ଦୀର୍ଘ ଦିନ ହେବ ବଦଳୁ ନାହାନ୍ତି ନାଉଗାଁ ବ୍ଳକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକରେ ସମନ୍ୱିତ ଶିଶୁ ବିକାଶ ଯୋଜନା ୨୦୦୦ ମସିହାରୁ କାର୍ଯ୍ୟକରୀ ହୋଇ ଆସୁଅଛି । ଏହି ଯୋଜନା କାର୍ଯ୍ୟକ୍ଷମ ହେବା ପରେ ପ୍ରଥମ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ଭାବେ ରାସେଶ୍ୱରୀ ମହାନ୍ତି ଯୋଗ ଦେଇଥିଲେ । କିଛି ଦିନ ପରେ ତାଙ୍କର ସ୍ଥାନାନ୍ତର ହୋଇଥିଲା । ପୁନର୍ବାର ୨୦୧୩ ମସିହାରେ ଏହି ବ୍ଳକରେ ଯୋଗ ଦେଇଛନ୍ତି । ଦୀର୍ଘ ୭ବର୍ଷ ହେବ ଗୋଟିଏ ବ୍ଳକରେ ରହିଥିବା ବେଳେ ତାଙ୍କୁ ଅନ୍ୟତ୍ର ବଦଳି କରାଯାଉ ନଥିବାରୁ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ସରକାରଙ୍କ ନିୟମାନୁସାରେ ପ୍ରତି ୩ ବର୍ଷରେ ସରକାରୀ କର୍ମଚାରୀଙ୍କର ବଦଳି ହେବାର ନିୟମ ରହିଛି । କିନ୍ତୁ ଗୋଟିଏ ସ୍ଥାନରେ ଦୀର୍ଘ ଦିନ ହେବ ଏହି ଅଧିକାରୀ କିପରି ରହିଛନ୍ତି ତାହା ଜାଣି ପଡୁ ନାହିଁ । ଦୀର୍ଘ ଦିନ ହେବ ରହିବା ଫଳରେ ଅଙ୍ଗନୱାର୍ଡି ଗୁଡିକ ଠିକ ଭାବରେ କାର୍ଯ୍ୟ କରୁ ନଥିବା ଜଣାଯାଇଛି । ଏପରିକି କେନ୍ଦ୍ର ଗୁଡିକ ଠିକ ଭାବେ ପରିଦର୍ଶନ ହେଉ ନଥିବା ବେଳେ କର୍ମଚାରୀମାନେ ମନଇଚ୍ଛା କେନ୍ଦ୍ରକୁ ଯିବା ଆସିବା କରୁଛନ୍ତି । ଏପରିକି ଅନେକ ଅଙ୍ଗନୱାର୍ଡି କେନ୍ଦ୍ର ଟିୟୁସନ ସାରଙ୍କୁ ଭଡା ସୂତ୍ରରେ ଦିଆଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ଦୀର୍ଘ ଦିନ ରହିଥିବା ଏହି ଅଧିକାରୀଙ୍କୁ ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି ।


