ଦିନ ୧୨ଟା ପରେ ହିଞ୍ଜିଳି ଶୁନଶାନ୍ ଦୁର୍ବିସହ ହେଉଛି ଶ୍ରମିକ ଓ ବୁଲା ବିକାଳୀଙ୍କ ଜୀବନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ଏବେ ଗୋଷ୍ଠୀ ସଂକ୍ରମଣ ମୁହାଁ । ଏହାକୁ ପ୍ରତିହିତ କରିବାକୁ ଜିଲ୍ଲା ପ୍ରଶାସନ ପୁଣି କଡ଼ା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ପ୍ରତ୍ୟେହ ସକାଳ ୭ଟା ଠାରୁ ମଧ୍ୟାନ୍ନ ୧୨ଟା ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀର ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯିବା ସହ ବିଭିନ୍ନ କଟକଣା ଜାରି ହୋଇଛି । ଏହା ସହ ମଧ୍ୟାନ୍ନ ୧୨ଟା ଠାରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ (୧୯ ଘଂଟା ସକାଶେ ) ସମ୍ପୁର୍ଣ୍ଣ ଲକଡ଼ାଉନ ଘୋଷଣା କରି ଏହାକୁ କଡ଼ା କଡ଼ି ଭାବେ ପାଳନ କରିବାକୁ ନିଷ୍ପତି ନିଆଯାଇଛି । ତେବେ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତି ପରେ ହିଞ୍ଜିଳି ସହର ସମ୍ପୁର୍ଣ୍ଣ ଶୁନଶାନ୍ ହୋଇ ପଡ଼ିଛି । ଅନ୍ୟ ପକ୍ଷରେ ବହୁ କ୍ଷୁଦ୍ର ବ୍ୟବସାୟି, ବୁଲା ବିକାଳି, ଫଳ ବେପାରୀ, ଗରିବ ଖଟିଖିଆ ଓ ନିମ୍ନବର୍ଗର ମଧ୍ୟବିତ୍ ପରିବାରର ମୁଣ୍ଡ ଉପରେ ଚଡ଼କ ପଡ଼ିଛି । ସରକାରଙ୍କ ଅନଲକ୍-୧ ମାର୍ଗଦର୍ଶିକା ଅନୁଯାୟୀ ମାସର ପ୍ରତ୍ୟେକ ସପ୍ତାହର ଶେଷ ୨ ଦିନ ଶନିବାର ଓ ରବିବାର ସମ୍ପୁର୍ଣ୍ଣ ସଟଡ଼ାଉନ ଘୋଷଣା କରାଯାଇଛି । ସଟଡ଼ାଉନ ଯୋଗୁଁ ଠେଲା ଗାଡ଼ିରେ ବେପାର କରି ପରିବାର ପ୍ରତିପୋଷଣ କରୁଥିବା ବ୍ୟବସାୟୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଦିନତମାମ ପସରା ଖୋଲି ବସିଲେ ମଧ୍ୟ ଲୋକଙ୍କ ଘରୁ ବାହାରିବା କମି ଯାଇଥିବାରୁ ବେପାର ଆଶାତୀତ ହୋଇ ପାରୁନାହିଁ । ଲାଭ ପାଇଁ ଆଶା ବାନ୍ଧିଥିବା ଠେଲା ଗାଡ଼ି ବେପାରୀ ବହୁତ କ୍ଷତି ସହି ଋଣଭାରରେ ବୁଡ଼ିଗଲେଣି । ବଡ଼ ବଡ଼ ବ୍ରବସାୟୀଙ୍କ ପାଇଁ ସକାଳ ୭ ରୁ ୧୨ ଟା ମଧ୍ୟରେ ବେପାର କୌଣସି ପ୍ରଭାବ ପକାଉନଥିବା ବେଳେ ଖୁଚୁରା ବେପାରୀ, ଠେଲାଗାଡ଼ି ବେପାରୀ, ଜଳଖିଆ ଦୋକାନୀଙ୍କଅବସ୍ଥା ଶୋଚନୀୟ ହୋଇପଡୁଛି । କରୋନାରେ ଜୀବନ ଭୟକୁ ସେପଟେ ରୋଜଗାର ବନ୍ଦ ହୋଇଯିବାରୁ ଘରେ ଚୁଲି ଜଳିବା କଷ୍ଟକର ହୋଇପଡ଼ିଛି । ଗୋକର ଜ୍ଜଳା ସହିହେଉନି । ଅନ୍ୟପକ୍ଷରେ ଦିନ ମଜୁରିଆଙ୍କ କଥା କହିଲେ ନସରେ । କରୋନା ପୂର୍ବରୁ ବିଭିନ୍ନ ଗ୍ରାମର ଲୋକେ ସୁରତ, ମୁମ୍ବାଇ, ଚେନ୍ନାଇ, କେରଳ ପ୍ରମୁଖ ସହରକୁ ଯାଇ କାମ କରି ବେଶ କିଛି ଟଙ୍କା ରୋଜଗାର କରିବା ପରେ କିଛି ଅର୍ଥ ଘରକୁ ପଠାଉଥିଲେ । ଅନ୍ୟପଟେ ସ୍ତ୍ରୀ ଲୋକ ମାନେ ମଧ୍ୟ ମୁଲ କାମକୁ ଯାଇ କିଛି ଟଙ୍କା ରୋଜଗାର କରୁଥିଲେ । ପରିବାର ବେଶ ହସଖୁସିରେ ଚାଲିଥିଲା ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବା ପରେ ପ୍ରବାସୀ ମାନେ ଘରକୁ ପ୍ରତ୍ୟାଗମନ କରିଥିଲେ । ଭିଟାମାଟିରେ କାମ ମିଳୁନଥିବାରୁ ପ୍ରବାସୀ ଓ ଶ୍ରମିକ ବା ଦିନ ମଜୁରିଆ ମାନେ ଓଳିଏ ଖାଇ ଓଳିଏ ଭୋକ ଉପାସରେ ରହୁଛନ୍ତି । ଏଭଳି ପରିସ୍ଥିତିରେ ଲୋକଙ୍କୁ ରୋଜଗାରକ୍ଷମ ନକଲେ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଏଡ଼ାଇ ଦେଇହେବ ନାହିଁ ବୋଲି ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।