ଦିନକ ପରେ ମହାଶିବରାତ୍ରୀ, ଶୈବପୀଠ ଚଳଚଞ୍ଚଳ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ଦିନକ ପରେ ଅର୍ଥାତ ବୁଧବାର ଦେବ ଦେବ ମହାଦେବଙ୍କ ପର୍ବ ମହାଶିବରାତ୍ରୀ ବା ଜାଗର ଯାତ୍ରା । ଏଥି ସକାଶେ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳ ଗୁଡିକରେ ଅବସ୍ଥାପିତ ଶୈବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି । ହିଞ୍ଜିିଳିକାଟୁ ପୌରାଞ୍ଚଳ ଲକ୍ଷ୍ମୀ ବଜାର ସ୍ଥିତ ଚନ୍ଦ୍ରକଳ୍ପେଶ୍ୱର, ହିଞ୍ଜିଳି ସ୍ୱପ୍ନେଶ୍ୱର, ଆଙ୍କୋରଡା କପିଳେଶ୍ୱର, ନୂଆଁଗଡ଼ ବାଲୁଙ୍କେଶ୍ୱର, ବଇଁଚବଣିଆ ପାବନ ଶ୍ରୀକ୍ଷେତ୍ର ପରିସରସ୍ଥ ପଶ୍ଚିମାଭିମୁଖୀ କାଶୀ ବିଶ୍ୱନାଥ, ସ୍ଥାନୀୟ ବ୍ଳକ ନୁଆଁବୁରୁପୋଡ଼ା ଶ୍ୟାମଳାଇ ସ୍ଥିତ ମୁଦୁକେଶ୍ୱର, ଅନ୍ତରିଗାଁ ଗୁପ୍ତେଶ୍ୱର, ଆଡପଡା ଇଶାଣେଶ୍ୱର, ବେଲଗାଁ ବେଲେଶ୍ୱର, ପୋଚିଲିମା ବାଲୁଙ୍କେଶ୍ୱର, ଦୁର୍ବନ୍ଧ ସ୍ୱପ୍ନେଶ୍ୱର ଓ ନିଳକଣ୍ଠେଶ୍ୱର, ସାରୁ ସ୍ବପ୍ନେଶ୍ୱର, କଞ୍ଚୁରୁ ସ୍ୱପ୍ନେଶ୍ୱର, କଣ୍ଟେଇକୋଳି ରାମେଶ୍ୱର, ବଡଖଣ୍ଡି ଚନ୍ଦ୍ରକଳ୍ପେଶ୍ୱର, ମକରଝୋଳ ରାମେଶ୍ୱର, ଗୋଦରାପଲ୍ଲୀ ଗୋକର୍ଣ୍ଣେଶ୍ୱର, ଶାସନଆମ୍ବଗାଁ ରାମେଶ୍ବର ସମେତ ନିକଟବର୍ତ୍ତୀ ଗ୍ରାମରେ ଅବସ୍ଥାପିତ ଶୈବପୀଠ ଗୁଡ଼ିକ ଚଳଚଞ୍ଚଳ ହୋଇପଡିଛି । ଜାଗର ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ଲାଗି ବିଭିନ୍ନ ମନ୍ଦିର ପରିଚାଳନା କମିଟି ପକ୍ଷରୁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଶୈବପୀଠ ଗୁଡ଼ିକରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ସାଦା ପୋଷାକ ଧାରୀ ପୋଲିସ ମୃତୟନ କରାଯିବା ବ୍ୟବସ୍ଥା ରହିଛି । ଅନ୍ୟପକ୍ଷରେ ଭକ୍ତମାନେ କିପରି ସୁବିଧା ସୁଯୋଗରେ ଶାନ୍ତି ଶୃଙ୍ଖଳାର ସହ ପୂଜାର୍ଚ୍ଚନା କରିବେ ସେ ନେଇ ମନ୍ଦିର କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାୟତଃ ସମସ୍ତ ଶୈବପୀଠ ଗୁଡିକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି ଏବଂ ଜାଗର ଯାତ୍ରା ରାତ୍ର ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ନେଇ ସୂଚନା ମିଳିଛି । ମହାଶିବରାତ୍ରୀ ପାଇଁ ସ୍ଥାନୀୟ ପୂଜା ବଜାର ସରଗରମ ହୋଇପଡିଥିବା ବେଳେ ଫଳ ଦୋକାନ ଗୁଡିକରେ ଗ୍ରାହକ ମାନଙ୍କ ଅସମ୍ଭବ ଭିଡ ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ