ଦୀର୍ଘ ଅପେକ୍ଷାର ଅନ୍ତ ଘଟିଲା : ଖୋଲିଲା ଏମ୍ସ ଓପିଡି ସେଣ୍ଟର

ବାଲେଶ୍ୱର, (ସରୋଜ ପଣ୍ଡା) :-ବହୁ ପ୍ରତିକ୍ଷୀତ ଏମ୍ସ ସ୍ୟାଟଲାଇଟ ଓପିଡି ସେଣ୍ଟର ଶନିବାର ଖୋଲିବା ପରେ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ କରାଯାଇଛି । ସକାଳ ୮ଟାରୁ ମଧ୍ୟାହ୍ନ ୧ଘଟିକା ପର୍ଯ୍ୟନ୍ତ ଏଥିରେ ରୋଗୀଙ୍କୁ ପରୀକ୍ଷା ସହ ପରାମର୍ଶ ଓ ଔଷଧ ପ୍ରଦାନ କରାଯାଇଛି । ଏଣ୍ଡୋକ୍ରିନୋଲୋଜି (ଅନ୍ତଃସ୍ରାବୀ ଗ୍ରନ୍ଥି ରୋଗ) ବିଶେଷଜ୍ଞ ଡାକ୍ତର କିଶୋର କୁମାର ବେହେରା, ଜେନେରାଲ୍ ସର୍ଜରୀ (ଶଲ୍ୟ) ବିଶେଷଜ୍ଞ ଡାକ୍ତର ଶାନ୍ତନୁ କୁମାର ସାହୁ ଓ ସ୍କିନ୍ (ଚର୍ମ ରୋଗ) ବିଶେଷଜ୍ଞ ଡାକ୍ତର ମନୋଜ କୁମାର ନାୟକ ପ୍ରମୁଖ ପ୍ରଥମ ଦିନରେ ଯୋଗଦେଇ ରୋଗୀ ପରୀକ୍ଷା ସହ ପରାମର୍ଶ ଓ ଔଷଧ ପ୍ରଦାନ କରିଥିଲେ । ତେବେ ଆନୁଷ୍ଠାନିକ ଭାବେ ଏହା ଉଦଘାଟନ ହୋଇ ନଥିବା ବେଳେ ବାଲେଶ୍ୱର ସରକାରୀ ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଓ ବାଲେଶ୍ୱର ଲୋକ ମଞ୍ଚର ପ୍ରଭୃତି ସଂଗଠନର କର୍ମକର୍ତ୍ତା ତଥା ସଦସ୍ୟମାନେ ବିଶେଷଜ୍ଞ ଡାକ୍ତରମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ ଶୁଭେଚ୍ଛା ଜଣାଇଥିଲେ । ସଂଯୋଜକ ମେଜର ଡାକ୍ତର ମୁକୁନ୍ଦ ଚରଣ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବାଲେଶ୍ୱର ଏମ୍ସ ଓପିଡି ସେଣ୍ଟର ପ୍ରଥମ ଦିନ କାର୍ଯ୍ୟକାରୀ ହୋଇଥିଲା । ଏହି ବହିଃର୍ବିଭାଗ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନ ହେବା ପର୍ଯ୍ୟନ୍ତ ପ୍ରତି ସପ୍ତାହର ଶେଷ ଦୁଇଦିନ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ସ୍ୱାସ୍ଥ୍ୟସେବା ପ୍ରଦାନ କରିବେ । ତେବେ ଆସନ୍ତା ୧ମାସ ମଧ୍ୟରେ ଏହି ଓପିଡି ସେଣ୍ଟର ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ