ଦିଗପହଣ୍ଡି ରେ ଜିଲାପାଳ ଏବଂ ଏସ.ପି ଯୁଗ୍ମ ଅଭିଯୋଗ ଶୁଣାଣି
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଏବଂ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡ଼ା. ସର୍ବଣା ବିବେକ ଏମ ଙ୍କ ଦ୍ଵାରା ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଭିଯୋଗ ଶୁଣାଣି ରେ ୧୭୨ ଜଣ ହିତାଧିକାରୀ ନାମ ପଞ୍ଜିକୃତ କରିବା ସହ ସେମାନଙ୍କ ଅଭିଯୋଗ ପ୍ରଶାସନ ନିକଟରେ ଉପସ୍ଥାପନ କରିଥିଲେ । ଜିଲାପାଳ ଏବଂ ଉପ ଜିଲାପାଳ ଦିଗପହଣ୍ଡି ଗସ୍ତରେ ଆସି ପ୍ରଥମେ ବମକୋଇ ଗ୍ରାମ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରି ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ମୋ ହସ୍ପିଟାଲ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ସୁଚିସ୍ମିତା ଚୌଧୁରୀ ଙ୍କ ସହ ଆଲୋଚନା କରିଥିଲେ । ପରେ ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ଭିଡିଓ କନଫରେନ୍ସ ହଲରେ ବ୍ଳକ ଅଧିନସ୍ଥ ନିର୍ବାଚିତ ପ୍ରତିନିଧି ମାନଙ୍କ ସହ ବିଭିନ୍ନ ପଞ୍ଚାୟତର ଉନ୍ନୟନ କାର୍ଯ୍ୟକୁ ନେଇ ସମୀକ୍ଷା କରିଥିଲେ । ପରିଶେଷରେ ବ୍ଳକ ସଭାଗୃହରେ ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସଙ୍କ ସଂଯୋଜନାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣୀରେ ଜିଲାପାଳ ଙ୍କ ସମେତ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ , ବ୍ରହ୍ମପୁର ଉପଜିଲାପାଳ ଆଶୁତୋଷ କୁଲକଣ୍ଣୀ , ଭାରପ୍ରାପ୍ତ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷା ସୁକାନ୍ତି ପ୍ରଧାନ , ତହସିଲଦାର ସିପକ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣୀରେ ବ୍ଳକର ୧୭୨ ଟି ଅଭିଯୋଗ ଶୁଣାଣୀ ଆବେଦନ କରାଯାଇଥିଲା । ଏଥିରେ ବିଭିନ୍ନ ଭତ୍ତା, , ସ୍ବାସ୍ଥ୍ୟ ସମ୍ପର୍କିତ , ରାସନ୍ କାର୍ଡ , ଶିକ୍ଷା ସମ୍ବନ୍ଧୀୟ ଉପକରଣ ସହାୟତା ସମ୍ପର୍କିତ , କୃଷି , ଜମିଜମା , ଗ୍ରାମ୍ୟ ପାନୀୟଜଳ ଯୋଗାଣ , ଆବାସ ଯୋଜନା , ମୋ ଘର ଯୋଜନା ସମ୍ପର୍କରେ ଜନଶୁଣାଣୀ ହୋଇଥିଲା । ପ୍ରଥମେ ଜିଲାପାଳ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କିତ ଅଭିଯୋଗ ଶୁଣାଣୀ କରିଥିବା ବେଳେ ଆରକ୍ଷୀ ଅଧିକ୍ଷକ ଆଇନ ଶୃଙ୍ଖଳା ସମ୍ପର୍କିତ ଅଭିଯୋଗ ଶୁଣାଣୀ କରିଥିଲେ । ଏହି ପରିପ୍ରେକ୍ଷୀରେ ଦିଗପହଣ୍ଡି ଏନ୍ ଏସି ର ଟିକିନା ମେକାପଙ୍କ ଚିକିତ୍ସା ନିମନ୍ତେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ୭ ହଜାର ଟଙ୍କାର ଆର୍ଥିକ ସହାୟତା ଜିଲାପାଳ ପ୍ରଦାନ କରିଥିଲେ । ଏଥିସହ ବିଭିନ୍ନ ପଞ୍ଚାୟତ ରୁ ଆସିଥିବା ଦିବ୍ଯାଙ୍ଗଙ୍କ ନିମନ୍ତେ ୩ ଟି ଟ୍ରାଇ ସାଇକେଲ ଓ ୧ ଗୋଟି ହୁଇଲ ଚେୟାର ସହ କିଛି ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ । ଶେଷରେ ସହଦେବ ଟିକରପଡା ପଞ୍ଚାୟତର ଆଦିବାସୀ ବହୁଳ ଗ୍ରାମ ମାନଙ୍କରେ ବାସ କରୁଥିବା ଅଧିବାସୀଙ୍କ ନିମନ୍ତେ ପାନୀୟ ଜଳର ବ୍ୟବସ୍ଥା ସମେତ ସରକାରୀ ସହାୟତା ସେମାନଙ୍କ ନିକଟରେ କିପରି ସୁବିଧାରେ ପହଞ୍ଚି ପାରିବ ଏବଂ ଲୋକଙ୍କ ଯାତାୟାତ ନିମନ୍ତେ ରାସ୍ତା ସଂପ୍ରସାରଣ ନିମନ୍ତେ ଅଭିଯୋଗ ଶୁଣାଣୀରେ ସମୀକ୍ଷା କରାଯାଇଥିଲା। ଏଥିରେ ବ୍ଳକ ଅଧିନସ୍ଥ ବିଭିନ୍ନ ବିଭାଗର ଅଧିକାରୀ ବୃନ୍ଦ ଉପସ୍ଥିତ ଥିବା ବେଳେ ପଞ୍ଚାୟତ ନିର୍ବାହୀ ଅଧିକାରୀ , ଗ୍ରାମ ରୋଜଗାର ସେବକ ଓ ଯୋଗାଣ ସହାୟକ ମାନେ ଜନସାଧାରଣ ଙ୍କ ଅଭିଯୋଗ ପଞ୍ଜୀକରଣ କାର୍ଯ୍ଯରେ ସହଯୋଗ କରିଥିଲେ ।


