ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପକ୍ଷରୁ ଲକ୍ଷ୍ମୀପୂଜା ସଂସ୍କାର ପାଇଁ ସଚେତନତା ବାର୍ତ୍ତା
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ତୁଳସୀ କ୍ଷେତ୍ରର ଆରାଧ୍ୟ ଶ୍ରୀ ସିଦ୍ଧ ବଳଦେବଜୀଉ ମହାପ୍ରଭୁଙ୍କ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଳେ କେନ୍ଦ୍ରାପଡାବାସୀ ସେଥିପାଇଁ ଗର୍ବିତ ଓ ଧନ୍ୟ । ତେଣୁ ଏହି ପବିତ୍ର କ୍ଷେତ୍ରର ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ସମ୍ମାନ ରକ୍ଷା କରିବା କେନ୍ଦ୍ରାପଡାବାସୀଙ୍କ ପ୍ରମୁଖ କର୍ତ୍ତବ୍ୟ । କେନ୍ଦ୍ରାପଡାରେ ଅନେକ ଐତିହ୍ୟ ରହିଥିବା ବେଳେ ସେଥିମଧ୍ୟରୁ ଗଜଲକ୍ଷ୍ମୀ ପୂଜା ଅନ୍ୟତମ ଓ ସ୍ୱତନ୍ତ୍ରତାର ମାନ୍ୟତା ପାଇଛି । ଆସନ୍ତା ଲକ୍ଷ୍ମୀପୂଜାରେ ନୂତନ ପଦ୍ଧତିରେ ପୂଜା କରିବା ପାଇଁ ଏବଂ ବର୍ତ୍ତମାନର ସମାଜର ପରିସ୍ଥିତିକୁ ଦୃଷ୍ଟିରେ ରଖି ଆମ ସଂସ୍କୃତି ଓ ସମାଜର ସଂସ୍କାରକୁ ସୁଧାରିବା ନିମନ୍ତେ ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ – ଶିବାନନ୍ଦ ଆଶ୍ରମ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି । ଏହି ପୂଜା ନିମନ୍ତେ ଧନ ଖର୍ଚ୍ଚ କରାଯାଉଥିବା ବେଳେ ପରିଶ୍ରମ ମଧ୍ୟ କରାଯାଉଛି କିନ୍ତୁ ମା’ଲକ୍ଷ୍ମୀଙ୍କ ଆଶ୍ରିର୍ବାଦ ମିଳିବା ପାଇଁ ମାଁଙ୍କୁ ଖୁସିହେଲାପରି କାର୍ୟ୍ୟ କରିବା ଉଚିତ । ମା’ ଜଗତଜନନୀ ମହାଲକ୍ଷ୍ମୀ ଆସୁଛନ୍ତି ଆମ ଘରକୁ ବା ଆମ ସହରକୁ । ଆମେ ମା’ଙ୍କୁ କିପରି ସ୍ୱାଗତ କରିବା ସେହି ବିଚାର ଆମମାନଙ୍କର ମୁଖ୍ୟ କର୍ତ୍ତବ୍ୟ ଭାବିବା ଉଚିତ । ମା’ଲକ୍ଷ୍ମୀ ହେଉଛନ୍ତି ଆମ ପ୍ରତ୍ୟେକ ଘରର କୁଳଦେବୀ । ତେଣୁ ଆମ ସହରକୁ ପବିତ୍ରତାରେ ଭରିଦେବା । ମନରୁ ସବୁକିଛି ଭୁଲି ସମସ୍ତେ ମିଳିମିଶି କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଭାଇଚାରାକୁ ବଜାୟ ରଖିବା ପାଇଁ ଆଗାମୀ ଲକ୍ଷ୍ମୀ ପୂଜା ଆମ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଏକ ସପ୍ତାହ ଧରି ଏହି ଉତ୍ସବକୁ ପାଳନ କରିବା ବେଳେ ସହରରେ ଆମିଷ ଭକ୍ଷଣକୁ ନିଷେଧ କରାଯିବା,ପ୍ରତ୍ୟେକ ଘରର ଦୁଆର ମୁହଁରେ କଳସ ସ୍ଥାପନ କରାଯିବା ସହ ଆମ୍ବପତ୍ର,ତୋରଣ ଓ କଦଳୀଗଛ ରଖାଯିବା, ପ୍ରତି ପୂଜା ମଣ୍ଡପରେ ଅଶ୍ଳୀଳ ସଂଗୀତ,ନାଚ ପରିବର୍ତ୍ତେ ଭଖ୍ତି ସଂଗୀତ ଓ ଓଡିଶୀ ନୃତ୍ୟ ପରିବେଷଣ ହେବା,ନିଷାଦ୍ରବ୍ୟ ସେବନ,ଧୁମପାନ ନିଷେଧ କରାଯିବା,ପ୍ରତି ମଣ୍ଡପରେ ଲକ୍ଷ୍ମୀ ପୁରା.ଗୀତା,ଭାଗବତ,ରାମାୟଣ ଇତ୍ୟାଦି ପୁରାଣ ପଢାଯିବା ସହ ଭଜନ କୀର୍ତ୍ତନ ଓ ସଂକୀର୍ତ୍ତନ କରାଯିବା ଆବଶ୍ୟକ ବୋଲି ଗରାପୁର ଦିବ୍ୟ ଜୀବନ ସଙ୍ଘ,ଶିବାନନ୍ଦ ଆଶ୍ରମର ସ୍ୱାମୀ ଦିବ୍ୟସ୍ୱରୁପାନନ୍ଦଜୀ (ଶ୍ରୀମା) କହିଛନ୍ତି । ଏହିସବୁ ନିୟମ ପାଳନ କରାଗଲେ ଆଗାମୀ ପିଢି ପାଇଁ ତୁଳସୀ କ୍ଷେତ୍ରରେ ମା’ଲକ୍ଷ୍ମୀଙ୍କ ପୂଜା ଏକ ଆଦର୍ଶ ପର୍ବ ଭାବେ ସ୍ମୃତି ହୋଇ ରହିବ । ଏହାର ପ୍ରଭାବ ପଡୋଶୀ ଜିଲ୍ଲାଗୁଡିକରେ ପଡିବ । ଆମ ଭିତରେ ଉତ୍ତମ ସଂସ୍କାର ଆସିବା ସହିତ ପରିବେଶ ଅତି ସୁନ୍ଦର,ନିର୍ମଳ,ଆନନ୍ଦ ମୁଖର ହୋଇପଡିବ । ସହରରୁ ସମସ୍ତ ଆବର୍ଜ୍ଜନା ହଟେଇଦବା ଓ ମନ ଭିତରୁ ସମସ୍ତ ଭେଦଭାବ ଦୂରେଇଦେବା ବର୍ତ୍ତମାନର ସମାଜ ଆମ ଠାରୁ ଏହାହିଁ ଚାହୁଁଛି ବୋଲି ସେ କହିଛନ୍ତି । ଆମ୍ଭମାନେ ମିଳିତ ଭାବରେ ବୈଦିକ ମତରେ ପବିତ୍ର ଭାବରେ ପୂଜା କରିବା ସହ କେନ୍ଦ୍ରାପଡାର ପ୍ରସିଦ୍ଧ ତୁଳସୀ କ୍ଷେତ୍ରାଧିପତି ପ୍ରଭୁ ଶ୍ରୀବଳଦେବଜୀଉଙ୍କ ମର୍ୟ୍ୟାଦା ରକ୍ଷା କରିବାକୁ ହେଲେ ଆମେ ଶ୍ରଦ୍ଧା,ଭକ୍ତି,ପବିତ୍ରତା ଓ ସଦାଚାର ସହକାରେ ଏହି ଉତ୍ସବକୁ ପାଳନ କଲେ ଏହା ଆମ ପାଇଁ ପ୍ରକୃତ ପୂଜା ହେବ । ଏତଦଭିନ୍ନ ଆମେମାନେ ଯେଉଁ ଅର୍ଥ ବାଜା,ବାଣ,ନାଚ, ଗୀତ ଓ ନିଶାଦ୍ରବ୍ୟରେ ନଷ୍ଟ କରୁଛନ୍ତି ସେଇ ଅର୍ଥ ରଖି ମିଳିତ ଭାବେ ବା ନିଜ ନିଜ ମଣ୍ଡପମାନଙ୍କ ଦ୍ୱାରା ଦୁଖି,ଦରିଦ୍ର,ରୋଗୀ ସେବା ଭଳି ଜନସେବାରେ ବିତରଣ କଲେ ତାହାହିଁ ପ୍ରକୃତ ପୂଜା ହେବ ବୋଲି ସ୍ୱାମୀ ଦିବ୍ୟସୂରୁପାନନ୍ଦଜୀ(ଶ୍ରୀମା) ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।