ଦୁଇ ସାଙ୍ଗ

ସବୁଠୁ ଆଗେ ବଡ଼ ଭଉଣୀ ଓ ଭିଣୋଇ ପହଞ୍ଚି ଯାଇଛନ୍ତି ମାମି ଘରେ . କଣ ରଖିଛୁ ଖାଇବାକୁ ଦେ ଚଞ୍ଚଳ କହି ବଡ଼ ଭିଣୋଇ ପେଟେ ଖାଇ କହୁଛନ୍ତି ଦାତାର ମଙ୍ଗଳ ହେଉ ତ ମାମି ହସୁଛି. ସେ ରଙ୍ଗ ବାଘନିଶହନାଲା ଭିତରୁ କୋଉ ରଙ୍ଗ ଭିଣୋଇ ବୁଝିଯାଇଛନ୍ତି ନିଶ୍ଚୟ ନହେଲେ କେମିତି କହୁଛନ୍ତି ଏମିତି ହସୁଥା ତୁ ସବୁଦିନ. ମାମିର ଆଜି ତିରିଶ ବର୍ଷର ବିବାହ ବାର୍ଷିକୀ. ନୂଆ ଶାଢ଼ୀ ଆଣିଦେଇଛନ୍ତି ତା ସ୍ୱାମୀ ବୁବୁ ଆଉ ଦୁଇ ଝିଅ ଭିତରୁ ବଡ଼ ଝିଅ ବିବାହିତ ସେ ଆଣିଛି ସୁନା ଲକେଟ ଓ ସାନଝିଅ ଆଣିଛି ସୁନା ଖଡୁ ତ ମାମି ସେକଥା ଆଗ ନକହି ଦେଖାଉଛି ଝିଅ ଦୁହେଁ ଆଣିଥିବା ବାପା,ବୁବୁଙ୍କ ପାଇଁ ଡ୍ରେସ. ଅପା ହସୁଛି. ସେ ହସର ରଙ୍ଗ କିନ୍ତୁ ସାତରଙ୍ଗୀ ମାନେ ବାଘନିଶହନାଲାର ସବୁରଙ୍ଗ ଫେଣ୍ଟାଫେଣ୍ଟି. ଅପା ହସର ପ୍ରଥମ ରଙ୍ଗ ବାଇଗଣୀ, ବୋଧହୁଏ ଭଉଣୀ ମାମି ସବୁବେଳେ ଦୁଃଖ କରେ ପୁଅଟିଏ ନାହିଁ ବୋଲି ହେଲେ ହୀରା ଲୀଳା ପରି ଦୁଇ ଝିଅ ପାଇ ଚମକୁଛି ଆଜି ହସ ଫରୁଆ ଭିତରେ ଆନନ୍ଦ ରୂପକ ହସ ଜୁଆରରେ ମାମି . ଦ୍ୱିତୀୟ ରଙ୍ଗ ଘନନୀଳ,ହୁଏତ ମାମି ଆଜି ପରିପୂର୍ଣ୍ଣା, ସମସ୍ତେ ତାର ରୋଜଗାରକ୍ଷମ, ସେଇଥିପାଇଁ ତ ପାଳୁଛି ତିରିଶ ବର୍ଷର ବିବାହ ବାର୍ଷିକୀ. ହସର ତୃତୀୟ ରଙ୍ଗ ନୀଳ ଏଇଥି ପାଇଁ କି ଅପା ଆଣିଥିବା ସୁନେଲି ପାଣି ଚୁଡ଼ି ମାମିର ଖୁବ ପସନ୍ଦ ହୋଇଛି. ଭିଣୋଇଙ୍କ ପସନ୍ଦ ଜାଣି ସେ ଯେଉଁ ଖୁସିର ହସ ହସୁଛି ତାହା ତା ଅପାକୁ ସଂକ୍ରମିତ କରୁଛି . ଚତୁର୍ଥ ରଙ୍ଗ ସବୁଜ,ଅପା ଆଜି ତା ସମସ୍ତ ଭାଇ ଭଉଣୀ ଭିଣୋଇ ଓ ଭାଉଜମାନଙ୍କୁ ଦେଖିବ. ପଞ୍ଚମ ରଙ୍ଗ ହଳଦିଆ ଏଇଥିପାଇଁ କି ମାମି ଯୋଗୁଁ ବେଶ ପୋଷାକ ପିନ୍ଧି ବୁଲି ଯିବାର ସୁଯୋଗ ମିଳିଛି ଅପାକୁ. ଷଷ୍ଠ ରଙ୍ଗ ନାରଙ୍ଗୀ ଏଇଥିପାଇଁ ଦୁଃଖ ପରେ ସୁଖ ଆଣିଛି ଏଇ ଘରୋଇ ଉତ୍ସବ. ସମସ୍ତଙ୍କ ସହ ଭେଟଘାଟ କଣ କମ କଥା!ପୁଣି କେବଳ ଭାଇ ଭଉଣୀମାନେ ଓ ତାଙ୍କ ପୁଅ ଝିଅ ସବୁ ଆସିବେ.ହସର ସପ୍ତମ ରଙ୍ଗ ଲାଲ, ସମସ୍ତେ ଖୁସି, ଖୁସିର ରଙ୍ଗ ତ ସବୁବେଳେ ଅଳତା, କୁଙ୍କୁମ, ସିନ୍ଦୁର ଭଳି ଲାଲ, ଆଉ ଯେବେ ପ୍ରେମ ମିଶିଯାଏ ତ ଲାଲ ରଙ୍ଗ ଚମକୁଥାଏ, ଲାଲ ଲାଲ ପଦ୍ମପୁଲ ଓ ଲାଲ ଲାଲ ଗୋଲାପ ପରି. ଗୋଟାକୁ ଗୋଟା ଗାଡି ଲାଗୁଥାଏ ଭାଇ ଭଉଣୀ ଓ ତାଙ୍କ ପିଲାମାନଙ୍କ ସଵାରୀ ସହ ଆଗାମନିରେ . ଅବତରଣ କୋଳାକୋଳି ଭିତରେ ଦ୍ୱିତୀୟ ଭଉଣୀ ଆସିନି ଏଯାଏଁ କିନ୍ତୁ ତା’ରି କଥା ପଡିଛି.

ଛଅ ଭାଇ ଭଉଣୀ ଭିତରେ. ଦ୍ୱିତୀୟ ଭଉଣୀ ସେ. ବାପାଙ୍କର ଭାରି ଗେଲବସର. ଭଲ ପଢେ ବୋଲି ବାପା ଖୁବ ଭଲ ପାଆନ୍ତି ତାକୁ.ଚାକିରୀ କରିଛି, ଝିଅ ବାହାଦେଇ, ନାତି ପାଇଛି, ପୁଅ ପାଇଁ ଝିଅ ଖୋଜୁଛି ହେଲେ ବନ୍ଧୁ ରୂପୀ ସ୍ୱାମୀ ହରେଇଛି. ଆସୁଛି ପୁଅ ସହ. ତା ଓଠରେ ହସ ଫୁଟୁ ବୋଲି ସମସ୍ତେ ଚାହାଁନ୍ତି. ଲାଗିଲା ଗାଡି. ସେ ପିନ୍ଧିଛି ଶାଢ଼ୀ ବଦଳରେ ଡ୍ରେସ . ଫାଟି ପଡିଲେ ସମସ୍ତେ ହସରେ. ସମସ୍ତେ ତାଳି ମାରି କହୁଥିଲେ ବଢିଆ ଦେଖାଯାଉଛି ତତେ ଡ୍ରେସ. ହସରେ ଫାଟି ପଡୁଥିଲା ସେ. ଅପା, ବଡ଼ ଭଉଣୀ ଭାରି ଖୁସି. ତା ସାନ ଭଉଣୀ ମୁଁହରେ ହସ କେଡେ ଚମତ୍କାର. ପୁଅ ତାର କହୁଥିଲା ମାଆ ଦେଖିଲୁ ସମସ୍ତେ ତୋ ଡ୍ରେସ ପିନ୍ଧାରେ କେତେ ଖୁସି ତୁ ଏଣିକି ସବୁବେଳେ ଡ୍ରେସ ପିନ୍ଧିବୁ. ତା ମୁହଁର ହସର ରଙ୍ଗ ଅବର୍ଣ୍ଣନୀୟ ଥିଲା କିନ୍ତୁ ଖୁସି ଭରି ରହିଥିଲା ମୁଠାଏ କାରଣ ମାମି ପାଇଁ ସେ ଗାଉଥିଲା ପ୍ରେମ ଗୀତ, ଆବୃତ୍ତି କରୁଥିଲା ପ୍ରେମ କବିତା ଆଉ ଶେଷରେ ହସୁଥିଲା ଠୋ ଠୋ, ଭାରି ମିଠା ସେ ହସର ରଙ୍ଗ.ଅପା କାଳେ କଣ ଭାବୁଥିବେ ବୋଲି ଭାବି କି କଣ କେଜାଣି, ବୟସରେ ସାନ ହେଲେ ବି ବଡ଼ଭାଉଜ ଲୁଲୁ କହୁଥିଲା , ଡ୍ରେସ ପିନ୍ଧନ୍ତୁ ପଛେ ଖୁସି ରୁହନ୍ତୁ ସାନ ଅପା,ବଡ଼ ଅପା ମୁଗ୍ଧ ନୟନରେ ଚାହିଁ ରହିଥିଲା ଭାଉଜକୁ. ମନେ ପଡୁଥିଲା ବାପା ବୋଉଙ୍କ କଥା. ବାପା ଖୋଜୁଥିଲେ, ସର୍ବଗୁଣସମ୍ପନ୍ନା ଝିଅକୁ ବଡ଼ବୋହୁ କରିବାକୁ, ଆଉ ପାଇଗଲା ପରେ ବୋଉ ହସୁଥାଏ ନିଆରା ଢଙ୍ଗରେ. ସେ ହସର ଭାଷା ପଢିବାକୁ ବଡ଼ଝିଅକୁ ବେଶୀ ସମୟ ଲାଗେନି. ସତୃଷ୍ଣ ନୟନରେ ଅପା ଚାହିଁରହିଥିଲା ଭାଉଜ ମୁଁହକୁ. ସେ କହୁଥିଲା ଦେଖିଲେ ଅପା ମାମିଙ୍କ ପାଇଁ ଶାଢ଼ୀ, ଭଲ ହୋଇଛି ନା? ଖୁବ ଭଲ ଶୁଣି ପୁଣି କହୁଥିଲା ଭାଉଜ,ତେବେ ଏମିତି ଖଣ୍ଡେ ଆପଣଙ୍କ ପାଇଁ ନେଇଯିବି ଏଥର. ଅପା ହସୁଥିଲା ମନ୍ତ୍ରମୁଗ୍ଧ ହୋଇ.ସାନ ଭାଉଜ ଟୁକୁ ପିନ୍ଧାଇ ଦେଉଥିଲା ଅପାଙ୍କୁ ଚୁଡ଼ି.
ଅତୀତ ସ୍ମୃତି ଜୀବନ୍ତ ଲାଗୁଥିଲା. ମନେ ପଡୁଥିଲା ସେଦିନର କଥା ସବୁ. ବଡ଼ଝିଅ ହିସାବରେ ଅପାଙ୍କର , ବାପାଙ୍କର ଭାରି ଗେଲ୍ହା ଥିଲେ ସେ.ଯୁଆଡେ ଯିବେ ସାଙ୍ଗରେ ନେବେ. ପରକୁ ପର ଆଉ ପାଞ୍ଚ ଭାଇଭଉଣୀ ଭିତରେ ବ୍ୟବଧାନ ସେତେବେଳେ ଦୁଇ କି ତିନି ବର୍ଷ ଲେଖାଏଁ.ସମସ୍ତଙ୍କ ଜନ୍ମ ପୂର୍ବରୁ ବାପା ଆସୁଥିବା ଭାଇ ଭଉଣୀଙ୍କ ନାମ ଆଗରୁ କ୍ଵାଟରରେ ଥିବା ଝରକାରେ ଲେଖି ରଖନ୍ତି, କିନ୍ତୁ ଡାକନାମ ଦିଆହୁଏ ପରେ.ପୁଣି କାହା ଡାକ ନାମରେ କାହାର ସମ୍ପୃକ୍ତି ନଥାଏ . ସେତେବେଳେ ମହିଳାମାନେ କର୍ମଜୀବୀ ନଥିଲେ. ଭାଇ ଭଉଣୀମାନଙ୍କ ଜନ୍ମ ସମୟରେ କେହି ନା କେହି ରକ୍ତ ସମ୍ପର୍କୀୟ ରହୁଥିଲେ ବୋଉ ପାଖରେ,ଯେମିତିକି ମାଆ, ମାଉସୀ, ପିଇସୀ, ଶାଶୁ ଇତ୍ୟାଦି ଉଭୟ ପଟର. ଏମିତିକି ମାଉସୀ ଶାଶୁଙ୍କ ଭଉଣୀ, ପିଇସୀ ଶାଶୁଙ୍କ ନଣନ୍ଦଙ୍କ ସଙ୍ଗେ ସମ୍ପର୍କ ରହୁଥିଲା. ଏବେ ସେ ସମ୍ପର୍କ ସବୁ ସଂକୁଚିତ ହେବାର ଏକମାତ୍ର ବଡ଼ କାରଣ, ଉଭୟ ସ୍ୱାମୀ ସ୍ତ୍ରୀ ରୋଜଗାରକ୍ଷମ. ସରକାରୀ ହେଉ ଅବା ବେସରକାରୀ. ତେଣୁ ଲୋଡ଼ା ପଡେ କାମବାଲୀ. ସେମାନେ ମଧ୍ୟ ଆଗେଇ ଆସନ୍ତି, ଯେମିତିକି କେହି ରିକ୍ସାବାଲାର ସ୍ତ୍ରୀ ବା କେହି ଟ୍ରଲିବାଲାର ସ୍ତ୍ରୀ. ସ୍ୱାମୀଙ୍କୁ ଆର୍ଥିକ ସାହାଯ୍ୟ ଓ ପରିବାରର ଭରଣ ପୋଷଣ ପାଇଁ ସେମାନେ ଆଗଭର. ଏମିତିକି ଚାଉଳ ଓ ବିଭିର୍ନ୍ନ ସରକାରୀ ଭତ୍ତା ସତ୍ୱେ କେହି ଘରେ ବସିବାକୁ ପସନ୍ଦ କରୁନାହାଁନ୍ତି.ଏସବୁ ଚିନ୍ତା କଲାବେଳେ ସବୁଠୁ ବଡ଼ ଭଉଣୀ ଅପାଙ୍କୁ ଡକା ଯାଇଥିଲା ମାମିନା ବାହାଘରର ତିରିଶ ବର୍ଷ ଉପଲକ୍ଷେ କିଛି କହିବାକୁ ତ ଅପା ଉଠିଲେ.
ମାମିନା ନୁହେଁ ବରଂ ମାମି ନାମ ସେ ନିଜେ ହିଁ ରଖିଥିଲେ. ତାର କାରଣ ହେଲା. ତାଙ୍କର ମାମି ବୋଲି ଗୋଟେ ସାଙ୍ଗ ଥିଲା. ତାର ଭଲ ନାମ ଥିଲା ଭାବାନୀମାଳା ପାଣିଗ୍ରାହୀ ଏବଂ ସେ ବହୁତ ସୁନ୍ଦର ଥିଲା. ତା ବାପାଙ୍କର ବଦଳି ହେବା ପରେ ସେମାନେ ଅଲଗା ହୋଇଯାଇଥିଲେ ମଧ୍ୟ, ସେମାନଙ୍କ ମଧ୍ୟରେ ବହୁତ ଦିନ ଧରି ପତ୍ରବନ୍ଧୁ ଜରିଆରେ ଚିଠିର ଆଦାନ ପ୍ରଦାନ ଥିଲା. କାଳକ୍ରମେ ଉଚ୍ଚ ଶିକ୍ଷା, ଚାକିରୀ ଓ ବାହାଘର ପରେ ସେମାନଙ୍କ ଭିତରେ ଥିବା ପତ୍ରବନ୍ଧୁ ମଧ୍ୟ ସ୍ମୃତି ହୋଇଗଲା. ଏବେ ସବୁ ସୋସିଆଲ ମିଡ଼ିଆରେ ବହୁତ ଖୋଜିଲେ ମଧ୍ୟ ସେହି ନାମରେ ତ କେହି ମିଳୁନାହାଁନ୍ତି କିନ୍ତୁ ମାମି ନାମରେ ସେ ମୋ ଭଉଣୀ ହୋଇ ଅତି ଅନ୍ତରଙ୍ଗ ହୋଇ ରହିଯାଇଛିହୃଦୟରେ . ଅନେକ ଛୋଟ ବେଳର ସାଙ୍ଗ ମାନଙ୍କ କଥା ସ୍ମୃତି ବହିରୁ ଲିଭି ଆସୁଥିବା ବେଳେ, ତାଙ୍କ ଭଉଣୀ ମାମି ତାରି ସ୍ମୃତି ଜଗାଏ ବେଳ ଅବେଳରେ. ଏତିକି କହିଲା ପରେ ସେ ଅନ୍ୟାନ୍ୟ ବିଷୟରେ ଆଲୋକପାତ କରୁଛନ୍ତି, ହଠାତ ଭଉଣୀ ମାମି ଘରେ ଥିବା କାମବାଲୀ ବୁଢ଼ୀ ମାଉସୀ ଠିଆ ହୋଇ କହିଲେ ମାଆ ତୁମ ନାମ କଣ କହିଲ?? ଅପା କହିଲେ ମୋ ନାମ ରେବା. କାହିଁକି ମାଉସୀ??ନାହିଁ କଥା କଣକି ମାଆ, ଆମ ସେପଟ ସାହିରେ ରହୁଥିବା ନୂଆ ବଦଳି ହୋଇ ଆସିଥିବା ଅଧ୍ୟାପିକା ଜଣେ ଭଡାରେ ରୁହନ୍ତି, ମୁଁ ତାଙ୍କ ଘରେ କାମ କରେ. ତାଙ୍କ ବିବାହିତ ବଡ଼ଝିଅ ନାମ ମଧ୍ୟ ସେଇ ରେବ କି ରେବତୀ କି କଣ. ମୁଁ ତାଙ୍କୁ ରେବତୀ କି ରେବ ଦେଇ ଡାକିଲେ ସେ କୁହନ୍ତି ଆରେ ମୁଁ କଣ ଫକୀର ମୋହନ ସେନାପତିଙ୍କ ରେବତୀ ଗଳ୍ପର ନାୟିକା ଲୋ ରେବ… ଲୋ ଚୁଲି… ଲୋ ନିଆଁ… ଲୋ ରଡ଼ ହେଇଛି,ମୁଁ ରେବା ଜେଜେମା. ମୋ ମାଆ ତାଙ୍କ ନିଜ ପିଲାଦିନର ସାଙ୍ଗର ନାମ ଅନୁଯାୟୀ ମୋ ନାମକରଣ ଏପରି କରିଛନ୍ତି. ତୁମେ ତୁମ ସାଙ୍ଗଙ୍କ ନାମ ଅନୁଯାୟୀ ଭଉଣୀଙ୍କ ନାମ ରଖିଥିଲା ବେଳେ ସେ ଝିଅର ନାମ ରଖିଛନ୍ତି ତୁମ ନାମରେ. ହସିଲେ ସମସ୍ତେ. ଲାଜେଇ ଯାଇ ବୁଢ଼ୀ ମାଉସୀ କହିଲେ ନାହିଁ ସେ ବାବୁ ମାଆଙ୍କୁ ମାମି ବୋଲି ଡାକନ୍ତି ତ ସେଇଥିପାଇଁ ଭାବିଲି.
ଖିଆପିଆ, ନାଚ ଗୀତ ବାଦ୍ୟ ସହ ସଭା ସରିବା ପରେ ଗାଡି ଗଡୁଥିଲା ମାମି ମ୍ୟାଡାମଙ୍କ ଘର ଆଡ଼େ. କଲିଂ ବେଲ ଶୁଣି ଯିଏ କବାଟ ଖୋଲିଲେ ସେ ଥିଲେ ମାମି ମ୍ୟାଡାମ. ସେ କିନ୍ତୁ ଅଚିହ୍ନା ଆଖିରେ ବିସ୍ମୟରେ ଚାହିଁ ରହିଥିଲେ ଅପା ଓ ତାଙ୍କ ଭଉଣୀ ଓ ଭାଇ ଭାଉଜ ମାନଙ୍କୁ. ବୁଢ଼ୀ ମାଉସୀଙ୍କୁ ଦେଖି ସେ ପଚାରିଲେ ଏମାନେ କିଏ ମାଉସୀ??ତୁମ ସାଙ୍ଗ ରେବାମାଆଙ୍କୁ ଧରି ଆଣିଛି ଚିହ୍ନ.କେହି କାହାକୁ ଚିହ୍ନିବା ସହଜ ନଥିଲା କିନ୍ତୁ ଭଲ ନାମ ଓ ଡାକ ନାମ ଦୁହିଁଙ୍କର ମନେ ଥିଲା ନା, ପୁଣି ଗ୍ରାମ ପାରଳାଖେମୁଣ୍ଡି ମାମିଙ୍କ ଘର ତ ରେବାଙ୍କ ଘର ପୁରୀ ଓ ପିତା ମାତାଙ୍କ ନାମ ସହ ସେଇ ପତ୍ରବନ୍ଧୁତା କଥା ପୁନ୍ନର୍ମିଳନର ରାସ୍ତା ଖୋଲିଦେଇଥିଲା.ଭିତରୁ ତାଙ୍କ ଝିଅ ବାହାରି ଆସୁଥିଲା ହସି ହସି ତ ଦେଖାଯାଉଥିଲା ଠିକ ତା ମାଆ ମାମିର ପିଲାଦିନ ଭଳି. ଅପା ସଙ୍ଗେ ଯାଇଥିବା ଭଉଣୀ ଓ ଭାଉଜ ମାନେ ହସୁଥିଲେ ମିଳନର ରଙ୍ଗୀନ ହସ.ଅପାର ସାଙ୍ଗ ମାମି,ଗୋଟି ଗୋଟି ଚିହ୍ନୁଥିଲା ରେବାଙ୍କ ଭାଇ ଭଉଣୀ ଭାଉଜ ମାନଙ୍କୁ, ଡ୍ରେସ ପିନ୍ଧା ଭଉଣୀ ପାଖେ ଅଟକି ଯାଇ ପଚାରୁଥିଲା, ଏ ତୋ ତଳ ଭଉଣୀ ନା?ବଡ଼ ଓ ସାନ ଭାଉଜ କହୁଥିଲେ ହଁ ମାମିଅପା, ଆମର ଚାରି ନଣନ୍ଦ ଥିଲେ, ଏବେ ଆପଣଙ୍କୁ ମିଶାଇ ପାଞ୍ଚ . ମାମି ହସୁଥିଲେ . ସେ ହସ ଲାଗୁଥିଲା ପ୍ରଜାପତିର ଡେଣା ପରି, ଯାହା ସମସ୍ତଙ୍କୁ ସଞ୍ଚରି ଯାଉଥିଲା.ଭଉଣୀ ମାମି ମଧ୍ୟ କହୁଥିଲା ମୁଁ ମାମି, ତୁମ ନାମର ନୂତନ ସଂସ୍କରଣରେ ଆଜି ମାମିନା.ସମସ୍ତେ ହସୁଥିଲେ ଖୁବ.
ସୁନନ୍ଦା ମହାନ୍ତି
ସାକ୍ଷୀଗୋପାଳ
ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ