ଦିଲ୍ଲୀ ଚାଷୀ ଆନ୍ଦୋଳନ ନିଆଁ ଓଡ଼ିଶାରେ ପ୍ରଧାନମନ୍ତ୍ରୀ, କୃଷିମନ୍ତ୍ରୀ ଓ ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଭୁବନେଶ୍ୱର,(ୱାଇଏନ୍ଏସ୍): କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ୍‌କୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ ଷଷ୍ଠ ଦିନରେ ପହଞ୍ôଚଥିଲା ବେଳେ ଏହାକୁ ସମର୍ଥନ ଜଣାଇ ରାଜ୍ୟର ପ୍ରମୁଖ କୃଷକ ସଂଗଠନ ନବନିର୍ମାଣ କୃଷକ ସଂଗଠନ ଗତକାଲି ଲୋୟର ପିଏମ୍‌ଜିରେ ଧାରଣା ଦେଇଥିଲା ବେଳେ ଆଜି ଅପରାହ୍ନ ୪ଟା ସମୟରେ ମାଷ୍ଟର କ୍ୟାଣ୍ଟିନ ଛକରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି, କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର, କେନ୍ଦ୍ରମନ୍ତ୍ରୀ ଭି.କେ. ସିିଂହଙ୍କ କୁଶପୁତ୍ତଳିକା ଦାହ କରିଛି । ସୂଚନାଯୋଗ୍ୟ ଯେ ଖଟ୍ଟର ଚାଷୀଙ୍କୁ ଖଲିସ୍ତାନ ଆନ୍ଦୋଳନକାରୀ କହିଥିବା ବେଳେ ଭି.କେ ସିଂହ ଚାଷୀ ଆନ୍ଦୋଳନକୁ ଆସିଥିବା ଲୋକମାନେ ଚାଷୀଭଳି ଦେଖାଯାଉ ନାହାଁନ୍ତି ବୋଲି କହିଥିଲେ । ଆଜି ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକାରେ ଅଗ୍ନି ସଂଯୋଜକ କରି ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ, ସାରା ଭାରତରେ ଚାଷୀ ମନରେ ଯେଉଁ ନିଆଁ ଲାଗିଛି ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଯେଉଁଭଳି ଭାବରେ ଚାଷୀ ଆନ୍ଦୋଳନକୁ ଓ ଚାଷୀମାନଙ୍କୁ ଆକ୍ଷେପ କରୁଛନ୍ତି ଓ ଅପମାନ ଦେଉଛନ୍ତି, ତା ବିରୁଦ୍ଧରେ ଏହି ଆନ୍ଦୋଳନ । ଭାରତ ସରକାର ମନେ ରଖିବା ଉଚିତ୍ ଯେ, ଏହି ଆନ୍ଦୋଳନ ଦେଶର ୮୦ ଭାଗ ଲୋକଙ୍କ ଆନ୍ଦୋଳନ । ଚାଷୀମାନଙ୍କ ସ୍ୱାର୍ଥକୁ ଉପେକ୍ଷା କରି ଚାଷୀଙ୍କୁ ଅପମାନିତ କରି ଦେଶରେ କୌଣସି ଦଳ ଶାସନ ରହିପାରିବେ ନାହିଁ । ଦିଲ୍ଲୀରେ ଯେଉଁ ଆନ୍ଦୋଳନ ଚାଲିଛି, ଓଡ଼ିଶାର କୃଷକ ସମାଜ ତାକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରୁଛି ଓ ପ୍ରତିକାତ୍ମକ ଭାବେ ରାଜଧାନୀରେ ଓ ତମାମ ରାଜ୍ୟରେ କାର୍ଯ୍ୟକ୍ରମ ଜାରି ରହିବ । ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ ବିଜେପି ନେତୃତ୍ୱକୁ ସମାଲୋଚନା କରି କହିଥିଲେ ଯେ, ଚାଷୀମାନେ ଭ୍ରମରେ ପଡୁଛନ୍ତି, ଚାଷୀମାନଙ୍କୁ ଭ୍ରମିତ କରାଯାଉଛି ବୋଲି ଯେଉଁ ପ୍ରଚାର ଚାଲିଛି ପ୍ରକୃତରେ ଚାଷୀମାନେ ରାଜନୈତିକ ନେତାଙ୍କ ମିଥ୍ୟା ପ୍ରଚାରକୁ ପ୍ର୍ରତିହତ କରି ଚାଷୀକୁଳକୁ ବଞ୍ଚାଇବା ପାଇଁ ଦିଲ୍ଲୀରୁ ପଲ୍ଲୀଯାଏ ଆନ୍ଦୋଳନ କରୁଛନ୍ତି । ଆଜିର ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ନେତ୍ରୀ ମଧୁମିତା ସାମଲ, ଯାଜପୁର ଜିଲ୍ଲା ସଂଯୋଜକ ଦୁର୍ଗାପ୍ରସାଦ ଦାସ, ବିଶିଷ୍ଟ ଗାନ୍ଧୀବାଦୀ କର୍ମୀ ରାଜନାରାୟଣ ଜେନା, ରାଜ୍ୟ କମିଟି ସଭ୍ୟ ସଂଗ୍ରାମ କିଶୋର, ଶୁଭେନ୍ଦୁ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ଆସନ୍ତା କାଲି ସଂଗଠନ ତରଫରୁ ମଶାଲ ଶୋଭାଯାତ୍ରା କରାଯିବ ବୋଲି କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ