ଦୁର୍ନୀତି ନିବାରଣ ସପ୍ତାହରେ ସଚେତନତା ପଦଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ବାଲେଶ୍ୱର ଭିଜିଲାନ୍ସ ଖଣ୍ଡ କାର୍ଯ୍ୟାଳୟ ପକ୍ଷରୁ ଶୁକ୍ରବାର ସଚେତନ ଗଣ ପଦଯାତ୍ରା ‘ୱାକାଥନ) ଅନୁଷ୍ଠିତ ହୋଇଯାଇଛି । ଦୁର୍ନୀତି ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ୱାକାଥନରେ ବିଭିନ୍ନ ବିଦ୍ୟାଳୟରୁ ଏନସିସି, ସ୍କାଉଟ୍ସଙ୍କ ସମେତ ସାଧାରଣ ଛାତ୍ରଛାତ୍ରୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକା, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ସାମିଲ ହୋଇଥିଲେ । ସହରର ପବ୍ଲିକ ସ୍କୁଲ ନିକଟରୁ ବାହାରିଥିବା ଏହି ଶୋଭାଯାତ୍ରାକୁ ଭିଜିଲାନ୍ସ ଖଣ୍ଡ ଆରକ୍ଷୀ ଅଧୀକ୍ଷକ ନରହରି ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ବିଭିନ୍ନ କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ରୋକିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳ ଜନସାଧାରଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଭିଜିଲାନ୍ସ ଏସପି ଶ୍ରୀ ନାୟକ କହିଥିଲେ । ପ୍ରତିଟି ସ୍ତରର ଲୋକେ ସତେନ ହେଲେ ଦୁର୍ନୀତିର ମୂଳ ଉତ୍ପୋଟନ ସମ୍ଭବ ହୋଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ ।ଏହି ଅବସରରେ ଭିଜିଲାନ୍ସ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ମାୟାଧର ସେଠୀ, ଡିଏସପି ସିକନ୍ଦର ହେମ୍ବ୍ରମ, ଦକ୍ଷିଣୀ ଚନ୍ଦ୍ର ମୁର୍ମୁ ଓ ହରେକୃଷ୍ଣ ମାଝୀ, ଇନସ୍ପେକ୍ଟର ଉଲପୀ ବେହେରା, ଛବିରାଣୀ ହେମ୍ବ୍ରମ, ଦୁଷ୍ମନ୍ତ ନାୟକ, ଦାଶରଥୀ ହେମ୍ବ୍ରମ ପ୍ରମୁଖ ଏଥିରେ ସାମିଲ ହୋଇ ସଚେତନତା ଗଣପଦଯାତ୍ରାକୁ ପରିଚାଳନା କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ଏବଂ କର୍ମଚାରୀମାନେ ୱାକଥନ ପରିଚାଳନାରେ ସହଯୋଗ କରିଥିଲେ । ଏହି ପଦଯାତ୍ରା ପବ୍ଲିକ ସ୍କୁଲ ନିକଟରୁ ବାହାରି ଷ୍ଟେସନ ଛକ, ଫକୀରମୋହନ ଗୋଲେଇ ଏବଂ ଫାଣ୍ଡି ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ