ଦୁର୍ଘଟଣା ରୋକିବ ସ୍ୱତନ୍ତ୍ର ଡିଭାଇସ୍
ଅସାବଧାନତା ଡ୍ରାଇଭିଂ ଯୋଗୁଁ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି । ଆଉ କିଛି ଲୋକ ଗୁରୁତର ଆହତ ହେଉଛନ୍ତି । ତେବେ ଏହାକୁ ରୋକିବା ପାଇଁ ଗବେଷକମାନେ ଏକ ଡିଭାଇସ୍ ଉଦ୍ଭାବନ କରିଛନ୍ତି । ୟୁନିଭରସିଟି ଅଫ୍ କାଲିଫର୍ଣ୍ଣିଆର ବୈଜ୍ଞାନିକମାନେ ଏହି ଡିଭାଇସ୍ ବାହାର କରିଛନ୍ତି । ଗବେଷକମାନେ ଏହି ନିଆର ଡିଭାଇସ ପ୍ରସ୍ତୁତ କରିଛନ୍ତି ଯାହା ଅସାବଧାନତାଭାବେ ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ସତର୍କ କରାଇବ । ଏହି ଡିଭାଇସକୁ ଗାଡିରେ ଲଗାଇବାକୁ ପଡ଼ିବ । ଏହାପରେ ଏହା କାର୍ଯ୍ୟ କରିବା ଆରମ୍ଭ କରିବ । ଯେତେବେଳେ ଡ୍ରାଇଭର ଗାଡି ଚାଳନା ସମୟରେ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବ, ସେତେବେଳେ ଏହି ଡିଭାଇସ୍ ଏକ ପ୍ରକାର ଶବ୍ଦ କରିବ । ଯାହା ଗାଡ଼ି ଡ୍ରାଇଭରକୁ ସତର୍କ କରାଇଦେବ । ଏହାଫଳରେ ଡ୍ରାଇଭର ସତର୍କ ହୋଇ ନିଜ ନିୟନ୍ତ୍ରଣରେ ଗାଡି ଚଳାଇବ । ଗବେଷକମାନେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଏହି ସଫଳତା ହାସଲ କରିଛନ୍ତି ବୋଲି ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି । ଏହାଛଡ଼ା ନିଶାଦ୍ରବ୍ୟ ପାନକରି ଗାଡି ଚଳାଉଥିବା ଲୋକଙ୍କୁ ମଧ୍ୟ ଏହା ସତର୍କ କରାଇବ । ଗାଡ଼ି ଚଳାଇବା ସମୟରେ ନିଶା ଦ୍ରବ୍ୟଠାରୁ ନିଜକୁ ଦୂରେଇ ରଖିବା ପାଇଁ ଗବେଷକମାନେ ପରାମର୍ଶ ଦେଇଛନ୍ତି ।