ଦୁର୍ବଳ ନଦୀବନ୍ଧ ପାଇଁ ସମ୍ଭାବ୍ୟ ବନ୍ୟା ଆଶଙ୍କା ରେ ଲୋକେ ଭୟଭୀତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲାରେ ପ୍ରବାହିତ ଦେବୀ ,କୁଶଭଦ୍ରା ଓ ଭାର୍ଗବୀ ନଦୀର ବିଭିନ୍ନ ସ୍ଥାନରେ ନଦୀବନ୍ଧ ଦୁର୍ବଳ ହୋଇ ପଡ଼ିଥିବାରୁ ଆସନ୍ୟ ବନ୍ୟା ଆଶଙ୍କା ରେ ନଦୀ କୁଳିଆ ଗ୍ରାମବାସୀ ମାନେ ଭୟଭୀତ ହୋଇପଡିଛନ୍ତି।କେଉଁଠି ବନ୍ଧ ଫାଟି ଆଁ କରିଛି ତ କେଉଁଠି ବନ୍ଧ ଫାଟିଥିବା ସ୍ଥାନକୁ ବାଲି ଓ ଡ଼ଷ୍ଟଗୁଣ୍ଡ ରେ ଘୋଡାଇ ଜଳ ସମ୍ପଦ ବିଭାଗ ଲୁଚାଇ ରଖିଛି । ହେଲେ ଜଳଜଳ ଦିଶୁଥିବା ଦୁର୍ବଳ ନଦୀ ବନ୍ଧ ଯୋଗୁଁ ନଦୀ ଉପକୂଳିଆ ଲୋକେ ଛାନିଆ ହୋଇପଡିଛନ୍ତି। ଗତବର୍ଷ ପ୍ରଳୟଙ୍କରୀ ବନ୍ୟାର ତାଣ୍ଡବରେ ପ୍ରଭାବିତ ପୁରୀ ଜିଲ୍ଲା ନିମାପଡା ନିର୍ବାଚନ ମଣ୍ଡଳୀର ୩୦ରୁ ଉର୍ଦ୍ଧ୍ୱ ପଂଚାୟତର ହଜାର ହଜାର ବିପନ୍ନଙ୍କ ଆଖିର ଲୁହ ଏବେ ବି ଶୁଖିନି । କୁଶଭଦ୍ରା ନଦୀର ଘାଇ ଓ ଦେବୀ ଓ ଧନୁଆ ନଦୀର ବନ୍ୟାଜଳ ପୁରୀ ଜିଲ୍ଲାର ବିଭିନ୍ନ ଗାଁଗଣ୍ଡାର ହଜାର ହଜାର ହେକ୍ଟର ଚାଷଜମି କୁ କ୍ଷତିଗ୍ରସ୍ତ କରିବା ସହିତ ଜନଜୀବନ କୁ ଅସ୍ତବ୍ୟସ୍ତ କରିଦେଇଥିଲା । ଗତ ବର୍ଷ ର ବନ୍ୟା ପରେ ବନ୍ୟା ନିୟନ୍ତ୍ରଣ ପାଇଁ ଜଳସମ୍ପଦ ବିଭାଗ ଭାର୍ଗବୀ ,ଦେବୀ, କୁଶଭଦ୍ରା ନଦୀ ଭଳି ବଡ ନଦୀ ସମେତ ଛୋଟଛୋଟ ନଦୀର ବନ୍ଧ ସୁଦୃଢ଼ୀକରଣ ପାଇଁ ବନ୍ଧର ଉଚ୍ଚତା ବଢ଼ାଇବା ସହ କେଉଁଠି ବନ୍ଧରେ ପିଚୁ ରାସ୍ତା କରିଛି ତ କେଉଁଠି ମୋରାମ ବିଛାଇଛି । ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି।ହେଲେ ବନ୍ଧରେ ପଡିଥିବା ମାଟି କମ୍ପାକ୍ସନ ନହେଉଣୁ ତା ଉପରେ ତରବରିଆ ଭାବେ ପିଚୁ ଓ ମୋରମ ବିଛାଯିବା ଯୋଗୁଁ ବିଭିନ୍ନ ସ୍ଥାନରେ ବନ୍ଧ ଫାଟି ଆଁ ମେଲା କରିଛି । ଅସ୍ତରଙ୍ଗ ଖଣ୍ଡାସାହି ଠାରେ ଦେବୀନଦୀ ବନ୍ଧ ଉପରେ ହୋଇଥିବା ପିଚୁ ରାସ୍ତା ଗତବର୍ଷ ଦବି ଫାଟ ସୃଷ୍ଟି ହୋଇଥିବା ବେଳେ ମରାମତି ପରେ ମଧ୍ୟ ଚଳିତ ବର୍ଷ ବନ୍ଧରେ ୩୦୦ ମିଟରରୁ ଉର୍ଦ୍ଧ ଫାଟ ଦେଖାଯିବା ପରେ ଜଳସମ୍ପଦ ବିଭାଗ ଏହି ଫାଟ ଉପରେ ବାଲି ପକାଇ ଘୋଡାଇ ଦେଇଛି । ସେହିଭଳି ବଳଙ୍ଗା ର ଦକ୍ଷିଣରାଡ଼ସ ଠାରେ ନୂଆକରି ସୁଦୃଢ଼ୀକରଣ ହୋଇଥିବା ଭାର୍ଗବୀ ନଦୀ ବନ୍ଧରେ ୪୦୦ମିଟର ରୁ ଅଧିକ ଲମ୍ବ ର ଫାଟ ସୃଷ୍ଟି ହୋଇଛି ।ଗୋପ ବେଣିପୁର ଠାରେ କୁଶଭଦ୍ରା ନଦୀବନ୍ଧ ସୁଦୃଢ଼ୀକରଣ ପାଇଁ ନୂଆ ମାଟି ପଡିଥିବା ବନ୍ଧରେ ନିକଟରେ ତିଆରି ହୋଇଥିବା ପିଚୁରାସ୍ତା ଦବିଯିବା ପରେ ଏହି ପିଚୁରାସ୍ତା ଉପରେ ଏବେ ଡ଼ଷ୍ଟ ଗୁଣ୍ଡ ପକାଇ ଦବିଥିବା ସ୍ଥାନକୁ ଲୁଚାଇ ଦିଆଯାଇଛି । ସବୁ ସ୍ଥାନ ରେ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ଶାସକ ଦଳ ସମର୍ଥକ ମାନେ କରିଥିବାରୁ କାର୍ଯ୍ୟ ସବୁ ନିମ୍ନ ମାନର ହୋଇଥିବା ଅଭିଯୋଗ ହୋଇଛି।ଆସନ୍ନ ବନ୍ୟା ପାଇଁ ନଦୀକୂଳିଆ ଲୋକ ମାନେ ଧନଜୀବନ ହାନି ଭୟରେ ଛାନିଆ ହୋଇପଡିଛନ୍ତି।ବନ୍ଧ ଉପରେ ଭାରୀଯାନ ଯାତାୟାତ କରୁଥିବାରୁ ବିଭିନ୍ନ ସ୍ଥାନ ରେ ନଦୀ ବନ୍ଧ ଫାଟୁଥିବା ନିମାପଡା ଜଳସମ୍ପଦ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ବୈକୁଣ୍ଠ ନାଥ ଦଳାଇ କହିଥିବା ବେଳେ ଆସନ୍ନ ବନ୍ୟା ନିୟନ୍ତ୍ରଣ ପାଇଁ ଜଳସମ୍ପଦ ବିଭାଗ ସମସ୍ତ ପ୍ରସ୍ତୁତି ହାତକୁ ନେଇଥିବା ସେ କହିଛନ୍ତି । ଗୁରୁବାର ଦିନ ମୁଣ୍ଡୁଳି ଠାରେ ପ୍ରାୟ ୮ଲକ୍ଷ କିୟୁସେକ୍ ବନ୍ୟା ଜଳ ପ୍ରବାହିତ ହେଉଥିବାବେଳେ ଏହି ବନ୍ୟା ଜଳ ୪୮ ଘଣ୍ଟା ପରେ ଦେବୀ ନଦୀ ର ବାଉରିଆକଣ ଠାରେ ପ୍ରବାହିତ ହେବ। ଏଥିପାଇଁ କାକଟପୁର ଜଳସେଚନ ସବ୍ ଡିଭିଜନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରାଯାଇଥିବା କହିଛନ୍ତି ସହକାରୀ ଯନ୍ତ୍ରୀ ତପନ କୁମାର ନାୟକ।ଗତ ଦୁଇ ବର୍ଷ ଧରି ନିମାପଡ଼ା ଜଳସେଚନ ଡିଭିଜନ ପକ୍ଷରୁ କରାଯାଇଥିବା ନଦୀ ବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟ ର ଭିଜିଲାନ୍ସ ତଦନ୍ତ କରିବାକୁ ନଦୀକୁଳିଆ ଗ୍ରାମବାସୀ ମାନେ ଦାବୀ କରିଛନ୍ତି।


