ଦୂତି: ଦୌଡ଼ରାଣୀରୁ ହୋଟେଲ ମାଲିକାଣୀ

ଭୁବନେଶ୍ୱର : ଟ୍ରାକରେ ତାଙ୍କ ଚମକ ଦେଖାଇବା ପରେ ଏବେ ଦୌଡ଼ରାଣୀ ଦୂତି ଚାନ୍ଦ ନୂଆ ରାସ୍ତାରେ ପାଦ ଦେଇଛନ୍ତି । ଦୂତି ଆରମ୍ଭ କରିଛନ୍ତି ହୋଟେଲ ବ୍ୟବସାୟ । ବେକାର ଯୁବକଯୁବତୀଙ୍କୁ ଆତ୍ମ ନିର୍ଭରଶୀଳ କରିବା ଲକ୍ଷ୍ୟରେ ଭୁବନେଶ୍ୱରରେ ଡିଟି ଡିଲାଇଟସ୍‍ ନାମରେ ଦୂତି ଖୋଲିଛନ୍ତି ୨ଟି ହୋଟେଲ । ଗୋଟିଏ ହୋଟେଲ ଶୈଳଶ୍ରୀ ବିହାର ଓ ଅନ୍ୟଟି ଅଖିଳ ଭାରତୀୟ ଆୟୁର୍ବେଦ ଚିକିତ୍ସା ପ୍ରତିଷ୍ଠାନ (ଏମ୍‍ସ) ନିକଟରେ ଖୋଲାଯାଇଛି । ଆଗାମୀ ଦିନରେ ଆହୁରି ୯୮ଟି ହୋଟେଲ ଖୋଲିବାର ଲକ୍ଷ୍ୟ ରଖିଛନ୍ତି ।

ଦୂତି କୁହନ୍ତି, ଖେଳ ଛାଡ଼ିବା ପରେ ନିଜ ଭବିଷ୍ୟତ କଥା ଚିନ୍ତା କରି ହୋଟେଲ ବିଜନେସ ପନ୍ଥାକୁ ଆପଣାଇଛି । ଏଥିରେ ବେକାର ଯୁବକଯୁବତୀଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନେଇଛି । ଏସୀୟ କ୍ରୀଡ଼ାରେ ସଫଳତା ପରେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଯେଉଁ ପୁରସ୍କାର ଅର୍ଥ ପ୍ରଦାନ କରାଯାଇଥିଲା ସେହି ଟଙ୍କାରେ ଏହି ବ୍ୟବସାୟ ଆରମ୍ଭ କରିଛି । ଆଗରୁ ଆହୁରି ୯୮ଟି ହୋଟେଲ ଖୋଲିବାର ଲକ୍ଷ୍ୟ ରହିଛି । ଏବେ ୨୦୨୦ ଟୋକିଓ ଅଲମ୍ପିକସ ଯୋଗ୍ୟତା ହାସଲ ଉପରେ ଗୁରୁତ୍ୱ ଦେବେ । ଆଗାମୀ ଦୁଇ/ତିନି ବର୍ଷ ମଧ୍ୟରେ ୧୦୦ ହୋଟେଲ ଖୋଲିବା ମୋର ପ୍ରଥମ ଲକ୍ଷ୍ୟ ରହିଛି । ଉକ୍ତ ହୋଟେଲରେ ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେଇ ରୋଜଗାରକ୍ଷମ କରିବି ବୋଲି ଦୂତି କହିଛନ୍ତି । ସୂଚନା ଯୋଗ୍ୟ, ସଦାସର୍ବଦା ସଂଘର୍ଷ ଭିତରେ ରହି ଆସିଥିବା ଦୂତି ୨୦୧୮ଏସୀୟ କ୍ରୀଡ଼ାରେ ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ପଦକ ବିଜୟୀ ହେବା ସହିତ ଚଳିତ ବର୍ଷ ଇଟାଲୀରେ ଆୟୋଜିତ ବିଶ୍ୱବିଦ୍ୟାଳୟର ଦୌଡ଼କୁଦରେ ପ୍ରଥମ ଭାରତୀୟ ଭାବେ ୧୦୦ ମିଟର ଦୌଡ଼ରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଇତିହାସ ରଚିଛନ୍ତି । ଜାତୀୟ ସ୍ତରରେ ମଧ୍ୟ ନିଜ ନାମରେ ୧୦୦ ମିଟର ରେକର୍ଡକୁ ସ୍ଥାପନ କରିବାରେ ସକ୍ଷମ ହୋଇଛନ୍ତି । ଶରୀରରେ ମାତ୍ରାଧିକ ପୁରୁଷ ହରମୋନକୁ ନେଇ ବିବାଦ ଘେରରେ ରହିବା ଓ ଅନ୍ତର୍ଜାତୀୟ କୋର୍ଟ ଫର ଆର୍ବିଟେନସରେ ବିଜୟୀ ହୋଇ ଟ୍ରାକକୁ ଫେରି ସଫଳତା ହାସଲ କରିବା ଭଳି ସଂଘର୍ଷ ଭିତରେ ଦୂତି ଖେଳ ବାଦ୍‍ ବ୍ୟବସାୟକୁ ଓହ୍ଲାଇବା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ