ଦୀର୍ଘଦିନ ପରେ ବାଲେଶ୍ୱର ଜିଲ୍ଲାରେ ଖାଲି ପଡ଼ିଥିବା ସମସ୍ତ ଡାକ୍ତର ପଦବୀ ପୂରଣ ହେଲା

ବାଲେଶ୍ୱର, (ସରୋଜ ପଣ୍ଡା) : ଦୀର୍ଘଦିନ ଧରି ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ସମେତ ଜିଲ୍ଲାର ବହୁ ସରକାରୀ ଡାକ୍ତରଖାନାରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ଅଭାବ ଥିବାରୁ ରୋଗୀମାନେ ଚିକିତ୍ସା ପାଇବାରେ ଚରମ ଅବହେଳା ହେଉଥିବାର ଅଭିଯୋଗ ହୋଇଆସୁଥିଲା । ମେଡିକାଲ କଲେଜ୍ କ୍ରିୟାନୁଷ୍ଠାନ କମିଟି ମଧ୍ୟ ବହୁବାର ସରକାରଙ୍କ ବିଭାଗୀୟ ଅଧିକାରୀ ଓ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ଆବେଦନ ଓ ନିବେଦନ କରିବା ସହ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିଥିଲା । ବର୍ତ୍ତମାନ ଏହି ସମସ୍ୟାର ସ୍ଥାୟୀ ସମାଧାନ ହୋଇଥିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧିମାନଙ୍କୁ ଏକ ସାକ୍ଷାତାକାରରେ କହିଛନ୍ତି । ଏହି ସାକ୍ଷାତକାରବେଳେ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦେବଙ୍କୁ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା, ଉପସଭାପତି ନିରଞ୍ଜନ ରାଉତ, ସାଧାରଣ ସଂପାଦକ ପ୍ରଦୀପ ଦାସ, ଉପଦେଷ୍ଟା ଇଂ. ବନମାଳୀ ନାୟକଙ୍କ ସମେତ ଯୋଗେନ୍ଦ୍ର ମାହାନ୍ନା ଓ ରବି ପାଣିଗ୍ରାହୀ ସାକ୍ଷାତ କରି ବାଲେଶ୍ୱର ଜିଲ୍ଲାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରଙ୍କ ଅଭାବ କାରଣରୁ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଚଳିତ ଜାନୁଆରୀ ମାସରେ ବାଲେଶ୍ୱର ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନାରେ ଖାଲିପଡ଼ିଥିବା ସମସ୍ତ ମଞ୍ଜୁରୀପ୍ରାପ୍ତ ପଦବୀରେ ଡାକ୍ତରମାନଙ୍କୁ ନିଯୁକ୍ତି ଦିଆଯାଇଛି । ନର୍ସ ଓ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି ପାଇଁ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ବୋଲି ଡା. ଜଗଦେବ ପ୍ରତିନିଧିମାନଙ୍କୁ ଜଣାଇଥିଲେ ବୋଲି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୁହାଯାଇଛି । ବାଲେଶ୍ୱର ଜିଲ୍ଲାରେ ରାଜ୍ୟ ସରକାର ଆବଶ୍ୟକୀୟ ଡାକ୍ତର ନିଯୁକ୍ତି ଦେଇଥିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ କୃତଜ୍ଞତା ଜଣାଇବା ସହ ଦୀର୍ଘଦିନ ଧରି ନର୍ସ ପ୍ରଭୃତି ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ଅନୁରୋଧ କରିଛନ୍ତି । ସେହିପରି ରେମୁଣା ମେଡିକାଲ୍ କଲେଜ୍ ସଂଲଗ୍ନ ନିର୍ମାଣାଧୀନ ୬୫୦ ଶଯ୍ୟା ବିଶିଷ୍ଟ ହସପିଟାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ଓ ସ୍ୱାସ୍ଥ୍ୟସେବା ପାଇଁ ମଂଜୁରୀପ୍ରାପ୍ତ ଅନ୍ୟାନ୍ୟ ଚିକିତ୍ସାନୁଷ୍ଠାନ ନିର୍ମାଣ କାର୍ଯ୍ୟପାଇଁ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ କ୍ରିୟାନୁଷ୍ଠାନ କମିଟି ଆଶା ପ୍ରକାଶ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ