ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ପାଇଁ ଚିହ୍ନଟ ଶିବିର
ବୁଗୁଡା, (ଅନିଲ ମହାରଣା):ସମଗ୍ର ଶିକ୍ଷା, ଗଞ୍ଜାମ ଜିଲ୍ଲା ପକ୍ଷରୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ସହାୟକ ଉପକରଣ ପ୍ରଦାନ ପାଇଁ ଚିହ୍ନଟ ଶିବିର ସେପ୍ଟେମ୍ବର ୨୧ ତାରିଖ ଦିନ ବୁଗୁଡା ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପୋଲସରା ଏବିଇଓ ସୂରୁପ କୁମାର ପାତ୍ର ଯୋଗଦେଇଥିଲେ । ଚିହ୍ନଟ କରଣ ପାଇଁ ଭୁବନେଶ୍ବର ଆଲିମକୋ ର ଡାକ୍ତର ନିବେଦିତା ପୃଷ୍ଟି, ଡାକ୍ତର ସୋନାଲି ମିଶ୍ର, ଡାକ୍ତର ଦିପକ କୁମାର ଜେନା, ଡାକ୍ତର ସୌମ୍ୟ ରଞ୍ଜନ ପତି ଯୋଗଦେଇ ଦିବ୍ୟାଙ୍ଗ ଶିଶୁଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ବିଭିନ୍ନ ଉପକରଣ ପାଇବା ପାଇଁ ଯୋଗ୍ୟ ଦିବ୍ୟାଙ୍ଗ ଶିଶୁମାନଙ୍କୁ ଚିହ୍ନଟ କରିଥିଲେ। ବୁଗୁଡ଼ା ଓ ପୋଲସରା ବ୍ଲକର ୯୭ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୭ ଜଣ ଶ୍ରବଣ ଯନ୍ତ୍ର, ହୁଈଲ ଚେୟାର, ତିନି ଚକିଆ ସାଇକେଲ, ଆଶାବାଡି, କଲିପର ଜୋତା ପ୍ରଭୃତି ବିଭିନ୍ନ ଉପକରଣ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ। ଏମ.ଡମ୍ବୁରୁଧର ଦୋରା ଶିବିର ପରିଚାଳନା କରିଥିବା ବେଳେ ବି.ଆର.ଟି. ସୋନାଲିନ୍ ପଣ୍ଡା ଓ ସୁଶାନ୍ତ କୁମାର ଡାକୁଆ ଏବଂ ଉପେନ୍ଦ୍ର ସେଠୀ, କମଳିନୀ ମହାପାତ୍ର ଓ ବିଦ୍ୟାଳୟର ସମସ୍ତ ଶିକ୍ଷୟିତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।