ଦୁର୍ନୀତି ନିବାରଣ ସୂଚନା ପୁସ୍ତିକା ଉନ୍ମୋଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ରାଜଧାନୀ ଭୁବନେଶ୍ୱର କ୍ଲବ ପରିସରରେ ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂସ୍ଥାର ଜାତୀୟ ସମ୍ପାଦକ ଡଃ ବିପିନ ବିହାରୀ ମିଶ୍ର ଯୋଗଦେଇ ସଂସ୍ଥାର ସୂଚନା ପୁସ୍ତିକା ଉନ୍ମୋଚନ କରିବା ସହ କହିଥିଲେ ଯେ, ରାଜ୍ୟର କୋଣ ଅନୁକୋଣରେ ସଂସ୍ଥାର ବାର୍ତ୍ତା ପ୍ରଚାର କରିବା ସହ ସଂଖ୍ୟାଧିକ ସକ୍ରିୟ କର୍ମୀ ସୃଷ୍ଟି କରାଗଲେ, ଆମର ଉଦ୍ଦେଶ୍ୟ ସାଧିତ ହୋଇପାରିବ । ବୈଠକରେ ସଭାପତିତ୍ୱ କରି ସଂସ୍ଥାର ସାଧାରଣ ସମ୍ପାଦକ ଇଂ ବିପିନ ବିହାରୀ ନାୟକ ଅନୁଗୁଳ, କେନ୍ଦୁଝର ତଥା ଯାଜପୁର ଜିଲ୍ଲାର କର୍ମକର୍ତ୍ତାଙ୍କ କାର୍ଯ୍ୟାବଳୀକୁ ପ୍ରଶଂସା କରିଥିଲେ । ସଂସ୍ଥାର ରାଜ୍ୟ କମିଟି ସମ୍ପାଦକ ଗୋଲକ ବିହାରୀ ସିଂହ, କେନ୍ଦ୍ରୀୟ କମିଟିର ଆଭିମୁଖ୍ୟକୁ ତଳସ୍ତରରେ ପହଞ୍ଚାଇବାରେ ସମସ୍ତଙ୍କର ଯୋଗଦାନ ତଥା ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ରାଜ୍ୟ କମିଟିର ସମ୍ପାଦିକା ଅନିନ୍ଦିତା ଦାସ ଏହି ବୈଠକରେ ଯୋଗଦେଇ ଏକ ଦୁର୍ନୀତିମୁକ୍ତ ଦେଶ ଗଠନରେ ବ୍ରତୀ ହେବାକୁ ଆହ୍ୱାନ ଦେଇଥିଲେ । ଅନ୍ୟତମ ସମ୍ପାଦକ ସୁବାସ ଚନ୍ଦ୍ର ରଥ ସଂସ୍ଥାର ସାଂଗଠନିକ କାର୍ଯ୍ୟକଳାପ ସମ୍ବନ୍ଧରେ ଆଲୋଚନା କରିବା ସହ ସଂସ୍ଥାର ଆଭିମୁଖ୍ୟକୁ ସାର୍ବଜନୀନ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ଅନୁଗୁଳ ଜିଲ୍ଲାର ସଭାପତି ଧୀର ମୋହନ ରାୟ କହିଥିଲେ ଯେ, ସଂସ୍ଥାର ଦୁର୍ନୀତି ନିବାରଣ କାର୍ଯ୍ୟଧାରାକୁ ତୃଣମୂଳସ୍ତରରେ କାର୍ଯ୍ୟକ୍ଷମ କରାଇଲେ ତାହାର ସୁଫଳ ମିଳିବା ସହ ଜନସାଧାରଣ ଲାଭାନ୍ୱିତ ହୋଇପାରିବେ । ଜଟଣୀର ଆବାହକ ଭି. କୁମାର ମତବ୍ୟକ୍ତ କରିଥିଲେ ଯେ, ଦୁର୍ନୀତିକୁ ରୋକାଯାଇ ପାରିଲେ, ସରକାରଙ୍କ ସମସ୍ତ ଲୋକାଭିମୁଖୀ ଯୋଜନା ସଫଳତାର ସହ ରୂପାୟିତ ହୋଇପାରିବ । ଆଶୁତୋଷ ଦାଶ, ମାନସ ଦାସ, ଧୀରେନ ଶର୍ମା କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଂସ୍ଥାର ଯୁଗ୍ମ ସମ୍ପାଦକ ବାଳକୃଷ୍ଣ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।