ଦୁର୍ଗାପୂଜା ଉପଲକ୍ଷେ ଅବକାରୀ ଚଢାଉ,ସାଢେ ୬ ଲକ୍ଷ ଟଙ୍କା ସାମଗ୍ରୀ ଜବତ, ୧୪ ଗିରଫ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଦୁର୍ଗାପୂଜା ଅବସରରେ ଗଞ୍ଜାମ ଅବକାରୀ ଅଂଚଳରେ ଚୋରାମଦ ଓ ଗଂଜେଇ କାରବାର ଉପରେ ଘନଘନ ଚଢାଉ ଜାରି ରହିଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶ କ୍ରମେ ଅକ୍ଟୋବର ୧ ତାରିଖ ଠାରୁ ୪ ତାରିଖ ମଧ୍ୟରେ ଗଞ୍ଜାମ ଅବକାରୀ ଅଧୀକ୍ଷକ ରାଜେନ୍ଦ୍ର ଭତ୍ରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଗାଙ୍ଗପୁର, ଜଗନ୍ନାଥପ୍ରସାଦ, ବୁଗୁଡା, ମୁଜାଗଡ, କାଳିପଙ୍କା, ଜୟମଙ୍ଗଳା, ବାଗଲପୁର ଏବଂ ଆସିକା ଥାନା ଅଂଚଳରେ ପୁଲିସର ସହାୟତାରେ ବ୍ୟାପକ ଚଢାଉ ହୋଇଛି । ୮୪୯ ଲିଟର ଚୋରା ରନ୍ଧାମଦ, ୪୮୭୫ କିଲୋଗ୍ରାମ ପୋଚ, ୬୦୦ କିଲୋଗ୍ରାମ ଭାଙ୍ଗ, ୩୧.୨୦୦ ଲିଟର ଭାଟିମଦ ଏବଂ ୪.୨ ଲିଟର ଦେଶୀମଦ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ସାଢେ ୬ ଲକ୍ଷ ଟଙ୍କା ହେବ । ଏହି ବାବଦରେ ୫ଜଣ ମହିଳା ସମେତ ୧୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ ତିନିଚକିଆ ଡାଲା ଅଟୋ ଓ ଗୋଟିଏ ମଟୋର ସାଇକେଲ ମଧ୍ୟ ଜବତ କରାଯାଇଛି । ଏହି ଚଢାଉରେ ଅବକାରୀ ଉପ-ଅଧୀକ୍ଷକ ଅଭିରାମ ବେହେରା, ନିରୀକ୍ଷକ ଗଙ୍ଗା ପାଇକରାୟ, ଭଞ୍ଜନଗର ଥାନା ଅଧିକାରୀ ସୁଦିପ୍ତ ସାହୁ, ଅବକାରୀ ସବଇନ୍ସପେକ୍ଟର ଉମାକାନ୍ତ ସ୍ୱାଇଁ, ମୋହନ ପ୍ରଧାନ ଏବଂ ଦୁର୍ଯ୍ୟୋଧନ ଦିଗାଲଙ୍କ ସମେତ ଅନ୍ୟାନ୍ୟ ଅବକାରୀ ଏବଂ ପୁଲିସ କର୍ମଚାରୀ ଅଂଶ ଗ୍ରହଣ କରିଥିଲେ । ଶ୍ରୀ ଭତ୍ରା ଗଂଜାମ ଅବକାରୀ ଅଧିକ୍ଷୀକ ଭାବେ ଅକ୍ଟୋବର ୧ତାରିଖରେ ଦାୟିତ୍ୱ ଗ୍ରହଣ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ଦିନ ଠାରୁ ଶ୍ରୀ ଭତ୍ରା ନିଜ କାର୍ଯ୍ୟଶୈଳୀ ଆରମ୍ଭ କରି ସଫଳ ହୋଇଛନ୍ତି ।