ଦୀନବନ୍ଧୁଙ୍କ ଦୁଃଖ ବୁଝିବ କିଏ, କେବେ ମିଳିବ ପକ୍କାଘର?

ଦୀନବନ୍ଧୁଙ୍କ ଦୁଃଖ ବୁଝିବ କିଏ, କେବେ ମିଳିବ ପକ୍କାଘର?
ବଲାଙ୍ଗୀର (ଜୁଗାବ୍ଦ ନ୍ୟୁଜ୍‍): ବର୍ତ୍ତମାନର ନିର୍ବାଚନ ମାହୋଲ ଚାଲିଥିବା ବେଳେ ସମସ୍ତେ ଗରୀବଙ୍କ କଥା ଚିନ୍ତା କରୁଥିବା କଥା କହୁଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟସରକାର ଗରୀବଙ୍କ ପାଇଁ କରିଥିବା ଜନହିତକାରୀ ଯୋଜନାର ବଡବଡ ବିଜ୍ଞାପନ ଦେଉଛନ୍ତି । କିନ୍ତୁ ପ୍ରକୃତରେ ସ୍ୱାଧିନତାର ୭୫ବର୍ଷ ପରେ ବି ଗରୀବମାନେ ବହୁ ଅସୁବିଧାରେ ରହୁଛନ୍ତିି । ଏଭଳି ଏକ ଗରୀବ ହେଉଛନ୍ତି ଦେଓଗାଁ ବ୍ଲକର ସଦରମହକୁମା ଦେଓଗାଁ ଗ୍ରାମର ଦୀନବନ୍ଧୁ ବାଘ । ବୟସ ପାଖାପାଖି ୭୮ବର୍ଷ ହେବ । ସେ ପୂର୍ବରୁ ନିକଟସ୍ଥ ଜଙ୍ଗଲରୁ ପତରସଂଗ୍ରହ କରି ବିକ୍ରୀ କରିବା ସହିତ କୁଲିମଜୁରୀ କରି ଚଳୁଥିଲେ । ଏବେ ବୟସ ବଢିବାରୁ ଆଉ କାମ କରି ପାରୁନାହାଁନ୍ତି । ଦେଓଗାଁର ମୁଖ୍ୟରାସ୍ତା ଉପରେ ବହୁଦିନରୁ ଏକ ଝାଟିମାଟିର ଘର କରି ପରିବାର ନେଇ ରହୁଛନ୍ତି । କିନ୍ତୁ ସରକାରୀ ଯୋଜନା ଦୀନବନ୍ଧୁଙ୍କ ପାଖରେ ପହଞ୍ଚି ପାରୁନି । ସେ ସରକାରଙ୍କ ତରଫରୁ ଏକ ପକ୍କାଘର ପାଇବା ପାଇଁ ଅନେକଥର ଆବେଦନ ବି କଲେଣି । କିନ୍ତୁ ଏପର୍ଯ୍ୟନ୍ତ ତାହା ତାଙ୍କ ଭାଗ୍ୟରେ ଜୁଟୁନି । ସରକାରୀ ବାବୁମାନେ ଓ ବିଭିନ୍ନ ଦଳର ନେତାମାନେ ତାଙ୍କ ଗାଁରେ ମିଟିଂ ହେଲେ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି । ସରକାରୀ ଘୋଷଣା ମୁତାବକ ଆଉ କୌଣସି ଝାଟିମାଟି ଛପର ଘର ରହିବ ନାହିଁ । ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଇତ୍ୟାଦି ଅନେକ ଯୋଜନା ଆସିଛି । ଏଣିକି ସମସ୍ତଙ୍କ ଘର ପକ୍କାଘର ହେବ ବୋଲି ଘୋଷଣା ହୋଇଛି । କିନ୍ତୁ ତାହା କେବଳ ଘୋଷଣାରେ ସୀମିତ ରହିଥିବା ଭଳି ମନେହୁଏ । ଜିଲ୍ଲାକୁ ହଜାର ହଜାର ସଂଖ୍ୟାରେ ଏଭଳି ଯୋଜନାର ଘର ତିଆରି ପାଇଁ ଅନୁଦାନ ଆସୁଥିବା ବେଳେ ଏଭଳି ଗରୀବଙ୍କ ପାଖକୁ ତାହା ପହଞ୍ଚି ପାରୁନି । ଦୀନବନ୍ଧୁଙ୍କ ଦୁଇଟି ପୁଅ । ଜଣେ ତାଙ୍କ ପାଖରେ ରହୁଥିବା ବେଳେ ଅନ୍ୟଜଣେ ଗାଁର ଅନ୍ୟଏକ ସ୍ଥାନରେ ଛପର ଘରଟିଏ କରି ରହୁଛି । ଉଭୟ ପୁଅ ଦିନ ମଜୁରିଆ । ଦୀନବନ୍ଧୁ ପଞ୍ଚାୟତକୁ ଯାଇ ଅନେକଥର ତାଲିକାରେ ନାମ ଲେଖାଇଛି । କିନ୍ତୁ ତାଲିକା ପ୍ରକାଶ ପାଇଲା ବେଳେ ତାଙ୍କ ନାମ ନଥିବା ସେ ଦୁଃଖର ସହିତ କହିଛନ୍ତି । ସରପଞ୍ଚଠୁ ବିଡିଓ ପର୍ଯ୍ୟନ୍ତ ଓ ଗାଁର ନେତୃତ୍ୱ ନେଉଥିବା ନେତାମାନଙ୍କୁ ମଧ୍ୟ ଗୁହାରୀ କରିଛନ୍ତି ଘର ଖଣ୍ଡିଏ ପାଇଁ କିନ୍ତୁ ସେମାନେ କେହି ସାହାଯ୍ୟ କରିନାହାଁନ୍ତି ବୋଲି ଯୋଭର ସହିତ କହିଛନ୍ତି ଦୀନବନ୍ଧୁ । ଏବେ ଭୋଟବେଳେ ଅନେକ ନେତାଙ୍କ ଲୋକଆସି ଭୋଟ ପାଇଁ କହିଥିଲେ । ଦୀନବନ୍ଧୁଙ୍କ ପରିବାର ଭୋଟ ବି ଦେଇଆସୁଛନ୍ତି । ହେଲେ ମିଳୁଛି କଣ ବୋଲି ଓଲଟା ସେ ପ୍ରଶ୍ନ କରିଛନ୍ତି । ଶେଷ ସମୟରେ ଅନ୍ତତଃ ପକ୍କାଘର ଖଣ୍ଡିଏରେ ଶୋଇବାର ତାଙ୍କର ସ୍ୱପ୍ନ ପୂରଣ ହେବ କିନା ସେ ଜାଣନ୍ତି ନାହିଁ ବୋଲି ଦୁଃଖର ସହିତ ଆମ ପ୍ରତିନିଧିଙ୍କୁ କହିଛନ୍ତି । କୁଆଡେ ପଞ୍ଚାୟତରେ କିଛିଧନୀ ଲୋକଙ୍କଠାରୁ ଅର୍ଥ ଆଦାୟ କରି ପକ୍କାଘର ବଣ୍ଟନ କରିଥିବା ବେଳେ ଏଭଳି ଗରୀବମାନେ ବାଦ ପଡିଥିବା ଅଭିଯୋଗ ମଧ୍ୟ ହେଉଛି । ତେଣୁ ଜିଲ୍ଲାପାଳ ଏନେଇ ଏକ ସ୍ୱତନ୍ତ୍ର ତଦନ୍ତ କରାଇ ଦୀନବନ୍ଧୁଙ୍କୁ ସହାୟ ହେବାକୁ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ