ଦୁର୍ନୀତି ନିବାରଣ ସଚେତନତା ସୃଷ୍ଟି ପାଇଁ ମିନି ମାରାଥନ
ବାଲେଶ୍ୱର, (ସରୋଜ ପଣ୍ଡା) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜନସାଧରଣଙ୍କୁ ସଚେତନ କରିବା ପାଇଁ ବୁଧବାର ବାଲେଶ୍ୱର ସହରରେ ଗଣଦୌଡ (ମିନି ମାରାଥନ) ଅନୁଷ୍ଠିତ ହୋଇଯାଇଛି । କ୍ରୀଡା ଛାତ୍ରାବାସର ଛାତ୍ରଛାତ୍ରୀମାନେ ଏହି ସଚେତନତା ମାରାଥନରେ ସାମିଲ ହୋଇ ରେମୁଣା ଗୋଲେଇ ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲେ । ପ୍ରାୟ ୫୦ଜଣ ଛାତ୍ରଛାତ୍ରୀ ଏହି ମାରାଥନରେ ଅଂଶଗ୍ରହଣ କରିଥିଲେ । ବାଲେଶ୍ୱର ଦୁର୍ନୀତି ନିବାରଣ ବିଭାଗ ଖଣ୍ଡ ଆରକ୍ଷୀ ଅଧୀକ୍ଷକ ନରହରି ନାୟକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତି ସମ୍ପର୍କରେ ସଚେତନ ହୋଇ ଏହାର ମୂଳୋତ୍ପାଟନ ପାଇଁ ସମସ୍ତେ ଉଦ୍ୟମ କରିବାକୁ ସେ ଆହ୍ୱାନ ଦେଇଥିଲେ । ଭିଜିଲାନ୍ସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପରମେଶ୍ୱର କିସାନ, ଭିଜିଲାନ୍ସ ଉପ-ଆରକ୍ଷୀ ଅଧୀକ୍ଷକ ସନ୍ତୋଷ କୁମାର ସାମନ୍ତରା, ଜିଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ । । ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଓ କର୍ମଚାରୀ ଏଥିରେ ସହଯୋଗ କରିଥିଲେ ।