ଦୀପାବଳୀରେ ପ୍ରକାଶ ପାଇଲା ଶୁଭପଲ୍ଲବର ୮ମ ସଂସ୍କରଣ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଗତ ୨୦୧୮ ମସିହା ଠାରୁ ତ୍ରୟୋମାସିକ ଓଡିଆ ଇ-ପତ୍ରିକା ଭାବେ ପ୍ରକାଶ ପାଇଆସୁଥିବା ଶୁଭପଲ୍ଲବର ୮ମ ସଂସ୍କରଣ ଶୁଭ ଦୀପାବଳୀ ଅବସରରେ ପ୍ରକାଶ ପାଇଛି । ଏହି ସଂସ୍କରଣରେ ସମୁଦାୟ ୮୫ଟି ଗଳ୍ପ, କବିତା, ଭ୍ରମଣ କାହାଣୀ, ସାକ୍ଷାତକାର ଆଦି ପ୍ରକାଶ ପାଇଛି । ଏହି ପତ୍ରିକାକୁ ପି.ଡି.ଏଫ ଭାବରେ ଶୁଭପଲ୍ଲବର ୱେବସାଇଟରୁ ମାଗଣାରେ ଡାଉନ୍ଲୋଡ କରିହେବ । ଏହି ପତ୍ରିକାର ସଂପାଦନା କାର୍ଯ୍ୟ ସଂଗ୍ରାମ କେଶରୀ ସେନାପତି ଓ ତାପସ ରଂଜନ ତୁଲାଉଥିବା ବେଳେ ସୁଦୂର ମୁମ୍ବାଇରେ ରହୁଥିବା ସମ୍ବିତ୍ ଦାସ ଏହାର ଅଳଙ୍କରଣ କରିଛନ୍ତି । ଏଥିସହ ଏହି ପତ୍ରିକାରେ ପ୍ରଥମ ଥର ପାଇଁ ଓଡିଆ କମିକ୍ସ ପ୍ରକାଶ ପାଇଛି । ଯାହାର କାହାଣୀ ଲେଖିଛନ୍ତି ସୁଲଗ୍ନା ମହାନ୍ତି ଏବଂ ଚିତ୍ର କରିଛନ୍ତି ସମ୍ବିତ୍ ଦାସ । ଏହି ସଂସ୍କରଣରେ ପ୍ରକାଶ ପାଇଛି ଓଡିଆ ଆଲବମ୍ ଜଗତର ସଦ୍ୟ ସଫଳତା ପାଇଥିବା ଶୈଳେନ୍ଦ୍ର ସାମନ୍ତରାୟଙ୍କ ସାକ୍ଷାତକାର । ଯେଉଁଥିରେ ସେ ତାଙ୍କର ଜୀବନୀ ଏବଂ ସଫଳତା ସଂପର୍କରେ ବତେଇଛନ୍ତି ।