ଦୃଷ୍ଟିଶକ୍ତି କମିବାର କେତେକ ପ୍ରମୁଖ କାରଣ
ଦୁନିଆକୁ ଦେଖିବାକୁ ଭଗବାନ ଆଖି ଭଳି ଏକ ମୂଲ୍ୟବାନ ଅଙ୍ଗ ଦେଇଛନ୍ତି । ହେଲେ ଖରାପ ଜୀବନଶୈଳୀ ଯୋଗୁଁ ଆମେ ଆଖିର ଯତ୍ନ ନେଇପାରୁନାହୁଁ । ସେଥିପାଇଁ ଆଖି ଦୁର୍ବଳ ହେବାକୁ ଲାଗିଥାଏ । ସାଧାରଣତଃ ସମସ୍ତେ କୁହନ୍ତି ଅଧିକ ସମୟ ମୋବାଇଲ ଓ ଟିଭି ବ୍ୟବହାର କଲେ ଆଖି ଖରାପ ହୋଇଥାଏ । କିନ୍ତୁ ଏହା ଛଡା ଆହୁରି ଏମିତି ଅନେକ କାରଣ ଅଛି ଯାହା ଫଳରେ ଆଖି ଖରାପ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଆଖି ଖରାପ ହେବାର କିଛି କାରଣ ।
ଶୋଇକି ଟିଭି ଦେଖିବା: ଘଣ୍ଟା ଘଣ୍ଟା ଧରି ଶୋଇକି ଟିଭି ଦେଖିବା କାରଣରୁ ଦୃଷ୍ଟିଶକ୍ତି ଦୁର୍ବଳ ହୋଇଥାଏ । କାରଣ ଟିଭିରୁ ବାହାରୁଥିବା ହାନିକାରକ କିରଣ ଆଖିର ଶକ୍ତିକୁ କମ୍ କରିଦେଇଥାଏ । ବସିକି ଟିଭି ଦେଖିବା ଛଡା ଶୋଇକି ଟିଭି ଦେଖିଲେ ଏହା ଆଖିକୁ ଅଧିକ ପ୍ରଭାବିତ କରିଥାଏ । ସେଥିପାଇଁ ଶୋଇକି ଟିଭି ଦେଖିବା ଉଚିତ ନୁହେଁ ।
ମୋବାଇଲ ଅଧିକ ବ୍ୟବହାର: ଆଖି ଉପରେ ଟେକ୍ନୋଲୋଜିର ସବୁଠୁ ଅଧିକ ପ୍ରଭାବ ପଡିଥାଏ । ଦିନ ସାରା ମୋବାଇଲରେ ବ୍ୟସ୍ତ ରହିଲେ ମୁଣ୍ଡବ୍ୟଥା ସହ ଆଖି ବିନ୍ଧା ମଧ୍ୟ ହୋଇଥାଏ । ଲଗାତର ମୋବାଇଲ ବ୍ୟବହାର କରିବା ଦ୍ୱାରା ମୋବାଇଲ ସ୍କ୍ରିନରୁ ବ୍ୟବହାର ଇଲେକ୍ଟ୍ରସ ମ୍ୟାଗ୍ନେଟିକ କିରଣ ଆଖିର ରେଟିନା କଣିକାକୁ କ୍ଷତି ପହଞ୍ଚାଇଥାଏ । ଫଳରେ ଦୃଷ୍ଟିଶକ୍ତି କମ୍ ହୋଇଯାଇଥାଏ ।
କମ ଆଲୁଅରେ ପଢ଼ିବା: କମ ଆଲୁଅରେ ପାଠ ପଢ଼ିଲେ ଆଖିରେ ଖୁବ୍ ଅଧିକ ଜୋର ଦେବାକୁ ପଡିଥାଏ । ଯାହା ଫଳରେ ଦୃଷ୍ଟିଶକ୍ତି ଉପରେ ଖରାପ ପ୍ରଭାବ ପଡିଥାଏ । ଏହାଛଡ଼ା କମ୍ପ୍ୟୁଟର ଆଗରେ ଘଣ୍ଟା ଘଣ୍ଟା ବସିବା ଫଳରେ ଆଖି ଉପରେ ଖରାପ ପ୍ରଭାବ ପଡିଥାଏ । କାରଣ କମ୍ପ୍ୟୁଟରରୁ ବାହାରୁଥିବା ନୀଳ ରଶ୍ମି ଦୃଷ୍ଟି ଶକ୍ତି କମ୍ କରାଇଥାଏ । ଏହାର ଆଉ ଏକ ଅପକାରିତା ହେଉଛି ଆଖିରେ ଡ୍ରାଇ ଆଇ ସିଣ୍ଡ୍ରମ ବି ହୋଇପାରେ । ଏହା ଦ୍ୱାରା ଆଖି ଖରାପ ହେବାର ସମ୍ଭାବନା ବଢ଼ିଯାଇଥାଏ । ଧୂମପାନ: ଧୂମପାନ ଶରୀର ପାଇଁ ଖୁବ୍ କ୍ଷତିକାରକ । ଏହା ଶରୀରର ଅନ୍ୟ ଅଙ୍ଗକୁ ଖରାପ କରିବା ସହ ଆଖିକୁ ବି କ୍ଷତି ପହଞ୍ଚାଇଥାଏ । ଅଧିକ ଧୂମପାନ କରିବା ଦ୍ୱାରା ଆଖିରେ ନାଲି ରଙ୍ଗର ଦାଗ ପଡ଼ିଥାଏ । ଏହା ଦ୍ୱାରା ଆଖିର ରଶ୍ମି କମ୍ ହୋଇଯାଇଥାଏ ।