ଦୀର୍ଘ ୩ବର୍ଷ ପରେ ଜନ୍ମମାଟିକୁ ଫେରିଲା ସୁହାନୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଦୀର୍ଘ ୩ବର୍ଷ ପରେ ନିଜ ଜନ୍ମମାଟିକୁ ଫେରିଛି ୧୦ବର୍ଷର ନାବାଳିକା ସୁହାନୀ । କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ନିର୍ଦେଶକ୍ରମେ କେନ୍ଦ୍ରାପଡାରୁ ଏକ ଟିମ ନୂଆଦିଲ୍ଲୀକୁ ଯାଇ ସେଠାରୁ ନାବାଳିକା ସୁହାନୀକୁ ଉଦ୍ଧାର କରି ଆଜି ଏଠାରେ ପହଁଚିଛି । ଏଠାରେ ସଂପୃକ୍ତ ଉଦ୍ଧାରୀକାରୀ ଟିମ ସୁହାନୀକୁ ଆଣି ପହଁଚିବା ପରେ ତାକୁ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ନିକଟରେ ହାଜର କରାଯାଇଥିଲା । ଜିଲ୍ଲାପାଳ ସୁହାନୀକୁ ଏକ ସ୍କୁଲ ବ୍ୟାଗ, କଣ୍ଢେଇ, ଚକୋଲେଟ ଓ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । କିନ୍ତୁ ସୁହାନୀ ଜୀବନରେ ଏକ ଦୁଃଖଦ ଅଧ୍ୟାୟ ଆରମ୍ଭ ହୋଇଥିଲା ଯେତେବେଳେ ତା’ର ପିତା ଦ୍ୱିତୀୟ ବିବାହ ପରେ ଗାଁରେ ସୁହାନୀକୁ ଏକା ଛାଡିଦେଇ ପଳାଇଯାଇଥିଲେ । ଏହାପରେ ସୁହାନୀଙ୍କ ଜୀବନର ଚଲାପଥ ସଂପୂର୍ଣ୍ଣ ବଦଳି ଯାଇଥିଲା । ସୁହାନୀ ଜୀବନରେ ଯେମିତି କଳାବାଦଲ ପରି ସବୁ ଦୁଃଖ ଓ କଷ୍ଟ ମାଡିଆସିଥିଲା । ୨୦୧୮ମସିହାରେ କେନ୍ଦ୍ରାପଡା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ ଦେଉଳତରା ଗ୍ରାମର ସନ୍ତୋଷ କୁମାର ଜେନା ଦ୍ୱିତୀୟ ବିବାହ କରି ଗାଁରେ ତାଙ୍କ ଝିଅ ସୁହାନୀକୁ ଏକା ଛାଡିଦେଇ ଅନ୍ୟତ୍ର ଚାଲିଯାଇଥିଲେ । ଏହାପରେ ସୁହାନୀର ଦାଦା ଓ ଖୁଡି ତାକୁ ଦେଖାଶୁଣା କରିବା ନିମନ୍ତେ ସାଙ୍ଗରେ ନେଇ ଦିଲ୍ଲୀ ଚାଲିଯାଇଥିଲେ । କିନ୍ତୁ ସେଠାରେ ଦାଦା ଓ ଖୁଡି ସୁହାନୀର ଦେଖାଶୁଣା କରିବା ବଦଳରେ ତାକୁ ନାନା ପ୍ରକାର ନିର୍ଯ୍ୟାତନା ଦେଇଥିଲେ । ଏସମ୍ପର୍କରେ ସୁହାନୀ ଠାରୁ ଦିଲ୍ଲୀରେ ସେ ପଢୁଥିବା ସ୍କୁଲର ଶିକ୍ଷକ ଜାଣିବାକୁ ପାଇବା ପରେ ତୁରନ୍ତ ଏସମ୍ପର୍କରେ ସ୍ଥାନୀୟ ଚାଇଲଡ ଲାଇନକୁ ଖବର ଦେଇଥିଲେ । ଦିଲ୍ଲୀର ଚାଇଲଡ ଲାଇନ ଘଟଣା ସମ୍ପର୍କରେ ତଦନ୍ତ କରିବା ପରେ ତାହା ସତ ବୋଲି ଜାଣିବା ପରେ ସୁହାନୀକୁ ତାର ଦାଦାଙ୍କ ଘରୁ ଗତ ୨୦୧୯ମସିହା ଡିସେମ୍ବର ମାସରେ ଉଦ୍ଧାରକରାଯାଇ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । କୋର୍ଟଙ୍କ ନିର୍ଦେଶକ୍ରମେ ସୁହାନୀକୁ ଉତ୍ତରପ୍ରଦେଶର “ସାଇକୃପା ସେଲଟର ହୋମ”ରେ ରକ୍ଷାଯାଇଥିଲା । ଗତ ୨୦୨୦ମସିହା ଜାନୁଆରୀମାସରେ ଏସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ନୂଆଦିଲ୍ଲୀର ରେସିଡେନସିଆଲ କମିଶନରଙ୍କ ଦ୍ୱାରା ଘଟଣା ସମ୍ପର୍କରେ ଜଣାଇଦିଆଯାଇଥିଲା । କିନ୍ତୁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ପକ୍ଷରୁ ନୂଆଦିଲ୍ଲୀର ଶିଶୁ ମଙ୍ଗଳ ସମିତି ସହିତ ସୁହାନୀକୁ ସେଠାରୁ ଏଠାକୁ ଅଣାଯିବା ନିମନ୍ତେ ଯୋଗାଯୋଗ କରାଯାଇଥିଲେବି କୋଭିଡ -୨୦୧୯ ପାଣ୍ଡାମିକ ଦୃଷ୍ଟିରୁ ସେତେବେଳେ ଅଣାଯାଇପାରିନଥିଲା ବେଲି ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ସୂଚନା ଦେଇଛନ୍ତି । ଏବେ ଆବଶ୍ୟକ ଯୋଗାଯୋଗ କରାଯିବା ପରେ କେନ୍ଦ୍ରାପଡା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏକ ଟିମ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଓ ଶିଶୁ ମଙ୍ଗଳ ସମିତି ସଭ୍ୟା ଲଳିତାଞ୍ଜଳି ଦାସ ଗତ ୧୪ତାରିଖରେ ନୂଆଦିଲ୍ଲୀ ଯାଇ ସେଠାରୁ ସୁହାନୀକୁ ଉଦ୍ଧାର କରି ଆଜି ତାକୁ ଗରାପୁରସ୍ଥିତ ଜିଲ୍ଲାପାଳଙ୍କ ଆବାସୀକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ନିକଟରେ ହାଜର କରାଇଥିଲେ । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସୁହାନୀକୁ ଗରଦପୁର ବ୍ଲକ ଅନ୍ତର୍ଗତ କୋରୁଆସ୍ଥିତ ପଲ୍ଲିଶ୍ରୀ ମହିଳା ସମିତିର ଶିଶୁ ଯତ୍ନ ଗୃହକୁ ଥଇଥାନ ନିମନ୍ତେ ପଠାଇଦିଆଯାଇଥିବା ସୂଚନା ଦିଆଯାଇଛି । ସୁହାନୀକୁ ଜିଲ୍ଲାପାଳଙ୍କ ନିକଟରେ ହାଜର କରାଯିବା ସମୟରେ ସେଠାରେ ଭାରପ୍ରାପ୍ତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଦାସ, ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଭଗବତୀ ପ୍ରସାଦ ଦାସ, ସଭ୍ୟା ସ୍ମିତାଞ୍ଜଳି ମହାପାତ୍ର, କିଶୋର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ଉଦ୍ଧାର ହୋଇଥିବା ନାବାଳିକା ସୁହାନୀର ସମସ୍ତ ପାଠପଢା ଖର୍ଚ୍ଚ କେନ୍ଦ୍ରାପଡା ଡିଏଭି ସ୍କୁଲର ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ସ୍ୱେଛାକୃତ ଭାବେ ବହନ କରିବେ ବୋଲି ଜିଲ୍ଲାପାଳଙ୍କୁ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ