ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷା ହେଲେ ଯମୁନା ନାୟକ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ବହୁଚର୍ଚ୍ଚିତ ଦିଗପହଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷ ଉପ ନିର୍ବାଚନକୁ ନେଇ ସାଧାରଣ ଜନତାଙ୍କ ମଧ୍ୟରେ ଦୀର୍ଘଦିନ ଧରି ଯେଉଁ ଉତ୍ସୁକତା ଲାଗି ରହିଥିଲା ବୁଧବାର ତାର ପରିସମାପ୍ତି ଘଟିଛି। ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସମିତି ସଭ୍ୟା ଯମୁନା ନାୟକ ଅପ୍ରତିଦ୍ଵନ୍ଦୀ ଭାବେ ନିର୍ବାଚିତ ହୋଇ ବ୍ଳକ ଅଧ୍ୟକ୍ଷା ଆସନ ଅଳଙ୍କୃତ କରିଥିବା ବ୍ଳକ ନିର୍ବାଚନ ଅଧିକାରୀ ତଥା ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀ ଦତ୍ତ ନାୟକ ଘୋଷଣା କରିଛନ୍ତି । ଗତ ଜୁନ ୧୧ ତାରିଖରେ ବ୍ଳକ ଅଧ୍ଯକ୍ଷା ସୁନୀତା ସେଠୀଙ୍କ ଅକାଳ ବିୟୋଗ ପରେ ଏହି ବ୍ଲକ ଅଧ୍ୟକ୍ଷା ପଦ ହାସଲ ନିମନ୍ତେ ଦିଗପହଣ୍ଡି ବ୍ଲକ ର ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଯାଇଥିଲା। ଗତ ଅଗଷ୍ଟ ୩୧ ତାରିଖରେ ଏହି ଉପ ନିର୍ବାଚନ ପାଇଁ ମତଦାନ କେନ୍ଦ୍ରରେ ଗୋଟିଏ ଗୋଷ୍ଠୀ ର ୧୪ ସମିତି ସଭ୍ୟ ଉପସ୍ଥିତ ଥିବା ସମୟରେ ଅନ୍ୟ ଗୋଷ୍ଠୀର ୧୦ ସମିତି ସଭ୍ୟଙ୍କ ଦେଖା ମିଳିନଥିଲା । ଆଇନ ଶୃଙ୍ଖଳା କୁ ଆଳ କରି ପରବର୍ତ୍ତୀ ସମୟରେ ନିର୍ବାଚନ ବାତିଲ ଘଟଣା କୁ ନେଇ ଗୋଟିଏ ଗୋଷ୍ଠୀ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଏନେଇ ୧୪ ସମିତି ସଭ୍ୟା ସଭ୍ୟ ମାନ୍ୟବର ହାଇକୋର୍ଟ ରେ ପିଟିସନ ଦାୟର କରିଥିଲେ। ହାଇକୋର୍ଟ ମାମଲା କୁ ଗ୍ରହଣ କରି ପୁନର୍ବାର ତୁରନ୍ତ ନିର୍ବାଚନ କରିବାକୁ ରାଜ୍ୟ ନିର୍ବାଚନ କମିଶନ ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟ ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ପ୍ରକାରେ ବୁଧବାର ନିର୍ଦ୍ଧାରିତ ସମୟ ଅନୁସାରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଗୋଟିଏ ଗୋଷ୍ଠୀ ର ୧୪ ଜଣ ସମିତି ସଭ୍ୟା ସଭ୍ୟଙ୍କ ମଧ୍ୟରୁ ବମକେଇ ପଞ୍ଚାୟତ ସମିତି ସଭ୍ୟା ଯମୁନା ନାୟକ ଅଧ୍ଯକ୍ଷା ପଦ ପାଇଁ ନିଜର ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ତେବେ ଅନ୍ୟ ଗୋଷ୍ଠୀର ସମିତି ସଭ୍ୟ ମାନେ ଭୋଟଦାନ କେନ୍ଦ୍ରକୁ ଆସିନଥିବା ବେଳେ ଯମୁନାଙ୍କ ପ୍ରତିଦ୍ବନ୍ଦି କେହି ନଥିବା ଯୋଗୁଁ ତାଙ୍କୁ ଅପ୍ରତିଦ୍ଵନ୍ଦୀ ଭାବେ ବିଜୟୀ ଘୋଷିତ କରାଯାଇଥିଲା । ଏହି ଉପ ନିର୍ବାଚନ ସମୟରେ ଦିଗପହଣ୍ଡି , ସାନଖେମୁଣ୍ଡି ଓ ଚିକିଟି ତହସିଲଦାର ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ଭାବେ ଉପସ୍ଥିତ ଥିଲେ । ଏଥିସହ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼. ସର୍ବଣା ବିବେକ ଏମ୍ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତି ସମୀକ୍ଷା କରି ଫେରିଥିଲେ। ବ୍ଲକ କାର୍ଯ୍ୟାଳୟ ସମେତ ୧ ଶହ ମିଟର ପରିଧି ମଧ୍ୟରେ ୭ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏନେଇ ବିଜୟୀ ପ୍ରାର୍ଥୀନୀ ତଥା ନୂତନ ବ୍ଳକ ଅଧ୍ୟକ୍ଷା ଶ୍ରୀମତି ନାୟକ ଆଗାମୀ ଦିନରେ ସମସ୍ତ ପଞ୍ଚାୟତର ବିକାଶ ପ୍ରତି ଦୃଷ୍ଟି ଦେବେ ବୋଲି କହିଥିଲେ । ପରିଶେଷରେ ମୋତେ ଏଭଳି ଏକ ଗୁରୁ ଦାୟିତ୍ବ ଦିଆଯାଇଥିବା ରୁ ସମସ୍ତ ଜନସାଧାରଣ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ ।


