ଦୁଇ ଗ୍ରାମର ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ
ପୋଲସରା:(ଅନିଲ କୁମାର ମହାରଣା)ବ୍ଲକ ଅନ୍ତର୍ଗତ କରତାଳି ଓ ବିଲେଇଝୁରି ଗ୍ରାମରେ ଦୁଇଟି ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପକୁ ମଙ୍ଗଳବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିବା ସହ ତିନିଟି ସ୍ଥାନରେ କୁଳ ସମାଜ ଗୃହ ନିର୍ମାଣ ପାଇଁ ଭୂମି ପୂଜା କରିଥିବା ଜଣାପଡିଛି।କରତାଳି ଗ୍ରାମର ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ ୩୮ ଲକ୍ଷ ୧୬ ହଜାର ଟଙ୍କା ବ୍ୟୟ ହୋଇଥିବା ବେଳେ ବିଲେଇଝୁରି ଜଳ ଯୋଗାଣ ପ୍ରକଳ୍ପ ପାଇଁ ୫୭ ଲକ୍ଷ ୦୫ ହଜାର ଟଙ୍କା ବ୍ୟୟ ହୋଇଥିବା ଜଣାପଡିଛି। ବିଧାୟକ ଶ୍ରୀ ସାହୁ ଏହି ଦୁଇଟି ପ୍ରକଳ୍ପ ଉଦଘାଟନ କରିବା ସହ ବରଗାଁ ଗ୍ରାମରେ ଗୌଡ଼ ସମାଜ କୁଳ ଗୃହ ପାଇଁ ଏବଂ ନିମିନା ଗ୍ରାମରେ କାଳଞ୍ଜି ସମାଜ କୁଳ ଗୃହ ଓ ବଳାସୀ ସମାଜ କୁଳ ଗୃହ ପାଇଁ ଭିତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡ଼ତ୍ୟା, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ଯନ୍ତ୍ରୀ ତୁଷାରକାନ୍ତ ସାହୁ ପ୍ରମୁଖଙ୍କ ସମେତ ସରପଞ୍ଚ,ସମିତି ସଭ୍ୟ, ଓ ଗ୍ରାମବାସୀ ବୃନ୍ଦ ଉପସ୍ଥିତ ଥିଲେ।


