ଦୁର୍ନୀତିଗ୍ରସ୍ତ  ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁୁବନେଶ୍ୱର : ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି ।ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ରାଜ୍ୟର ୪ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ରହିଛନ୍ତି । ଏ ସମସ୍ତଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି ।ଏହି ୪ ଜଣଙ୍କ ମଧ୍ୟରୁ ଅନୁଗୁଳର ଡେପୁଟି କଲେକ୍ଟର ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ରହିଥିବା ବେଳେ, ୯ଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି । ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହୋଇଛି । ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ସେହିପରି ଗଜପତି ଜିଲ୍ଲାର ନୂଆଗଡ ତହସିଲଦାର ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ତାଙ୍କ ବିରୋଧରେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି । କାର୍ଯ୍ୟ କ୍ଷେତ୍ରରେ ଅପାରଗ ଥିବା ସହିତ ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିଲେ । ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଢେଙ୍କାନାଳର ଜିଲ୍ଲା ସବ୍ ରେଜିଷ୍ଟ୍ରାର ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲ ରହିଛି । ତା ସହିତ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ ମଧ୍ୟ ରହିଛି । ତାଙ୍କର ସାଧୁତା ସନ୍ଦେହଜନକ ରହିଥିଲା ଏବଂ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରତିପାଦିତ ହୋଇଥିବାରୁ, ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ପରିଶେଷରେ ନୂଆପଡାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଡଃ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ନିକଟରେ ବହୁ ପରିମାଣରେ ହିସାବ ବହିର୍ଭୁତ ଟଙ୍କା ମିଳିଥିଲା ଏବଂ ସେଥିପାଇଁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।ଉପରୋକ୍ତ ୪ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୨୨ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ