ ଆଲୋଚନା ସଭାରେ ସମିତି ପାଣ୍ଠି ଏବଂ ଭତ୍ତା ହିତାଧିକାରୀ ଚୟନରେ ପାତର ଅନ୍ତର ନେଇ ହଟ୍ଟଗୋଳ 

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଶୁକ୍ରବାର ପଞ୍ଚାୟତ ସମିତିର ପରିବର୍ଦ୍ଧିତ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ସୁନିତା ସେଠୀ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସ ସଭା କାର୍ଯ୍ୟ ପରିଚାଳନା କରିଥିଲେ। ଆଲୋଚନା ସଭାରେ ସମିତି ପାଣ୍ଠି ଆବଣ୍ଟନ  ଓ ବିଭିନ୍ନ ଭତ୍ତା ପାଇଁ ହିତାଧିକାରୀ ଚୟନ ରେ ବ୍ଲକ ପ୍ରଶାସନ ପାତର ଅନ୍ତର ନୀତି କରୁଥିବା ନେଇ ପ୍ରବଳ ହଟ୍ଟଗୋଳ ହୋଇଥିଲା।ପଞ୍ଚାୟତ ସମିତି ଦ୍ବାରା ପ୍ରାୟ ୩୦ ଲକ୍ଷ ଟଙ୍କାର ସମିତି ପାଣ୍ଠି କୁ କୌଣସି ସମିତି ସଭ୍ୟ ମାନଙ୍କୁ  ସୂଚନା  ଦିଆନଯାଇ କିପରି ମାତ୍ର ୪ ରୁ ୫ ଟି ପଞ୍ଚାୟତକୁ ବଣ୍ଟନ କରାଗଲା ବୋଲି ୨୬ ନଂ ଜୋନ୍ ଜିଲା ପରିଷଦ ସଦସ୍ୟ ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ପ୍ରଶ୍ନ ଉଠାଇଥିଲେ । ସେହିପରି ନୂତନ ଭାବେ ଭତ୍ତା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଚୟନ ରେ  ମଧ୍ୟ ପାତର  ଅନ୍ତର ନୀତି ହୋଇଥିବା ଅଭିଯୋଗ କରିଥିଲେ ।ବହୁ ସଂଖ୍ୟକ ସରପଞ୍ଚ ସମିତି ସଭ୍ୟା ସଭ୍ୟ ଏବଂ ଜିଲା ପରିଷଦ ସଦସ୍ୟ ମାନେ ଏହି ପ୍ରସଙ୍ଗ ରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ପ୍ରଶ୍ନବାଣ ରେ ଜର୍ଜରିତ କରି ପକାଇଥିଲେ।ପରେ ଉପସ୍ଥିତ ବିଡ଼ିଓ  ସମସ୍ତ ଅଭିଯୋଗ ର ବିଚାର କରାଯିବା ସହ ଭବିଷ୍ୟତରେ ସମସ୍ତ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କ ପରାମର୍ଶ କ୍ରମେ ସମସ୍ତ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ସ୍ଥିତି ନିୟନ୍ତ୍ରଣ ହୋଇଥିଲା।  ସେହିପରି ଗତ ୨  ଦିନ ପୂର୍ବେ ବ୍ଳକ ଅଧିନସ୍ଥ ଚଷା ନିମଖଣ୍ଡି ଗ୍ରାମ ର ଉନ୍ନିତ ବିଦ୍ୟାଳୟ ୫ ଟି ଉପକ୍ରମରେ ରୂପାନ୍ତରିତ ହୋଇଥିଲେ ମଧ୍ୟ ୨୫ ନଂ ଜୋନ୍ ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡଙ୍କୁ କୌଣସି ସୂଚନା ଦିଆଯାଇନଥିଲା । ଯାହାକୁ ନେଇ ସେ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ନିକଟରେ ଅଭିଯୋଗ ଜଣାଇଥିଲେ । ଅନ୍ୟପକ୍ଷରେ ଚଷା ନିମଖଣ୍ଡି ପଞ୍ଚାୟତ  ବଡପଦା ପ୍ରାଥମିକ ବିଦ୍ୟାଳୟକୁ ସରକାର ଉଠାଇଦେବା ଫଳରେ ଆଖପାଖ ଗ୍ରାମାଞ୍ଚଳର ବହୁ  ଛାତ୍ରୀ ଛାତ୍ର ଙ୍କ ଭବିଷ୍ୟତ ଅନ୍ଧାର ହେବାକୁ ବସିଥିବା ବେଳେ ସେମାନଙ୍କ ପାଠପଢା ବାଧାପ୍ରାପ୍ତ ହେଉଥିବା ନେଇ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ରବିଚନ୍ଦ୍ର ଗୈାଡ ଅଭିଯୋଗ କରିଥିଲେ । ଏଥିସହ ଦିଗପହଣ୍ଡି ସମନ୍ଵିତ ଶିଶୁ ବିକାଶ ଯୋଜନାର ୨୬୭ ଟି ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟରୁ ମାତ୍ର ୯୪ କେନ୍ଦ୍ରର ନିଜସ୍ଵ ଗୃହ ଥିବା ଯୋଗୁଁ ବଳକା ଅଙ୍ଗନୱାଡ଼ି କେନ୍ଦ୍ର ପରିଚାଳନାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ସିଡିପିଓ ପୁଷ୍ପାଞ୍ଜଳୀ ଶତପଥୀ ସୂଚନା ଦେଇଥିଲେ । ଦିଗପହଣ୍ଡି ବ୍ଳକର ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ୨୦୨୫ ସୁଦ୍ଧା ଶେଷ ହେବ ଏବଂ ଘୋଡାହଡ ଓ ବାଘଲଟି ଜଳଭଣ୍ଡାର ରୁ ୨୫ ଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ବିଭାଗୀୟ ଯନ୍ତ୍ରୀ ଇଂ . ଜ୍ୟୋତି ରଞ୍ଜନ ବିଶ୍ୱାସରାୟ ସୂଚନା ଦେଇଥିଲେ ।   ଆଲୋଚନା ସଭାରେ ପ୍ରଥମେ ବିଡ଼ିଓ ପଞ୍ଚାୟତ ନିର୍ବାଚିତ ପ୍ରତିନିଧି ମାନଙ୍କୁ ସ୍ବାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ । ଭାରପ୍ରାପ୍ତ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଉମେଶ ସେଠୀ ପୂର୍ବ ପଞ୍ଚାୟତ ସମିତି ବୈଠକ ର ବିବରଣୀ ପାଠ  କରିଥିଲେ ।  ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଶାନ୍ତ କୁମାର ରଥ , ବ୍ଲକ ଉପାଧ୍ୟକ୍ଷା ସୁକାନ୍ତି ପ୍ରଧାନ , ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ . ରାଜୀବ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଳକରେ ଗତ ଖରିଫ ଧାନ ଚାଷରେ ଚାଷୀମାନଙ୍କ ଠାରୁ ୩ ଲକ୍ଷ ୬ ହଜାର ୬୨ କୁଇଣ୍ଟାଲ ଧାନ ସରକାରୀ ଦରରେ କ୍ରୟ କରାଯାଇଥିବା ଯୋଗାଣ ନିରୀକ୍ଷକ ବ୍ରଜେଶ ରଏ କହିଥିଲେ । ଏହିପରି ବର୍ତ୍ତମାନ ଭତ୍ତା ହିତାଧିକାରୀ ଙ୍କୁ ଅନଲାଇନ ପେମେଣ୍ଟ ହେଉଥିବା ଯୋଗୁଁ ହିତାଧିକାରୀମାନେ ୬ ମାସ ହେଲା ଏଥିରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଥିଲା । ତେବେ ବୈଠକରେ ପୂର୍ତ୍ତବିଭାଗ , ବିଦ୍ୟୁତ ବିଭାଗ , ଗ୍ରାମ୍ୟ ଉନ୍ନୟନ ବିଭାଗ , ବନବିଭାଗ , କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ମାନେ ଅନୁପସ୍ଥିତ ରହିଥିବା ଯୋଗୁଁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସୂଚନା ଦିଆଯିବ ବୋଲି ସଭାରେ ନିଷ୍ପତ୍ତି ନିଆଯାଇଥିଲା । ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କୁଶପଡା ପଞ୍ଚାୟତ କେଦାରପୁର ହାଇସ୍କୁଲର  ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଏବଂ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗୋପୀନାଥ ପଟ୍ଟନାୟକଙ୍କୁ ନିଜର କର୍ତ୍ତବ୍ୟନିଷ୍ଠା ପାଇଁ ପଞ୍ଚାୟତ ସମିତି ପକ୍ଷରୁ ବିଡ଼ିଓ  ଓ ବ୍ଲକ ଅଧ୍ୟକ୍ଷା ଉପଢୌକନ ଓ ମାନପତ୍ର ଦେଇ ସମ୍ମାନିତ କରିଥିଲେ ଆଲୋଚନା ସଭାରେ ଜିଲା ପରିଷଦ ସଦସ୍ୟା ଏମ୍ . ଅନୁସୟା ରେଡ୍ଡୀ , ସଂଯୁକ୍ତା କବି  , ପୂର୍ବତନ ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର , ସରପଞ୍ଚ ଫନେନ୍ଦ୍ର ଚନ୍ଦ୍ର ଗୋସ୍ୱାମୀ , ସରପଞ୍ଚ ପ୍ରତିନିଧି ବି . କ୍ରିଷ୍ଣା ରାଓ ସୁବୁଦ୍ଧି , ଅଧ୍ଯକ୍ଷା ପ୍ରତିନିଧି କୃଷ୍ଣଚନ୍ଦ୍ର ସେଠୀ ଙ୍କ ସମେତ ବହୁ ସଂଖ୍ୟକ ସରପଞ୍ଚ , ସମିତି ସଭ୍ୟ ବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ