ଦୀର୍ଘଦିନ ଧରି ମୌଳିକ ସମସ୍ୟା ସମାଧାନ ନ କରିବା ପ୍ରତିବାଦ ଓ ସରକାରୀ ଅବହେଳାକୁ ନେଇ ଭୋଟ ଦେଲେନି ୫ ୱାର୍ଡବାସୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ୫ ଗୋଟି ୱାର୍ଡବାସୀ ଭୋଟ ବର୍ଜନ କରିଛନ୍ତି. ବାରମ୍ବାର ବାରମ୍ବାର ନିବେଦନ ପରେ ସୁଦ୍ଧା ମୌଳିକ ସମସ୍ୟାର ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ. ଏଭଳି ସରକାରୀ ଅବହେଳା ପ୍ରତିବାଦରେ ୫ ଗୋଟି ୱାର୍ଡର ଗ୍ରାମବାସୀମାନେ ମିଳିତ ଭାବେ ଭୋଟ ବର୍ଜନ କରିଛନ୍ତି. ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲାର ମୋହନା ବିଧାନସଭା ଆସନର ଜାମୁଲିଙ୍ଗ ୨୧ ନମ୍ବର ବୁଥରେ ଭୋଟ ବର୍ଜନ କରିଛନ୍ତି ଭୋଟର। ସେହି ବୁଥରେ ଜାମୁଲିଂ, କେହେଲିଗୁଡ଼ା, ବେଞ୍ଜମା, ଭାଲିଆଗୁଡ଼ା, ହୁରୁଗୁଡ଼ା, ଓ ଢିମିରିପଙ୍କାଳ ଆଦି ୫ଟି ୱାର୍ଡର ୯୦୩ ଭୋଟର ରହିଛନ୍ତି। କେବଳ ଭଲିଆଗୁଡା ୱାର୍ଡର ମାତ୍ର ୨୬ ଜଣ ଭୋଟ ଦେଇଥିବା ବେଳେ ଅନ୍ୟ ୫ ୱାର୍ଡର ଲୋକ ଭୋଟ ବର୍ଜନ କରିଛନ୍ତି। ସେହି ଅଞ୍ଚଳର ଲୋକେ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି ଜଣାଇଛନ୍ତିଯେ, ରାସ୍ତା, ପାଣି, ବିଦ୍ୟୁତ ନେଟ୍ୱାର୍କ ସମସ୍ୟା ଲାଗିରହିଛି। ଏନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ। ସପ୍ତାହେ ପୂର୍ବରୁ ମଧ୍ୟ ଏହି ଦାବି କରିଥିଲେ ଅଞ୍ଚଳବାସୀ। ଦାବି ପୂରଣ ନକଲେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଥିଲେ । ତାହାକୁ ବି ଭୂକ୍ଷେପ କଲାନି ପ୍ରଶାସନ। ତେଣୁ ଭୋଟ ବର୍ଜନ କରିଥିବା କହିଛନ୍ତି ଅଞ୍ଚଳବାସୀ। ବୁଥ୍ ପରିସରରେ ଉତ୍ତେଜନା ଲାଗିରହିଥିବା ବେଳେ ମୋହନା ଥାନା ଅଧିକାରୀ ବସନ୍ତ ସେଠୀ ଓ ଏକ ପ୍ଲାଟୁନ ପୁଲିସ ଫୋର୍ସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ତଥାପି ଶୁଣିଲେନି ଗ୍ରାମବାସୀ। ଏହାପରେ ମଧ୍ୟାହ୍ନରେ ମୋହନା ବିଡିଓ ରାଜୀବ ଦାସ ଜାମଲିଙ୍ଗ ଗାଁରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ସେହିପରି ଖଣି ୩୮ ନମ୍ବର ବୁଥରେ ଇଭିଏମ ଖରାପ ଯୋଗୁଁ ପ୍ରାୟ ଦେଢ଼ ଘଣ୍ଟା ପରେ ମତଦାନ ଆରମ୍ଭ ହୋଇଥିଲା। ମୋଟାମୋଟି ଭାବେ ଶାତିପୂର୍ଣ୍ଣଭାବେ ମତଦାନ ହୋଇଥିବା ତହସିଲଦାର ସତ୍ୟବାନ ନାୟକ କହିଛନ୍ତି।