ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଓ ୬ ଘଣ୍ଟା ରାସ୍ତା ରୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାରେ ପୁଣି ଏକ ଦୁର୍ଘଟଣାକୁ ନେଇ ପୁଣି ରାସ୍ତାରୋକ ଆନ୍ଦୋଳନ କରାଯାଇଛି. ଏହି ରାସ୍ତାରୋକ 6 ଘଣ୍ଟା ଧରି ଚାଲୁ ରହିବା ଯୋଗୁ ବ୍ରହ୍ମପୁର- ରାୟଗଡା ଜିଲ୍ଲାକୁ ସଂଯୋଗ କରୁଥିବା ରାସ୍ତାରେ ଜୀବନ ଯାତ୍ରା ସମ୍ପୂର୍ଣ ପ୍ରଭାବିତ ହୋଇ ଉଭୟ ପାର୍ଶ୍ଵରେ ଶତାଧିକ ଯାନବାହାନା ଅଟକି ରହିଥିଲା. ଘଟଣାରୁ ପ୍ରକାଶ, ଏହି ଜିଲ୍ଲାର ମୋହନା ଥାନା ଅନ୍ତର୍ଗତ ଶୁଖିଲାଆମ୍ବ ଗ୍ରାମର ମୁକ୍ତିନଗରରେ ପିକ୍ ଅପ୍ ଭ୍ୟାନ୍ ଧକ୍କାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତକ ଅଡ଼ବା ଗାଁର ସୁଜିତ ନାୟକ (୧୯)। ଏହି ଘଟଣା ଘଟିବା ପରେ ଲୋକେ ଉଭ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ମଧ୍ୟାହ୍ନ ପ୍ରାୟ ସାଢ଼େ ଗୋଟାଏରୁ ୬ ଘଣ୍ଟା ଧରି ରାସ୍ତାରୋକ କରିଛନ୍ତି । ଏହାଦ୍ୱାରା ବ୍ରହ୍ମପୁର ଠାରୁ ରାୟଗଡ଼ା ଯାତାୟାତ ଠପ୍ ହୋଇଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ଵରେ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ. ମୋହନା ଥାନା ଅଧିକାରୀ ବସନ୍ତ ସେଠୀ, ଅଡବା ଥାନା ଅଧିକାରୀ ଶୁଭ୍ରାନ୍ତ ପଣ୍ଡା ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ଗାଡି ମଲିକ ଘଟଣା ସ୍ଥଳକୁ ଆସି କ୍ଷତିପୂରଣ ନଦେଲେ ରାସ୍ତାରୁ ହଟିବେ ନାହିଁ ବୋଲି ଜିଦ ଧରି ବସିଥିଲେ ଲୋକେ. ଏହାପରେ ଆର୍ଥିକ ସହାୟତା ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେବା ପରେ ସନ୍ଧ୍ୟା ପ୍ରାୟ ସାଢେ ୬ ଟାରେ ରାସ୍ତାରୋକ ହଟିଥିଲା. ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ବ୍ରହ୍ମପୁର ପଠାଇବା ସହ ଭ୍ୟାନ୍ ଡ୍ରାଇଭରକୁ ଅଟକ ରଖ୍ ତଦନ୍ତ ଚାଲିଥିବା ଥାନା ଅଧିକାରୀ କହିଛନ୍ତି । ପୁଲିସ ସୂତ୍ରରୁ ମିଳିଥିଲା ସୂଚନା ପ୍ରକାରେ ରବିବାର ଅପରାହ୍ନରେ ପିକଅପ୍ ଭ୍ୟାନ୍ ଅଡବାରୁ ଦିଗପହଣ୍ଡି ଯାଉଥିଲା। ଏହି ସମୟରେ ଅଡ଼ବା ଗାଁର ଛାତ୍ର ସୁଜିତ ବାଇକ୍ରେ ମୋହନାରୁ ଅଡ଼ବା ଯାଉଥିଲେ। ଶୁଖୁଲାଆମ୍ବ ଛକ ମୁକ୍ତିନଗର ନିକଟରେ ଭ୍ୟାନ୍ ସହ ବାଇକଟି ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ସୁଜିତଙ୍କ ମୃତ୍ୟୁ ଘଟିଥିଲା. ମୃତକ ମୋହନା ହିଲଟପ୍ ସ୍ନାତକ ମହାବିଦ୍ୟାଳୟର ଛାତ୍ର ଥିଲେ। ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକ ରାସ୍ତାରେ ମୃତଦେହ ରଖି ବ୍ରହ୍ମପୁର- ରାୟଗଡାକୁ ସଂଯୋଗ କରୁଥିବା ୩୨୬ ନଂ ଜାତୀୟ ରାଜପଥକୁ ମୁକ୍ତି ନଗର ଠାରେ ଅବରୋଧ କରିଥିଲେ। ମୃତକଙ୍କ ପରିବାରକୁ ରାଜସ୍ୱ ନିରୀକ୍ଷକ ସରସ୍ୱତୀ ପାଇକ ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ପ୍ରଦାନ କରିଛନ୍ତି ।