ଦୀର୍ଘଦିନରୁ ଅନ୍ଧାରରେ ଦୁଇ ଓଭର ବ୍ରିଜ
ବାଲେଶ୍ୱର, (ସରୋଜ ପଣ୍ଡା):ସମସ୍ୟା ବହୁଳ ବାଲେଶ୍ୱର ସହରର ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ । କୋଟି କୋଟି ଟଙ୍କା ଖର୍ଚ୍ଚ କରି ମରାମତି ହୋଇଥିବା ବାଲେଶ୍ୱରର ପ୍ରଥମ ଉଡ଼ନ୍ତା ପୋଲରେ ଲୋକଙ୍କୁ ଏବେ ଅନ୍ଧାରରେ ଯିବାକୁ ପଡ଼ୁଛି । ବିଭିନ୍ନ ସଂଗଠନ ପକ୍ଷରୁ କାର୍ଯ୍ୟର ଗୁଣବତ୍ତା ରକ୍ଷା ନେଇ ଦାବି ଆନ୍ଦୋଳନ କରାଯିବା ପରେ ପୋଲର ମରାମତି ଆପାତତଃ ଠିକଠାକ ହୋଇଥିଲା । ତେବେ ଏତେ ଟଙ୍କା ଖର୍ଚ୍ଚ ପରେ ମରାମତି ଶେଷ ହୋଇଥିଲେ ବି ଆଲୋକ ବ୍ୟବସ୍ଥା ପ୍ରତି ଗୁରୁତ୍ୱ ଦିଆ ନଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଇଛି । ଆଲୋକ ପାଇଁ ସଂଗଠନମାନେ ପୁଣି ଥରେ ଆଉ ଆନ୍ଦୋଳନକୁ ଓହ୍ଲାଇବେ କି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି । ପୋଲର ଗୋଟିଏ ହେଲେ ଲାଇଟ ଜଳୁ ନଥିବା ବେଳେ ରାତିରେ ଯାତାୟତ କରୁଥିବା ସାଧାରଣ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । େ କେବଳ ପୋଲ ପାଶ୍ୱର୍ରେ ବିଭିନ୍ନ ପ୍ରତିଷ୍ଠାନର ଲଗାଯାଇଥିବା ଛୋଟ ଛୋଟ ବିଜ୍ଞାପନ ଗ୍ଲୋ’ସାଇନ ବୋର୍ଡ଼ର ଆଲୋକ ଏବେ ଲେକଙ୍କୁ ରାସ୍ତା ଦେଖାଉଛି । ତେବେ ୨ଚକିଆ ୪କିଆ ଯାନର ଆରୋହୀଙ୍କ ପାଇଁ ଏହା କିଛି ଫରକ ପଡ଼ୁ ନଥିବା ବେଳେ ସାଇକେଲ ଆରୋହୀ ଓ ଚାଲି ଚାଲି ଯାଉଥିବା ଲୋକେ ଶଙ୍କିତ ଅବସ୍ଥାରେ ପୋଲ ପାର ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ଅବ୍ୟବସ୍ଥା କେବଳ ପ୍ରଥମ ଉଡ଼ନ୍ତା ପୋଲର ନୁହେଁ, ଅନୁରୂପ ଅବସ୍ଥା ଦେଖିବାକୁ ମିଳିଛି ତାମୁଳିଆ ରେଳ ଓଭରବ୍ରିିଜରେ । ସେହି ପୋଲରେ ମଧ୍ୟ ଦୀର୍ଘଦିନରୁ ଲାଇଟ ଜଳୁ ନଥିବା ଲକ୍ଷ୍ୟ କରାଯାଇଛି । ଏନେଇ ପ୍ରଶାସନ କିମ୍ବା ପୌର କର୍ତ୍ତୃପକ୍ଷ ଦୃଷ୍ଟି ନଦେବାକୁ ନେଇ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହୋଇଛି । ଏ ବାବଦରେ ପୌର କର୍ତ୍ତୃପକ୍ଷଙ୍କୁ ପଚାରିଲେ ଗୋଟିଏ ଉତ୍ତର ମିଳୁଛି ଯେ ବାଲେଶ୍ୱର ସହରର ଆଲୋକୀକରଣ ବ୍ୟବସ୍ଥା ପରିଚାଳନା ଦାୟିତ୍ୱ ଭୁବନେଶ୍ୱରର ଘରୋଇ ସଂସ୍ଥା ହାତରେ ଅଛି । ପ୍ରାୟ ସବୁ ଅଞ୍ଚଳର ଷ୍ଟ୍ରିଟ ଲାଇଟରେ ଟାଇମିଂ ବ୍ୟବସ୍ଥା କରାଯାଇଥିବା ବେଳେ ଉଡ଼ନ୍ତା ପୋଲରେ ବିଦ୍ୟୁତ ସଂଯୋଗର କିଛି ସମସ୍ୟା ଉପୁଜିଥାଇପାରେ ବୋଲି ପୌରପାଳିକାର ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ତୁରନ୍ତ ଏହି ଦୁଇ ଉଡ଼ନ୍ତା ପୋଲର ଆଲୋକୀକରଣ ବ୍ୟବସ୍ଥାର ସୁଧାର ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି ।