ଦିଗହରା ପାଣି ପଞ୍ଚାୟତ ବ୍ୟବସ୍ଥା, ନିର୍ବାଚନ ପରେ ଠିକାଦାର କରୁଛନ୍ତି କୃଷି ସମ୍ବନ୍ଧୀୟ ଉନ୍ନୟନମୂଳକ କାର୍ଯ୍ୟ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): କୃଷି ଉତ୍ପାଦନ ବୃଦ୍ଧି ସହିତ ଜଳସମ୍ପଦର ସୁବିନିଯୋଗ, ଜଳସମ୍ପଦ ପ୍ରଣାଳୀର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ କୃଷକ ମାନଙ୍କ ସାମାଜିକ ତଥା ଆର୍ଥିକ ସ୍ଥିତିର ଉନ୍ନତି ପାଇଁ ରାଜ୍ୟ ସରକାର ୨୦୦୫ମସିହାରେ ବିଧିବଧ ଭାବେ ପାଣି ପଞ୍ଚାୟତ ବ୍ୟବସ୍ଥା ଆରମ୍ଭ କରିଥିଲେ । କୃଷକମାନଙ୍କୁ ନେଇ ଏକ ନିର୍ବାଚନ ପ୍ରକ୍ରିୟା ମାଧ୍ୟମରେ ସଭାପତି, ସମ୍ପାଦକ ଓ କୋଷାଧ୍ୟକ୍ଷ ପାଇଁ ଜଳସମ୍ପଦ ବିଭାଗ ଜରିଆରେ ବ୍ୟବସ୍ଥା କରାଯାଇଥିଲା । ଲକ୍ଷ୍ୟ ଥିଲା କୃଷି କ୍ଷେତ୍ରର ଅଗ୍ରଗତି ସହିତ କୃଷକ ମାନଙ୍କ ସର୍ବାଙ୍ଗିନ ଉନ୍ନତି । କିନ୍ତୁ ବ୍ୟବସ୍ଥା ଆଜି ଦିଗହରା ହୋଇଯାଇଥିବା ମନେହୁଏ । ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲାରେ ବୈତରଣୀ ଓ ସାଳନ୍ଦୀ କମାଣ୍ଡ ଅଧିନରେ ମୋଟ ୧୪୭ଟି ପାଣି ପଞ୍ଚାୟତ ଗଠନ କରାଯାଇଛି । ଗଣତାନ୍ତ୍ରୀକ ପଦ୍ଧତିରେ ପ୍ରତି ୩ବର୍ଷରେ ଥରେ ନିର୍ବାଚନ କରାଯାଇ ପାଣିପଞ୍ଚାୟତ ଗଠନ ହେଉଥିଲେ ସୁଦ୍ଧା ପ୍ରକୃତ ପକ୍ଷେ କୃଷିକ୍ଷେତ୍ରରେ ବିଭିନ୍ନ ଉନ୍ନମୂଳକ କାର୍ଯ୍ୟ ଠିକାଦାର ହିଁ କରୁଛନ୍ତି । ଜିଲ୍ଲାର ଧାମନଗର, ଭଣ୍ଡାରିପୋଖରୀ, ବନ୍ତ, ବାସୁଦେବପୁର ପ୍ରମୁଖ ଅଞ୍ଚଳରେ କାଡାନାଳ ଠାରୁ କେନାଲ ସଫା ଯାଏଁ ସମସ୍ତ କାର୍ଯ୍ୟ ଠିକାଦାର ମାନଙ୍କ ହାତକୁ ଟେକିଦିଆଯାଉଛି । ଯଦିଓ କିଛି ଅଳ୍ପ ସଂଖ୍ୟକ ପାଣି ପଞ୍ଚାୟତ କତ୍ତୃପକ୍ଷ ନିଜ କୃଷିକ୍ଷେତ୍ର ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ କରୁଛନ୍ତି । ଅଦ୍ୟାବଧି ମିଳିଥିବା ସୂଚନା ମୁତାବକ ଆଖୁଆପଦା, ଭଣ୍ଡାରିପୋଖରୀ, ବାରିକପୁର, ମଞ୍ଜୁରୀରୋଡ, ଧାମନଗର, ଶାଳଣିଆ ପ୍ରମୁଖ ଜଳସମ୍ପଦ ବିଭାଗ ଅଧିନରେ କିଛି ପାଣି ପଞ୍ଚାୟତ ନିର୍ବାଚନ ଇତିମଧ୍ୟରେ ଶେଷ ହୋଇଛି । ଏସମସ୍ତ ପାଣି ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟକୁ ପେଟି ଠିକାଦାର ମାନେ କେଉଁଭଳି ଭାବେ ହାତେଇବେ ଏବେ ଠାରୁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଲେଣି । ପୂର୍ବରୁ ଷ୍ଟେଟ ପ୍ଲାନ, କାଡା ଓ ଜଳସମ୍ପଦ ବିଭାଗର ବାର୍ଷିକ ଅନୁଦାନରେ କାର୍ଯ୍ୟ ହେଉଥିବାବେଳେ ଠିକାଦାର ମାନେ ଏହାକୁ ଅତି ସହଜରେ ହାତେଇ ନେଇ ମାଲେମାଲ ହୋଇଛନ୍ତି । କାଗଜପତ୍ରରେ ସଭାପତି ସମ୍ପାଦକଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲେ ସୁଦ୍ଧା କାର୍ଯ୍ୟ କ୍ଷେତ୍ରରେ କିନ୍ତୁ ଠିକାଦାର ଅନ୍ୟୁନତ କାର୍ଯ୍ୟକରି ସମସ୍ତଙ୍କ ମନ ବୁଝେଇ ନିଜେ ବଡଲୋକ ହୋଇଛନ୍ତି । ଏହି ବିଧି ଦୀର୍ଘଦିନ ହେବ ଚାଲି ଆସୁଥିବାବେଳେ ଆସନ୍ତା ୨୦-୨୧ଆର୍ଥିକ ବର୍ଷରେ ଏନଆରଇଜିଏସ ଜରିଆରେ କେନାଲ କାମ ସହିତ କାଡାନାଳ କାର୍ଯ୍ୟ ହେବ ବୋଲି ଜଣାପଡିବା ପରେ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପେଟି ଠିକାଦାରଙ୍କ ମଧ୍ୟରେ ଭାଳେଣୀ ପଡିଗଲାଣି । ପ୍ରକୃତ ପକ୍ଷେ କୃଷିର ଉନ୍ନତି ପାଇଁ ସରକାର ଯେଉଁ ଲକ୍ଷ ରଖି ପାଣି ପଞ୍ଚାୟତ ବ୍ୟବସ୍ଥା ଆରମ୍ଭ କରିଥିଲେ ତାହା ଆଜି ଠିକାଦାରଙ୍କ ହାତକୁ ଚାଲିଯାଇଥିବା କହିଲେ ଅତ୍ୟୁକ୍ତି ହେବ ନାହିଁ । ନାମକୁ ମାତ୍ର ଚାଷୀ ଓ ପାଣି ପଞ୍ଚାୟତ ଗଠନ କାଗଜପତ୍ରରେ ହେଉଥିବାବେଳେ ଉନ୍ନୟନମୂଳକ କାମନାରେ ଲକ୍ଷଲକ୍ଷ ଟଙ୍କା ହରିଲୁଟ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ମଧ୍ୟ ହେଉଛି । ତେଣୁ ଏଥିପ୍ରତି ସରକାର ଦୃଷ୍ଟିଦେଇ ବ୍ୟବସ୍ଥାଗତ ଭାବେ ପରିବର୍ତ୍ତନ ନଆଣିଲେ ପାଣିପଞ୍ଚାୟତ ନୀତିଆଦର୍ଶ ନଷ୍ଟ ହେବ ଏଥିରେ ସନ୍ଦେହ ନାହିଁ ।