ଦିଲ୍ଲୀରେ ଓଡ଼ିଶାର ଉତ୍କଳୀୟ ପରମ୍ପରା ବାଲିଯାତ୍ରା ଓ ବୋଇତ ବନ୍ଦାଣ ଉତ୍ସବ ମହା ଆଡମ୍ବରରେ ପାଳିତ

ଦିଲ୍ଲୀ, (ଓ୍ବାଇଏନ୍ଏସ୍):ଓଡ଼ିଶାର ଉତ୍କଳୀୟ ପରମ୍ପରା କାହିଁ କେଉଁ ଯୁଗରୁ ରହିଆସିଛି | ବିଭିନ୍ନ କ୍ଷେତ୍ରରେ ଉତ୍କଳ ବାସି ବଣିଜ ବେପାର ପାଇଁ ଦେଶ ବାହାରକୁ ଯାଉଥିଲେ | ଓଡ଼ିଆର ଅସ୍ମିତା , ଓଡ଼ିଶାର କଳା ସଂସ୍କୃତି ସମେତ ଓଡ଼ିଶାର ତାରକସୀ କାର୍ଯ୍ୟ ବିଭିନ୍ନ ପ୍ରକାରର କାରୁକାର୍ଯ୍ୟ ଭରା ସାମଗ୍ରୀ ବିଦେଶରେ ବେଶ ଖ୍ୟାତି ଅର୍ଜନ କରିଥିଲା | କଥାରେ ଅଛି ସାତ ସମୁଦ୍ର ତେର ନଈ ଅତିକ୍ରମ କରି ଓଡ଼ିଆ ମାନେ ସାଧବ ବେଶରେ ବୋଇତରେ ବାହାରୁଥିଲେ ସେମାନଙ୍କୁ ମେଲାଣି ଦେବାପାଇଁ ସାଧବାଣୀ ମାନେ ବୋଇତକୁ ବନ୍ଦାପନା କରି ମେଲାଣି ଦେଉଥିଲେ | ସେହି ପରମ୍ପରାକୁ ବଜାୟ ରଖିବାପାଇଁ ପ୍ରତିବର୍ଷ କାର୍ତ୍ତିକ ପୁର୍ଣିମା ଅବସରରେ ବାଲିଯାତ୍ରା ଉତ୍ସବ ପାଳନ କରାଯାଏ | କଟକ ସହରର ମହାନଦୀ କୁଳ ବାଲି ପଠାରେ ବାଲିଯାତ୍ରା ଉତ୍ସବ ମହା ଆଡମ୍ବରରେ ପାଳନ କରାଯାଏ | ଠିକ ସେହିପରି “ବାଳଜାଗୃତି ଆସୋସିଏସନ” ଓ “ଓଡ଼ିଆ ମହାମଞ୍ଚ” ଅନୁକୁଲ୍ୟରେ ଉତ୍କଳୀୟ ପରମ୍ପରାକୁ ବଜାୟ ରଖି ଦୀର୍ଘ 20 ବର୍ଷକାଳ ଦିଲ୍ଲୀ ସହରରେ ବାଲିଯାତ୍ରା ସହିତ ବୋଇତ ବନ୍ଦାଣ ଉତ୍ସବ ପାଳନ କରାଯାଉଛି | ପ୍ରଥମେ ଇଣ୍ଡିଆ ଗେଟ ପାଖରେ ହେଉଥିବାବେଳେ ଗତ ଦୁଇବର୍ଷ ହେବ ସଞ୍ଜୟ ଲେକ ପାର୍କ ଠାରେ ଅନୁଷ୍ଠିତ ହେଉଅଛି | ସହ ସହ ଓଡ଼ିଆ ଭାଇ ଭଉଣୀ ମାନେ ଏହି ବୋଇତ ବନ୍ଦାଣ ଉତ୍ସବ ରେ ସାମିଲ ହୁଅନ୍ତି ଏବଂ ସାଂସ୍କୃତିକ ସନ୍ଧ୍ୟାରେ ଏକତ୍ରିତ ହୋଇ ଓଡ଼ିଆ ପିଠା ପଣା ସହିତ ବିଭିନ୍ନ ବ୍ୟବସାୟିକ କାରବାର କରି ଓଡି଼ଶାର ଅସ୍ମିତାକୁ ଭରପୁର ଜାଗ୍ରତ କରନ୍ତି |ଗତ 2 ଓ 3 ତାରିଖରେ ଦିଲ୍ଲୀର ଲଷ୍ମୀବାଇ ନଗର ସ୍ଥିତ ସଞ୍ଜୟ ଲେକ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ ବାଲିଯାତ୍ରା ଉତ୍ସବକୁ ଉଦଘାଟକ ଭାବେ ଓଡ଼ିଶା ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର , ମୁଖ୍ୟ ବକ୍ତା ଭାବେ ବିଧାୟକ ଅରୁଣ କୁମାର ସାହୁଙ୍କ ସମେତ ଓଡ଼ିଆ ଭାଷା ଆନ୍ଦୋଳନର ଆବାହକ ପବିତ୍ର ମହାରଥା , ପୂର୍ବତନ ପ୍ରଶାସକ ଦେବେନ୍ଦ୍ର ମାଝୀ ,ପୂର୍ବତନ ପ୍ରଶାସକ ରମାକାନ୍ତ ଦାସ , ନରେନ୍ଦ୍ର ବର , ବାଲଜାଗୃତି ଆସୋସିଏସନ ଓ ଓଡ଼ିଆ ମହାମଞ୍ଚର ନିର୍ଦେଶକ ଗୋବର୍ଦ୍ଧନ ଧଳ ଓ ଓଡ଼ିଆ ମହାମଞ୍ଚର ନିର୍ଦେଶକ ମନୋଜ ନାୟକ , ହୃଷିକେଶ ପାଣିଗ୍ରାହୀ , ସୁଶାନ୍ତ ଦାସ ଓ ସମରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିବାବେଳେ ବିଧାୟକ ଅରୁଣ କୁମାର ସାହୁ ବୋଇତର ନାଉରିଆ ହୋଇ ସମସ୍ତଙ୍କୁ ଡଙ୍ଗାରେ ଵାହିଥିଲେ , ଅତ୍ୟନ୍ତ ରୋମାଞ୍ଚକର ଅନୁଭୂତି ଦିଲ୍ଲୀ ବାସୀଙ୍କୁ ଚମତ୍କୃତ କରିଥିଲା |ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରିୟାଂଶି ଜେନା ପ୍ରମୁଖ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିବାବେଳେ ପତିତପାବନ କଳାନିକେତନ (ଓଡ଼ିଶୀ ) , ଚନ୍ଦ୍ରକାନ୍ତ ସୁତାର ଆଣ୍ଡ ଟ୍ରୁପ , ଅସୀମା ପଣ୍ଡା ଏବଂ ତାଙ୍କର ଟ୍ରୁପ ,ସୁଜିତ ପରିଡା , ଲୋପାମୁଦ୍ରା ଦାସ , ଅବିନାଶ ଦାସ ,ସନ୍ତୋଷ ରାଉତ, କିଂଜଳ ଜେନା,ପ୍ରମୁଖ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିବା ବେଳେ , ସମ୍ବଲପୁରର ମୟୂରୀ ନୃତ୍ୟ ଗ୍ରୁପର ନୃତ୍ୟ ସହିତ ନାଟ୍ୟକାର ଉପେନ୍ଦ୍ର ଶର୍ମାଙ୍କ ପୌରହିତ୍ୟରେ ବାଂଲାଦେଶ , ପଶ୍ଚିମ ବଙ୍ଗ ଓ ଛତିଶଗଡ଼ର କଳାକାର ମାନେ ଉଚ୍ଚ କୋଟିର କଳା ପ୍ରଦର୍ଶନକରି ଦର୍ଶକ ମାନଙ୍କୁ ମନୋରଞ୍ଜନ କରିଥିଲେ | ଏହି ଉତ୍ସବରେ ଓଡ଼ିଶାର ଶିକ୍ଷା (ଶିକ୍ଷା ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ), ସ୍ୱାସ୍ଥ୍ୟ (ସମ ହସ୍ପିଟାଲ )ତଥା ସୂଚନା (ପ୍ରମେୟ , ନିଉଜ 7) କ୍ଷେତ୍ରରେ ଅଭିବୃଦ୍ଧି କରାଇବାରେ ଯାହାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ପ୍ରଫେସର ମନୋଜ ରଞ୍ଜନ ନାୟକଙ୍କୁ “ସେବା ଗୌରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା , ପ୍ରଫେସର ନାୟକଙ୍କ ତରଫରୁ ଦିଲ୍ଲୀର ମୁଖ୍ୟ ପ୍ରତିନିଧି ମାନ୍ୟବର ମନ୍ତ୍ରୀଙ୍କ ଠାରୁ ମାନପତ୍ର ଗ୍ରହଣ କରିଥିଲେ | ସେହିପରି ସାହିତ୍ୟ ସାଧନା ପାଇଁ ଡ଼ ରମାକାନ୍ତ ଦାସଙ୍କୁ “ସାହିତ୍ୟଶ୍ରୀ” ସମ୍ମାନରେ ସମ୍ମାନିତ କରାଯାଇଥିବା ବେଳେ , ଶିକ୍ଷା କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ଶିକ୍ଷାବିତ ନିରଞ୍ଜନ ସ୍ୱାଇଁଙ୍କୁ “ଶିକ୍ଷା ଗୌରବ” ସମ୍ମାନରେ ସମ୍ମାନିତ କରାଯାଇଥିଲା | ନାଟ୍ୟ ନିଦେର୍ଶନା ଓ ନାଟ୍ୟ ରଚନା ପାଇଁ ନାଟ୍ୟକାର ଉପେନ୍ଦ୍ର ଶର୍ମା ,ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା |କାର୍ଯ୍ୟକ୍ରମର ଦ୍ୱିତୀୟ ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ , ଦିଲ୍ଲୀ ସରକାରଙ୍କ ମୁଖ୍ୟ ଶାସନ ସଚିବ ନରେଶ କୁମାର , ପୂର୍ବତନ ସାଂସଦ ପ୍ରସନ୍ନ କୁମାର ପାଟଶାଣୀ ଭାରତ ସରକାରଙ୍କ ଆଇ ଏମ ଡି ମୁଖ୍ୟ ମୃତ୍ୟୁଞ୍ଜୟ ମହାପାତ୍ର , ଦିଲ୍ଲୀ ହଜଖାସ ଜଗନ୍ନାଥ ମନ୍ଦିରର (ଶ୍ରୀନିଳାଚଳ ସେବାସଂଘ )ସମ୍ପାଦକ ରବିନ୍ଦ୍ରନାଥ ପ୍ରଧାନ ,ଡ଼ ଦେବେନ୍ଦ୍ର ମାଝୀ , ମମତା କୁମାରୀ , ରଞ୍ଜନ ବିଶ୍ୱାଳ ଓ ପ୍ରଫେସର ଭାଗିରଥି ଝା ପ୍ରମୁଖଙ୍କୁ ସମ୍ବର୍ଧନା କରାଯାଇ ଓଡ଼ିଆର ଅସ୍ମିତା ପରମ୍ପରାର ସ୍ୱକୃତି ସ୍ୱରୂପ ପ୍ରଦାନ କରାଯାଇଥିଲା | ଏହି ଉତ୍ସବକୁ ଉଦ୍ଘାଟନ କରି ମାନ୍ୟବର ସାଂସଦ ଓ ପୂର୍ବତନ ସଂସଦ ଡ଼ ପାଟଶାଣୀ ଓଡ଼ିଆଙ୍କର ମାତୃଭୂମୀର ମାଟି ମାଆର ସେବାରେ ମାଟି ମାଆ କୁ ବା ଭିଟାମାଟି ସହ ଯୋଡ଼ି ହୋଇ ରହିବ ପାଇଁ ଏହି ସଂସ୍କୃତି ଓ ପରମ୍ପରା ନିଶ୍ଚୟ ସହାୟକ ହେବ ତଥା ଆଗାମୀ ପିଢ଼ି ନିଶ୍ଚୟ ଏଥିପ୍ରତି ସଚେତନ ରହିବ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ | ବାଲଜାଗୃତି ଓ ଓଡ଼ିଆ ମହାମଞ୍ଚର ନିର୍ଦେଶକ ଗୋବର୍ଦ୍ଧନ ଧଳ ସମସ୍ତ ମହାନୁଭବଙ୍କୁ ସ୍ୱାଗତ କରିଥିବାବେଳେ , ଓଡ଼ିଆ ମହାମଞ୍ଚର ନିର୍ଦେଶକ ମନୋଜ ନାୟକ ସମସ୍ତ ଦର୍ଶକ , ଦିଲ୍ଲୀ ବାସୀ ଦିଲ୍ଲୀ ସରକାର ଓ ଓଡିଶା ସରକାର, ମାନ୍ୟବର ମନ୍ତ୍ରୀ ମହୋଦୟ , ମାନ୍ୟବର ସାଂସଦ ,ମାନ୍ୟବର ବିଧାୟକଙ୍କ ସମେତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା କଳାକାର ତଥା ଏହି ପରମ୍ପରା ଓ କାର୍ଯ୍ୟକ୍ରମସହ ଯୋଡି଼ ହୋଇଥିବା ସମସ୍ତ ମହାନୁଭବ ମାନଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ