ଦିବ୍ୟାଙ୍ଗ ଘନଶ୍ୟାମଙ୍କୁ ମିଳିଲା ଟ୍ରାଇସାଇକେଲ, ଭତ୍ତା ପ୍ରଦାନ ନେଇ ପ୍ରଶାସନର ତତ୍ପରତା

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ରାମକୃଷ୍ଣପୁର ପଞ୍ଚାୟତ ନଈପାରିଗଢିଆ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ଘନଶ୍ୟାମ ଯେନା ଦୟନୀୟ ଅବସ୍ଥାରେ ଦିନ କାଟୁଥିବା ବେଳେ ତାଙ୍କୁ ସରକାରୀ ସହାୟତା ମିଳୁନଥିବା ନେଇ ଗତ ୪ ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରିତ ହୋଇଥିଲା । ଫଳରେ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗତ ୨ ଦିନ ତଳେ ବିଡିଓ ରେବେକା ବିଲୁଙ୍ଗ ସଂପୃକ୍ତ ଦିବ୍ୟାଙ୍ଗଙ୍କ ଘରକୁ ଯାଇ ସମସ୍ୟା ସଂପର୍କରେ ପଚାରି ବୁଝିବା ସହ ସରକାରୀ ସହାୟତା ପ୍ରଦାନ ନେଇ ଆବଶ୍ୟକ କାଗଜ ପତ୍ର ସଂଗ୍ରହ କରିଛନ୍ତି । ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଁ ଅନଲାଇନ୍‌ରେ ଆବେଦନ କରାଯାଇଥିବା ବେଳେ କୋଭିଡ୍ କଟକଣା ପାଇଁ ତାଙ୍କୁ ମିଳି ପାରି ନାହିଁ । ଏହା ସତ୍ତେ ବିଡିଓ ସଂପୃକ୍ତ ଦିବ୍ୟାଙ୍ଗଙ୍କୁ ଟ୍ରାଇସାଇକେଲ ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ସହ ଭତ୍ତା ପାଇବା ପାଇଁ ଚିଠି ନଂ-୨୬୯୩/ତା-୫-୧୦-୨୦ ମୂଳେ ଉପଜିଲ୍ଲାପାଳଙ୍କ ନିକଟକୁ ମଞ୍ଚୁର ପାଇଁ ଭତ୍ତା ଫର୍ମ ପଠାଇଥିବା ସୂଚନା ମିଳିଛି । ବିଡିଓଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବେନ୍ଦ୍ର ଦଳେଇ ସମତିସଭ୍ୟାଙ୍କ ଉପସ୍ଥିତିରେ ସଂପୃକ୍ତ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘରେ ପହଂଚି ତାଙ୍କୁ ଟ୍ରାଇସାଇକେଲ ପ୍ରଦାନ କରିଥିବା ଜଣାଯାଇଛି । ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଦାୟୀତ୍ୱରେ ଥିବା ଅଧିକାରୀ ନିଶାକର ଖୁଣ୍ଟିଆ ଭତ୍ତା ଫର୍ମ ମଞ୍ଚୁର ନେଇ ଉପଜିଲାପାଳ ଅଫିସ ଯାଇଥିବା ସୂଚନା ମିଳିଛି । ପ୍ରକାଶ ଥାଉକି, ଦୀର୍ଘ ୧ ବର୍ଷ ହେବ ଘନଶ୍ୟାମ ଟି.ବି, ଡାଇବେଟିସ୍‌, ଗ୍ୟାଷ୍ଟିକ୍‌, ପାରାଲିସିସ ଆଦି ବିଭିନ୍ନ ରୋଗରେ ପିଡିତ ହୋଇ ଶର୍ଯ୍ୟାଶାୟୀ ଥିଲେ । ଏବେ ଠିକ୍ ଭାବେ ଚାଲି ପାରୁନାହାନ୍ତି । ବାଡି ତାଙ୍କ ପାଇଁ ଆଶ୍ରା ହୋଇଛି । ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନାହିଁ । ତାଙ୍କର ପତ୍ନୀ ସମେତ ୮ ବର୍ଷର ଝିଅ ଓ ୨ ବର୍ଷର ପୁଅ ଅଛି । ସରକାରୀ ସହାୟତା କହିଲେ କେବଳ ଚାଉଳ ମୁଠାଏ ପାଉଛନ୍ତି । ଜମିବାଡି ନଥିବାରୁ ପରିବାର ଚଳାଇବା ତାଙ୍କ ପାଇଁ କଷ୍ଟକର ହୋଇପଡିଛି । ଫଳରେ ବିଭିନ୍ନ ବଜାର ବୁଲି ଭିକ୍ଷାବୃତ୍ତି କରି ପରିବାର ଚଳାଉଛନ୍ତି । ଅଧିକାଂଶ ସମୟ ଭୋକ ଉପାସରେ ଦିନ କଟୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ