ଦୁର୍ଘଟଣାରେ ସାମ୍ବାଦିକ ରବୀନ୍ଦ୍ର ଜେନାଙ୍କ ପରଲୋକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଠାରେ ଏକ ଦୁର୍ଘଟଣାରେ ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର କୁମାର ଜେନାଙ୍କ ପରଲୋକ ଘଟିଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ ଗତ ସୋମବାର ରାତ୍ର ସମୟରେ ସାମ୍ବାଦିକ ରବୀନ୍ଦ୍ର କୁମାର ଜେନା ତାଙ୍କ ଭିଣୋଇ ଘନଶ୍ୟାମ ଦଳାଇଙ୍କ ସହ ପାରଳାଖେମୁଣ୍ଡିରୁ ନିଜ ଗ୍ରାମ ଗୁରାଣ୍ଡିକୁ ଫେରୁଥିଲେ । ଫେରିବା ରାସ୍ତାରେ ଉପଲଡା-ଲିଙ୍ଗିପୁର ଗ୍ରାମର ଆର୍.ଆଇ. ଅଫିସ ସାମନାରେ ମୋଟର ସାଇକେଲଟି ଅଟକି ଥିବା ବେଳେ ବିପରୀତ ଦିଗରୁ ଏକ ଅଟୋରିକ୍ସା ଅତ୍ୟନ୍ତ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା । ଏଥିରେ ସାମ୍ବାଦିକ ରବୀନ୍ଦ୍ର ଜେନା ଅତ୍ୟନ୍ତ ଗୁରୁତର ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ସ୍ୱର୍ଗତ ଜେନାଙ୍କ ଭିଣୋଇ ଶ୍ୟାମଘନ ଦଳାଇ ଏହି ଦୁର୍ଘଟଣାରେ ଗୁରୁତର ହୋଇ ବର୍ତ୍ତମାନ କୋମା ଅବସ୍ଥାରେ ଭୁବନେଶ୍ୱରର ସୋମ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି । ଘଟଣା ନେଇ ଗୁରାଣ୍ଡି ଥାନାରେ ଏକ ମକଦ୍ଦମା ରୁଜୁ ହୋଇଛି । ଗତକାଲି ରବୀନ୍ଦ୍ର ଜେନାଙ୍କ ସତ୍କାର ଗୁରାଣ୍ଡି ଗ୍ରାମ ଠାରେ ସମ୍ପନ୍ନ ହୋଇଯାଇଛି । ସ୍ୱର୍ଗତ ଜେନାଙ୍କ ଦୁର୍ଘଟଣା ଜନିତ ମୃତ୍ୟୁକୁ ନେଇ ଗୁରାଣ୍ଡି ଗ୍ରାମର ଖଗେଶ୍ୱର ପାତ୍ର, ଅର୍ଜୁନ ଦଳାଇ, ବିଦ୍ୟାଧର ପାତ୍ର ଭୋଳାନାଥ ପାତ୍ର, ମିଟୁ ରାଉତ, ଅଭିରାମ ପରିଡା, ତୁଷାର ଜେନା, ପ୍ରମୋଦ ଜେନା, ଅର୍ଜୁନ ଦଳାଇ, କେଦାର ପାତ୍ର, ମନୁ ଜେନା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ସ୍ୱର୍ଗତ ଜେନା ପ୍ରଥମେ ‘ଧରିତ୍ରୀ’ ଓ ପରେ ‘ଖବର’, ‘ପ୍ରମେୟ’ ବର୍ତ୍ତମାନ ଦୈନିକ ‘ଦର୍ଶନ’ର ଗୋଷାଣୀ ବ୍ଲକର କାର୍ଯ୍ୟରତ ସାମ୍ବାଦିକ ଥିଲେ । ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ ଧ୍ୱଜ ଚୌଧରୁ, ସାଧାରଣ ସମ୍ପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, କୃଷ୍ଣକୁମାର ବେହେରା, ବୀର କିଶୋର ପଟ୍ଟନାୟକ, ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସହ ବହୁ ସାମ୍ବାଦିକ ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ସମବେଦନା ଜଣାଇଛନ୍ତି ।